ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଛକାପଞ୍ଝା ଆରମ୍ଭ

ଜିଲ୍ଲା ପରିଷଦ ସଭାପତି ଆସନକୁ ନେଇ ଏବେଠୁ ଅଙ୍କକଷା

କୋରାପୁଟ: ରାଜ୍ୟ ରାଜନୀତିରେ କୋରାପୁଟ ଜିଲ୍ଲାର ରାଜନୀତି ସବୁବେଳେ ଗୁରୁତ୍ବ ବହନ କରି ଆସିଛି। କିଛିଦିନ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏନେଇ ସବୁ ଦଳ ଭିତରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି।୨୯ ଜିଲ୍ଲା ପରିଷଦ ଆସନ  ଉପରେ ସମସ୍ତଙ୍କ ନଜର। ଜିଲ୍ଲାକୁ ବିଭିନ୍ନ ଦଳର ଟାଣୁଆ ନେତାଙ୍କ ଆଗମନ ହେଲାଣି। ୨୦୦୭, ୨୦୧୨ ଓ ୨୦୧୭ ନିର୍ବାଚନରେ ସଭାପତି ଆସନ ବିଜେଡି ହାତେଇଥିବାରୁ ଜିଲ୍ଲା ପରିଷଦ ସଭାପତି ଆସନକୁ ନେଇ ୩ ପ୍ରମୁଖ ଦଳ ଭିତରେ ଏବେଠୁ ଅଙ୍କକଷା ଆରମ୍ଭ ହୋଇଯାଇଛି।

ପ୍ରାୟ ପ୍ରତ୍ୟେକ ନିର୍ବାଚନରେ ନିର୍ବାଚନରେ କେବଳ କଂଗ୍ରେସ ହିଁ ଟକ୍କର ଦଳ ଭାବେ ଉଭା ହୋଇ ଆସୁଛି। ୨୦୦୭ରେ ୨୯ରୁ କଂଗ୍ରେସକୁ ୧୫, ବିଜେଡିକୁ ୧୪ ଆସନ ମିଳଥିଲା।  ୨୦୧୨ରେ ବିଜେଡିକୁ ୧୪ ଓ କଂଗ୍ରେସକୁ ୧୪ ଆସନ ମିଳିଥିଲା। ଏହି ସମୟରେ ନାରାୟଣପାଟଣାର ବିଜୟ ହୋଇଥିବା ସ୍ବାଧୀନ ପ୍ରାର୍ଥିୀ ଜୁରା ମାଉକା ନିର୍ଣ୍ଣାୟକ ହୋଇଥିଲେ। ଜୁରା ବିଜେଡିକୁ ଢଳିବା ପରେ ସଭାପତି ଆସନ ବିଜେଡିକୁ ଯାଇଥିଲା ଓ ବୋରିଗୁମ୍ମାର ମାଳତୀ ମାଝି ସଭାପତି ହୋଇଥିଲେ। ୨୦୧୭ରେ କିନ୍ତୁ ସାଙ୍ଘାତିକ ରାଜନୈତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା କଂଗ୍ରେସ ।

କଂଗ୍ରେସକୁ ୪, ବିଜେଡିକୁ ୨୪ ଓ ବିଜେପିକୁ ଗୋଟିଏ ଆସନ ମିଳିଥିଲା। ୨୦୨୨ ନିର୍ବାଚନ ସଂରକ୍ଷଣ ଦୃଷ୍ଟିରୁ ଭିନ୍ନ ହେବା ଆଶା ରହିଛି।  ୨୯ ଆସନରୁ ଅନୁସୂଚିତ ଜାତିଙ୍କ ପାଇଁ ୮, ଅନୁସୂଚିତ ଜନଜାତିଙ୍କ ପାଇଁ ୧୬ ଓ ଅସଂରକ୍ଷିତ ବର୍ଗଙ୍କ ୫ ଆସନ ରହିଛି। ମୋଟ ଆସନରୁ ବିଭିନ୍ନ କାଟାଗୋରୀରେ ୧୫ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଅନ୍ୟପକ୍ଷରେ କୋଟପାଡର ପୂର୍ବତନ ବିଧାୟକ ତଥା ଟାଣୁଆ ନେତା ଚନ୍ଦ୍ରଶେଖର ମାଝି ଓ ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାଶ କୁଲେସିକା କଂଗ୍ରେସର ହାତ ଛାଡି ବିଜେଡିରେ ମିଶିଛନ୍ତି। ଉଭୟ ବ୍ଲକରେ କଂଗ୍ରେସର ଦବଦବା ଥିଲା। ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ୫ରୁ ୭ଟି ଆସନ ଥିବାରୁ ଏମାନଙ୍କ ଭୂମିକା କିଭଳି ରହିବ ତାହା ରାଜନୈତିକ ସମୀକ୍ଷକଙ୍କୁ ଚିନ୍ତାରେ ପକାଇଛି।

