ଗୁରୁପ୍ରିୟା ସେତୁ ସୁରକ୍ଷା ଚିନ୍ତା ବଢ଼ିଲା, ପୁଲିସ୍‌ ଓ ବିଏସ୍‌ଏଫ୍‌ ଆଇଜିଙ୍କ ମିଳିତ ସମୀକ୍ଷା

ମାଲକାନଗିରି : ନିର୍ମାଣ କାର୍ଯ୍ୟ ଶେଷ ହୋଇ ଲୋକାର୍ପଣ ଅପେକ୍ଷାରେ ଥିବା ମାଲକାନଗିରି ବିଚ୍ଛିନ୍ନାଞ୍ଚଳର ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ନକ୍ସଲଙ୍କ ସମ୍ଭାବ୍ୟ ଆକ୍ରମଣକୁ ପ୍ରତିହତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବାବେଳେ ଆଜି ପୁଲିସ ଆଇଜି ଅପରେସନ ଆର.ପି କୋଚେ, ବିଏସ୍‌ଏଫ୍‌ ଆଇଜି ଅପରେସନ ଅଶ୍ୱିନ କୁମାର ସିଂହ, ପୁଲିସ କମାଣ୍ଡାଣ୍ଟ ଅନିରୁଦ୍ଧ ସିଂହ ମିଳିତ ଭାବେ ସମୀକ୍ଷା କରିଛନ୍ତି।

ବହୁ ବାଦବିବାଦ ପରେ ନିକଟରେ ଗୁରୁପ୍ରିୟା ସେତୁ ନିର୍ମାଣ କାମ ଶେଷ ହୋଇଛି। ବର୍ତମାନ ରଙ୍ଗବୋଳା କାମ ଚାଲିଛି। ଚଳିତ ମାସ ଶେଷ ସପ୍ତାହ ବେଳକୁ ଏହି ସେତୁ ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବି ଆରମ୍ଭ ହୋଇଗଲାଣି। କିନ୍ତୁ ଦିନଧାର୍ଯ୍ୟ ହୋଇନାହିଁ। ଅନ୍ୟପକ୍ଷରେ ଏହି ବହୁ ପ୍ରତୀକ୍ଷିତ ସେତୁର ସୁରକ୍ଷା ଚିନ୍ତା ସରକାରଙ୍କୁ ଘାରିଛି। ମାଓବାଦୀଙ୍କ ବିରୋଧ ସତ୍ୱେ ସରକାର ଅର୍ଦ୍ଧସାମରିକ ବାହିନୀକୁ ମୁତୟନ କରି ନିର୍ମାଣ କରିଥିଲେ। ତେଣୁ ଲୋକାର୍ପଣ ପରେ ସୁରକ୍ଷା ଯୋଗାଇ ନଦେଲେ ମାଓବାଦୀ ନିଶ୍ଚିତ ରୂପେ ଟାର୍ଗେଟ କରିବେ। ଏହାକୁ ଦୃଷ୍ଟିରେ ରଖି ଉଭୟ ପୁଲିସ୍‌ ଓ ବିଏସ୍‌ଏଫ୍‌ ଆଇଜି ସମୀକ୍ଷା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର