ବନ୍ଦ ପଡ଼ିଛି ସର୍ବବୃହତ ସରକାରୀ ପ୍ରେସ୍‌, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କଟକ : କରେଣ୍ଟ ନାହିଁ। ଦାମୀ ଦାମୀ ମେସିନରେ ପଶିଛି ପାଣି। ପେପର ଗୋଦାମ ଛପର ଉଠି ପେପର ରିଲ୍‌ ଓଦା। ୪ଶହରୁ ଅଧିକ ପୁରୁଣା ଗଛ ଏବେ ଧରାଶାୟୀ। ମୁଖ୍ୟ ଫାଟକ ସମ୍ମୁଖରେ ଜମିଛି ନର୍ଦ୍ଦମା ପାଣି। ‘ଫନି’ ପାଇଁ ଖପୁରିଆସ୍ଥିତ ଓଡ଼ିଶା ସରକାରୀ ପ୍ରେସ୍‌ର ଏପରି ବିପର୍ଯ୍ୟସ୍ତ ଅବସ୍ଥା ହୋଇଛି। ଏସବୁ ସମସ୍ୟା ପାଇଁ ସପ୍ତାହେ ହେଲା ସରକାରୀ ପ୍ରେସର ଛାପା, ବନ୍ଧା ଆଦି ମେସିନ କାମ ପୂରା ବନ୍ଦ ରହିଛି। ତିନି ସିଫ୍ଟରେ କାର୍ଯ୍ୟ କରୁଥିବା ଶତାଧିକ କର୍ମଚାରୀ ଏବେ ହାତବାନ୍ଧି ବସିଛନ୍ତି। କରେଣ୍ଟ ନଥିବାରୁ କର୍ତ୍ତୃପକ୍ଷ ମଧ୍ୟ ଏକପ୍ରକାର ଅସହାୟ ହୋଇପଡ଼ିଛନ୍ତି।

ଗତ ୩ ତାରିଖରେ ସଂଗଠିତ ଝଡ଼ ‘ଫନି’ ପାଇଁ ଖପୁରିଆ ଓଡ଼ିଶା ସରକାରୀ ପ୍ରେସ୍‌ର ବ୍ୟାପକ କ୍ଷୟକ୍ଷତି ହୋଇଛି। ସରକାରୀ ପ୍ରେସ୍ ପରିସରରେ ଥିବା ୪ଶହରୁ ଅଧିକ ବଡ଼ ବଡ଼ ଗଛ ଭାଙ୍ଗିଯାଇଛି। ମୁଖ୍ୟ କାର୍ଯ୍ୟାଳୟର ପଛପଟ ପାଚେରୀ ଭାଙ୍ଗିଯିବା ସହିତ ୱେଷ୍ଟ ପେପର ରହୁଥିବା ଗୋଦାମ ଘର ଛାତ ଉଡି ପାଣିରେ ପେପର ‌ଓଦା ହୋଇଛି। ପ୍ରବଳ ବର୍ଷାରେ ଅନେକ ‌ଦାମୀ ମେସିନ୍‌ରେ ପାଣି ପଶିଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟ-୨ ପାଖ ଗୋଦାମରେ ଆଜ୍‌ବେଷ୍ଟଟସ୍ ଉଠି ଛପା ପାଇଁ ରହିଥିବା ଭଲ ପେପର ରିଲ୍‌ ମଧ୍ୟ ଓଦା ହୋଇଛି। ୩ ତାରିଖରୁ କରେଣ୍ଟ କଟିଥିଲେ ମଧ୍ୟ ଆଜିଯାଏ ବିଦ୍ୟୁତ୍‌ ସଂଯୋଗ ଆସିନାହିଁ। ଏଥି ପାଇଁ ୩ ତାରିଖରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ଛପା, କଟା, ବନ୍ଧଇେ ଆଦି କାମ ବନ୍ଦ ରହିଛି। ପ୍ରତିଦିନ ତିନି ସିଫ୍‌ଟରେ ଚାଲିଥିବା କାମ ଏବେ ସଂପୂର୍ଣ୍ଣ ବନ୍ଦ ରହିଛି। କର୍ମଚାରୀ ଆସୁଥିଲେ ମଧ୍ୟ କରେଣ୍ଟ ଅଭାବରୁ କାମ ହୋଇପାରୁନାହିଁ। ଏ ସଂକ୍ରାନ୍ତରେ ପ୍ରେସ୍‌ର ଯୁଗ୍ମ ସଂପାଦକ ନେହେରୁ ଧ‌ାମେଲ କହିଛନ୍ତି, ପରିସରରେ ଥିବା ୩ଶହରୁ ୪ଶହ ବଡ଼ ବଡ଼ ଗଛ ଭାଙ୍ଗିଯାଇଛି। ଅନେକ ମେସିନରେ ମଧ୍ୟ ପାଣି ପଶିଛି। ମୁଖ୍ୟ କାର୍ଯ୍ୟାଳୟର ‌ପାଚେରୀ ଭାଙ୍ଗିବା ସହିତ ୱେଷ୍ଟ ପେପର ରହୁଥିବା ଗୋଦାମରେ ପାଣି ପାସି ଅନେକ ପେପର ରିଲ୍ ଓଦା ହୋଇଛି। କରେଣ୍ଟ ନଥିବାରୁ କାମ ‌ହୋଇପାରୁନାହିଁ। ଏବେ କ୍ଷୟକ୍ଷତିର ଆକଳନ ଚାଲିଛି। ଆସନ୍ତାକାଲି କରେଣ୍ଟ ଆସିବ ବୋଲି ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଛି। କ‌ରେଣ୍ଟ ଆସିଲେ କାମ ଚାଲିବ ବୋଲି ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଧାମେଲ ସୂଚନା ଦେଇଛନ୍ତି। ପାଖାପାଖି ୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଉଛି ବୋଲି ପ୍ରେସ ଜଣେ ବରିଷ୍ଠ ଅଧିକାରୀ ସୂଚନା ‌ଦେଇଛନ୍ତି।

ସମ୍ବନ୍ଧିତ ଖବର