ଟିକା ଅନୁପାତ ପରିବର୍ତ୍ତନ ପାଇଁ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ, ୭୫:୨୫% ବଦଳରେ ୯୫:୫% କରିବାକୁ ଦାବି

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ପରିବର୍ତ୍ତିତ ଟିକା ନିର୍ଦେଶାବଳୀ ଅନୁଯାୟୀ ଘରୋଇ ହସ୍ପିଟାଲମାନେ ଟିକା ଉତ୍ପାଦନକାରୀ କମ୍ପାନିଠୁ ସିଧାସଳଖ ୨୫ ପ୍ରତିଶତ ଟିକା କିଣିପାରିବେ। ହେଲେ ରାଜ୍ୟରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ୍, ଯାହାକି ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରର ମାତ୍ର ୫ ପ୍ରତିଶତ। ତେଣୁ ପ୍ରଚଳିତ ନିର୍ଦେଶାବଳୀ ଅନୁସାରେ ଓଡ଼ିଶାରେ ତା’ର ୨୫ ପ୍ରତିଶତ ଟିକା ଅନୁଦାନ ହରାଇବ। ତେଣୁ ଏଥିରେ ପରିବର୍ତ୍ତନ କରି ୭୫:୨୫ ପ୍ରତିଶତ ବଦଳରେ ୯୫:୫ ପ୍ରତିଶତ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ।

ଚିଠିରେ ଶ୍ରୀ ଦାସ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ଏ ପର୍ଯ୍ୟନ୍ତ ୭ଟି ଘରୋଇ ହସ୍ପିଟାଲ ଟିକା ପ୍ରସ୍ତୁତକାରୀ କମ୍ପାନିଠୁ ଟିକା ପାଉଛନ୍ତି। କେନ୍ଦ୍ର ସରକାର କମ୍ପାନିମାନଙ୍କଠାରୁ ୭୫ ପ୍ରତିଶତ ଟିକା କିଣିବା ସହିତ ଏହାକୁ ରାଜ୍ୟମାନଙ୍କୁ ବଣ୍ଟନ କରିବେ। ତେଣୁ ଏହି ଅନୁପାତରେ ପରିବର୍ତନ କରିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ସଚିବଙ୍କୁ ଅବଗତ କରିଛନ୍ତି। ଏଥିରେ ପରିବର୍ତନ କରାଗଲେ ରାଜ୍ୟ ଆନୁପାତିକ ହାରରେ ଘରୋଇ ହସ୍ପିଟାଲଗୁଡ଼ିକ ଆବଶ୍ୟକ ଟିକା କିଣି ପାରିବେ। ଗତ ୨୧ ତାରିଖଠାରୁ ରାଜ୍ୟ ସରକାର ଦୈନିକ ୩ ଲକ୍ଷ ହିତାଧିକାରୀଙ୍କୁ ଟିକା ଦେଇ ଆସୁଛନ୍ତି। ତେଣୁ ଟିକା ନୀତିରେ ପରିବର୍ତନ ହେଲେ ରାଜ୍ୟରେ ଶତପ୍ରତିଶତ ଟିକାଦାନ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ଶ୍ରୀ ଦାସ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର