ରାଜ୍ୟରେ ପିପିପି ମୋଡରେ ଖୋଲିବ ୨୦ ଡାକ୍ତରଖାନା, ରହିବ ୨୭୦୦ ଶଯ୍ୟା

ଭୁବନେଶ୍ୱର: ରାଜ୍ୟର ୨୦ଟି ସହରରେ ଘରୋଇ ସରକାରୀ ସହଭାଗିତା( ପିପିପି ମୋଡ)ରେ ୨୦ଟି ଡାକ୍ତରଖାନା ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ରାଜ୍ୟରେ ଅଧିକ ୨୭୦୦ ଶଯ୍ୟା ରୋଗୀମାନଙ୍କ ପାଇଁ ଉପଲବ୍ଧ ହେବା ସହିତ ୧୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ। ଏଥିପାଇଁ ୧୦୦୦ କୋଟି ଟଙ୍କା ଘରୋଇ ସହଯୋଗରେ ବିନିଯୋଗ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଶୁକ୍ରବାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟସେବା ପୁଞ୍ଜି ବିନିଯୋଗ ନୀତି ୨୦୧୬ ଅନୁଯାୟୀ ରାଜ୍ୟର ପୁରୀ, ଜୟପୁର, ଅନୁଗୁଳ, ଢେଙ୍କାନାଳ, ବଡ଼ବିଲ, ବାରିପଦା, ରାଇରଙ୍ଗପୁର, ବଲାଙ୍ଗୀର, ଝାରସୁଗୁଡ଼ା, ଭଦ୍ରକ,କଳାହାଣ୍ଡି, ଫୁଲବାଣୀ,ବୌଦ୍ଧ, ପାରଲାଖେମୁଣ୍ଡି, ନୂଅପଡ଼ା, ମାଲକାନଗିରି, ନବରଙ୍ଗପୁର, ସୁବର୍ଣ୍ଣପୁର,ରାୟଗଡ଼ା ଓ କେନ୍ଦ୍ରାପଡ଼ାରେ ପିପିପି ମୋଡ୍‌ରେ ଆଧୁନିକ ସୁବିଧା ସୁଯୋଗ ଥାଇ ଡାକ୍ତରଖାନା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ ସରକାରଙ୍କ ଆଫୋଡେବୁଲ୍ ହେଲ୍ଥ ପ୍ରୋଜେକ୍ଟ ଅଧିନରେ ଏହି ଡାକ୍ତରଖାନାଗୁଡ଼ିକ ଖୋଲାଯିବ।କେତେକ ଡାକ୍ତରଖାନା ପରିଚାଳନା କେନ୍ଦ୍ର ବା ହବ୍‌ ଭଳି କାର୍ଯ୍ୟ କରିବ ଓ ଆଉ କେତେକ ଶାଖା ଭଳି କାର୍ଯ୍ୟ କରିବ। ଏହି ସବୁ ଡାକ୍ତରଖାନାରେ ଅସ୍ଥିଶଲ୍ୟ, ଭେଷଜ, ଶଲ୍ୟ. ଶିଶୁ, ସ୍ତ୍ରୀ ଓ ପ୍ରସୂତି ରୋଗ ପାଇଁ ଚିକିତ୍ସା ସୁବିଧା ରହିବ।

ସମ୍ବନ୍ଧିତ ଖବର