୨୦୧୪ ଓ ୨୦୧୯  ସାଧାରଣ ନିର୍ବାଚନ ଓ ୨୦୧୭ ପଞ୍ଚାୟତ ନିର୍ବାଚନ ପରି ଆସନ୍ତା ପଞ୍ଚାୟତ ନିର୍ବାଚନରେ ପ୍ରମୁଖ ଭୂମିକା ନିଭେଇବେ ଯୁବ ଭୋଟର। କୋରାପୁଟ ପରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଗତବ‌ର୍ଷ ତୁଳନାରେ ବୃଦ୍ଧି ପାଇଛି ନୂଆ ଭୋଟରଙ୍କ ତାଲିକା। ଗାଁ ଗାଁରେ ହୋଇଥିବା ବୁଥ ସ୍ତରୀୟ ଭୋଟର ତାଲିକା ସଂଶୋଧନ ଓ ନୂଆ ଭୋଟ କାର୍ଡ ପ୍ରଦାନ ଏକ ସୁସ୍ଥ ଲୋକତନ୍ତ୍ର ସୃଷ୍ଟି କରିବା ଆଶା କରାଯାଉଛି। ଜିଲ୍ଲାରେ ୨୦୨୧ ଡିସେମ୍ବର ୧୫ ତାରିଖ ସୁଦ୍ଧା ୧୪ଟି ବ୍ଲକରେ ରହିଛନ୍ତି ୭ ଲକ୍ଷ ୮୩ହଜାର ୪୬୨ ଜଣ ଭୋଟର।

ଏନେଇ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି ଯେ, ଆମେ ୨୦୦୭ ଓ ୨୦୧୨ ନିର୍ବାଚନ ସ୍ଥିତିକୁ ଫେରିବୁ। ଭୋଟର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପରଖି ନିର୍ଣ୍ଣାୟକ ଭୂମିକା ନେବା ଆଶା ରହିଛି। ଏନେଇ କୋରାପୁଟ ବିଜେଡି ସଭାପତି ଈଶ୍ବର ପାଣିଗ୍ରାହୀ କହିଛନ୍ତି ଯେ ଗତଥର ଆମେ ୨୯ଟି ଜିଲ୍ଲାପରିଷଦରୁ ୨୪ ଜିତିଥିଲୁ। ଏଥର ବଢ଼ିବା ଆଶା ରହିଛି। ବରିଷ୍ଠ ବିଜେପି ନେତା ତଥା ସାଂସଦ ଜୟରାମ ପାଙ୍ଗୀ କହିଛନ୍ତି ଯେ, ୨୦୨୨ ନିର୍ବାଚନରେ ମୋଦିଙ୍କ ନେତୃତ୍ବରେ ଆମେ ଜିଲ୍ଲା ପରିଷଦ ସଭାପତି ଆସନ ହାତେଇବୁ। ମୋଦିଙ୍କ ବିକାଶମୂଳକ ନୀତି ହିଁ ଏବେ ନିର୍ଣ୍ଣାୟକ ହେବ। ଆମେ କୋରାପୁଟରେ ଜିଲ୍ଲାପରିଷଦ ଦଖଲ କରିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର