ଓଡ଼ିଆଙ୍କ ପାଇଁ ଝାଡ଼ଖଣ୍ଡ ସରକାରଙ୍କ ଦୋମୁହାଁ ନୀତି

ଭାଷାକୁ ଉପେକ୍ଷା, ରାଜନୀତି ପାଇଁ କୋଳାକୋଳି

ବାଲେଶ୍ବର, (ରୁଦ୍ରରଂଜନ ଶେଜପଡ଼ା): ଝାଡ଼ଖଣ୍ଡର ହେମନ୍ତ ସୋରେନ୍‌ଙ୍କ ସରକାର ଓଡ଼ିଶାବାସୀଙ୍କ ମନରେ ନିଜ ଦଳ ଜେଏମ୍‌ଏମ୍‌ ପ୍ରତି ବିଶ୍ବାସ ଜନ୍ମାଇବାକୁ ଢେର୍‌ କସରତ କରୁଛନ୍ତି। ବିଶେଷକରି, ଓଡ଼ିଶାର ଆଦିବାସୀବହୁଳ ଜିଲ୍ଲାଗୁଡ଼ିକରେ ସଙ୍ଗଠନ ବିସ୍ତାର କରି ଆଞ୍ଚଳିକ ତଥା ଜାତୀୟ ରାଜନୀତିରେ ନିଜର ପତିଆରା, ପ୍ରଭାବ ଓ ଆଧିପତ୍ୟ ପାଇଁ ପ୍ରୟାସ ଜାରି ରଖିଛି ତାଙ୍କ ଦଳ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା। ହେଲେ ବିଡ଼ମ୍ବନା, ନିଜ ରାଜ୍ୟର ବିଚ୍ଛିନ୍ନାଞ୍ଚଳରେ ବସବାସ କରୁଥିବା ଲକ୍ଷାଧିକ ଓଡ଼ିଆଙ୍କୁ ଜେଏମ୍‌ଏମ୍‌ ସରକାର ସାବତପୁଅ ଭଳି ଦେଖିବା ସହ ଓଡ଼ିଆ ଭାଷା ପ୍ରତି ରୀତିମତ ଅସୂୟା ମନୋଭାବ ପ୍ରଦର୍ଶନ କରୁଛି। ରାଜନୈତିକ ସ୍ବାର୍ଥସାଧନ ପାଇଁ ଜେଏମ୍‌ଏମ୍‌ର ଏହି ଦୋମୁହାଁ ନୀତି ଆଗକୁ ଭାରି ପଡ଼ିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଆଜିକୁ ୫୦ ବର୍ଷ ତଳେ ୧୯୭୨ ମସିହା ନଭେମ୍ବର ୧୫ରେ ବି‌ନୋଦ ବିହାରୀ ମାହାତୋ, ଶିବୁ ସୋରେନ୍‌ ଓ ଅରୁଣ କୁମାର ରୟଙ୍କ ଦ୍ବାରା ଆଞ୍ଚଳିକ ଦଳ ଭାବେ ଝାଡ଼ଖଣ୍ଡରେ ପ୍ରତିଷ୍ଠାଲାଭ କରିଥିଲା ଜେଏମ୍‌ଏମ୍‌। ଏହି ଦଳରୁ ଏବେ ମୁଖ୍ୟମନ୍ତ୍ରୀ ଅଛନ୍ତି ହେମନ୍ତ ସୋରେନ। ଓଡ଼ିଶାରେ ନିଜ ସ୍ଥିତି ଜାହିର କରିବାରେ କିଛିକାଂଶରେ ସଫଳ ହୋଇଛି ଜେଏମ୍‌ଏମ୍‌। ସ୍ଥିତିକୁ ମଜବୁତ୍‌ କରିବା ପାଇଁ ନାନା ରଣନୀତି ମଧ୍ୟ ଆପଣାଉଛି। କିଛିବର୍ଷ ହେବ ବିଭିନ୍ନ ଓଡ଼ିଆ ଛାପା ଗଣମାଧ୍ୟମରେ ଜେଏମ୍‌ଏମ୍‌ ସରକାରଙ୍କ ବିଜ୍ଞାପନ ପ୍ରକାଶନ, ମୟୂରଭଞ୍ଜରେ ଦଳୀୟ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଭଉଣୀ ଅଞ୍ଜନୀ ସୋରେନଙ୍କୁ ଓଡ଼ିଶା ଦଳର ରାଜ୍ୟ ସଭାପତି ଦାୟିତ୍ବ ଏହାର ଗୋଟିଏ ଗୋଟିଏ ପ୍ରମାଣ। କେବଳ ସେତିକି ନୁହେଁ, ଦଳର ପ୍ରତିଷ୍ଠାତା ଶିବୁ ସୋରେନ୍‌ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ସମୟାନ୍ତରରେ ମୟୂରଭଞ୍ଜ ମଧ୍ୟ ଆସୁଛନ୍ତି। ଗତ ୭ ତାରିଖରେ ଏହି ଦୁଇ ବରିଷ୍ଠ ରାଜନେତା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତରେ ଆସିବାକୁ ସ୍ଥିର ହୋଇଥିଲା। ଘନ କୁହୁଡ଼ି ଓ ଖରାପ ପାଗ ଯୋଗୁଁ ଶେଷ ମୁହୂର୍ତ୍ତରେ ଉଭୟଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିଲା। ହେଲେ, ଆୟୋଜିତ ସଭାରେ ପୂର୍ବରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଥିବା ତଥା ଅଲ୍‌ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ନେପୋଲ ରଘୁ ମୁର୍ମୁଙ୍କୁ ଜେଏମ୍‌ଏମ୍‌ ରାଜ୍ୟ ସଭାନେତ୍ରୀ ଅଞ୍ଜନୀ ସୋରେନ୍‌ ଧନୁତୀର (ଦଳୀୟ ଚିହ୍ନ) ଦେଇ ଦଳକୁ ସ୍ବାଗତ କରିଥିଲେ। ଯାହା ଏହି ବାର୍ତ୍ତା ଦେଉଛି ଝାଡ଼ଖଣ୍ଡର ହେମନ୍ତ ସରକାର ରାଜନୈତିକ ଅଭିସନ୍ଧି ରଖି ଓଡ଼ିଶାବାସୀଙ୍କ ମନରେ ଜେଏମ୍‌ଏମ୍‌ ପ୍ରତି ବିଶ୍ବାସ ଜନ୍ମାଇବାକୁ ଉଦ୍ୟମ କରୁଛନ୍ତି।

ଅନ୍ୟପଟେ ଝାଡ଼ଖଣ୍ଡ ସରକାର ଓଡ଼ିଆଙ୍କ ପ୍ରତି ଦୋମୁହାଁ ନୀତି ଆପଣେଇଛନ୍ତି। ପୂର୍ବ ସିଂହଭୂମ, ପଶ୍ଚିମ ସିଂହଭୂମ ଓ ଷଢ଼େଇକଳା-ଖରସୁଆଁ ଭଳି ୩ଟି ବଡ଼ ଜିଲ୍ଲାରେ ରହୁଥିବା ପ୍ରାୟ ୯୫ ଲକ୍ଷରୁ ଅଧିକ ଓଡ଼ିଆଙ୍କୁ ହତାଦର କରୁଛନ୍ତି। ରାଜ୍ୟରେ ସିଂହଭାଗ ଓଡ଼ିଆ ଥିବାରୁ ଝାଡ଼ଖଣ୍ଡ ସରକାର ୨୦୧୧ ମସିହାରେ ଓଡ଼ିଆକୁ ଦ୍ବିତୀୟ ରାଜଭାଷାର ମାନ୍ୟତା ଦେଇଛନ୍ତି। ତଥାପି ଲକ୍ଷ ଲକ୍ଷ ଓଡ଼ିଆଙ୍କ ଅସ୍ମିତା ସହ ଖେଳ ଖେଳାଯାଉଛି। ସମୟ ଏମିତି ହୋଇଛି; ଏଠିକାର ଓଡ଼ିଆ ଭାଷାଭାଷୀଙ୍କ ପରିଚୟ ସଙ୍କଟ ମଧ୍ୟରେ ଗତି କରୁଛି। ଅବିଭକ୍ତ ସିଂହଭୂମ ଜିଲ୍ଲାରେ ଖୋଲିଥିବ‌ା ୧୫୦ଟି ଓଡ଼ିଆ ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ଅଧିକାଂଶ ବନ୍ଦ ହୋଇଗଲାଣି। ଯେଉଁ କେତୋଟି ବିଦ୍ୟାଳୟ ଚାଲିଛି, ସେଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ ପୁସ୍ତକ ଉପଲବ୍‌ଧ କରାଯାଉନାହିଁ। ସେହିପରି ଓଡ଼ିଆ ଭାଷାରେ ପାଠପଢ଼ା ଓ ଓଡ଼ିଆ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରାଜ୍ୟରେ ସଂପୂର୍ଣ୍ଣ ରୋକି ଦିଆଯାଇଛି। ଯାହାକୁ ନେଇ କିଛି ବର୍ଷ ହେଲା ଓଡ଼ିଆମାନେ ଆନ୍ଦୋଳନ କରୁଛନ୍ତି। ହେଲେ ତାର କିଛି ପ୍ରଭାବ ପଡ଼ୁନି। ଏବେ ପୁଣି ଝାଡ଼ଖଣ୍ଡ ଏକାଡେମିକ୍‌ କାଉନ୍‌ସିଲ୍‌ ପକ୍ଷରୁ ଆୟୋଜିତ ହେଉଥିବ‌ା ପ୍ରାଥମିକ ଶିକ୍ଷଣ ପରୀକ୍ଷାରୁ ଓଡ଼ିଆ ବିଷୟକୁ ବାଦ୍‌ ଦିଆଯାଇଛି।

ଉଲ୍ଲେଖଥାଉକି, ୨୦୨୧ ସେପ୍ଟେମ୍ବର ୨ ତାରିଖରେ ସମାଜସେବୀ ତଥା ଚଳଚ୍ଚିତ୍ର ନିର୍ମାତା ସନ୍ତୋଷ ଗୌର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଝାଡ଼ଖଣ୍ଡରେ ଓଡ଼ିଆ ପାଠପଢ଼ାକୁ ନେଇ ସମସ୍ୟା ବାବଦରେ ଚିଠି ଲେଖିଥିଲେ। ଯେଉଁଥିରେ ସେ ରାଜ୍ୟ ସରକାରଙ୍କୁ ଭରସା କରିହେବ ନାହିଁ; ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବ ସିଂହଭୂମ, ପଶ୍ଚିମ ସିଂହଭୂମ ଓ ଷଢ଼େଇକଳା-ଖରସୁଆଁରେ ୧୦ଟି ଆବାସିକ କେନ୍ଦ୍ରୀୟ ଓଡ଼ିଆ ବିଦ୍ୟାଳୟ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ। ଏ ସଂକ୍ରାନ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଝାଡ଼ଖଣ୍ଡ ସରକାରଙ୍କ ଶିକ୍ଷା ବିଭାଗ ସଚିବଙ୍କୁ ମଧ୍ୟ ସୂଚିତ କରାଯାଇଥିଲା। ତେବେ ଏଯାଏ କିଛି ସୁଫଳ ମିଳିନି। ଯଦି କେନ୍ଦ୍ର ସରକାର ଉକ୍ତ ପ୍ରସ୍ତାବରେ ମୋହର ଲଗାନ୍ତି, ତେବେ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆମାନେ ଯୁଝୁଥିବା ଭାଷା ସଙ୍କଟର କିଛିଟା ସମାଧାନ ହୋଇପାରିବ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର