ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଲକ୍ଷେ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ : ଗଣଦୁଷ୍କର୍ମର ଶିକାର ପୀଡିତାଙ୍କୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୁଷ୍କର୍ମ ଭଳି ଅପରାଧର ଶିକାର ହୋଇଥିବା ପୀଡିତା ଯେଉଁ ଆଘାତ ପାଇଛନ୍ତି ସେଥି ପାଇଁ ତାଙ୍କୁ କ୍ଷତି ପୂରଣ ପ୍ରଦାନ କରାଯିବା ଉଚିତ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ନିମ୍ନ ଅଦାଲତ ଏ ସଂପର୍କିତ ମାମଲାର ଶୁଣାଣି କରି ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଲେଖାଏଁ ସଶ୍ରମ କରାଦଣ୍ଡ ସହିତ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡାଦେଶ ପ୍ରଦାନ କରିଥିଲେ। ଜରିମାନା ଅର୍ଥ ପୀଡିତାଙ୍କୁ ପ୍ରଦାନ କରାଯିବ ବୋଲି ନିମ୍ନ ଅଦାଲତ ରାୟ ଦେଇଥିଲେ। ଏହି ଜରିମାନା ଅର୍ଥ ସହିତ ପୀଡିତାଙ୍କୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ନିମ୍ନ ଅଦାଲତ ଦଣ୍ଡାଦେଶ ବିରୋଧରେ ଦାୟର ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଶାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ପୀଡିତା ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ୨୦୧୪, ଜାନୁଆରି ୧୫ରେ ମକର ମେଳା ସମୟରେ ତାଙ୍କୁ କେତେକ ଦୁର୍ବୃତ୍ତ ମେଳା ପଡିଆ ନିକଟରୁ ଜଙ୍ଗଲ ଭିତରକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ତାଙ୍କ ପରିବାର ସଦସ୍ୟ ଘଟଣା ସଂପର୍କରେ ଜାଣିବା ପରେ ସୁନ୍ଦରଗଡ ଜିଲ୍ଲା କେ.ବଳଙ୍ଗା ଥାନାରେ ଏତଲା ରୁଜୁ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ ପରେ ବଣାଇ ଅତିରିକ୍ତ ଦୌରା ଜଜ୍‌ ଅଦାଲତରେ ମାମଲାର ଶୁଣାଣି ହୋଇଥିଲା। ମାମଲାରେ ବୁଟୁରୁ ମୁଣ୍ଡା, ଜାମସେନ ମୁଣ୍ଡା ଓ ଥୁଡୁ ମୁଣ୍ଡାଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡାଦେଶ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର