ସରକାରୀ କଲେଜ, ବିଶ୍ବବିଦ୍ୟାଳୟରେ ଅଧା ଶିକ୍ଷକ ପଦବି ଖାଲି

ଭୁବନେଶ୍ବର : ରାଜ୍ୟରେ ସରକାରୀ ବିଶ୍ବବିଦ୍ୟାଳୟ ଓ କଲେଜରେ ଅଧା ଶିକ୍ଷକ ପଦବି ଖାଲି ପଡ଼ିଛି। ୧୦ଟି ବିଶ୍ବିଦ୍ୟାଳୟରେ ୧୪୨୬ ମଞ୍ଜୁରିପ୍ରାପ୍ତ ଶିକ୍ଷକ ପଦବି ମଧ୍ୟରୁ ୭୬୨ଟି ଖାଲି ପଡ଼ିଛି। ସରକାରୀ ଡିଗ୍ରି କଲେଜଗୁଡ଼ିକରେ ୨୩୦୬ ମଞ୍ଜୁରିପ୍ରାପ୍ତ ପଦବି ମଧ୍ୟରୁ ୧୦୩୩ ଖାଲି ଅଛି। ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପୃଥକ ପୃଥକ ଲିଖିତ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଏହି ସୂଚନା ଦେଇଛନ୍ତି।

ଏହି ପଦବି ପୂରଣ ପାଇଁ ଓପିଏସ୍‌ସିକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ସରକାରୀ କଲେଜ ଅପେକ୍ଷା କମ୍ ପଦବି ଖାଲି ଅଛି। ଏହି କଲେଜଗୁଡ଼ିକ ପାଇଁ ୬୩୬୪ ଶିକ୍ଷକ ପଦବି ମଞ୍ଜୁର କରାଯାଇଥିଲା ବେଳେ ଖାଲି ପଡ଼ିଛି ୧୩୫୩। ଉଚ୍ଚଶିକ୍ଷା ପାଇଁ ବାର୍ଷିକ ବ୍ୟୟ ବରାଦର କେତେ ପ୍ରତିଶତ ଅର୍ଥ ଗବେଷଣା ବାବଦରେ ଖର୍ଚ୍ଚ ହେଉଛି ବୋଲି ଶ୍ରୀ ପଟ୍ଟନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ଜଣାଇଛନ୍ତି ଯେ ଉଚ୍ଚଶିକ୍ଷା ନିମିତ୍ତ ବାର୍ଷିକ ବ୍ୟୟ ବରାଦର ୨୦୧୮-୧୯ରେ ୦.୦୪୨%, ୨୦୧୯-୨୦ରେ ୦.୧୨% ଓ ୨୦୨୦-୨୧ରେ ୦.୧୨% ଗବେଷଣା ବାବଦରେ ଖର୍ଚ୍ଚ କରାଯାଉଛି।

ସମ୍ବନ୍ଧିତ ଖବର