ସ୍ବାସ୍ଥ୍ୟ ସଚିବଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: କେତେ ଡାକ୍ତର ପଦବି ଖାଲି ପଡ଼ିଛି ଜଣାଅ

ପଦବି ପୂରଣ ପାଇଁ କେତେ ସମୟ ଲୋଡ଼ା ସ୍ପଷ୍ଟ କର

କଟକ: ରାଜ୍ୟରେ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜ ଗୁଡ଼ିକରେ କେତେ ଡାକ୍ତର ପଦବି ଖାଲିପଡ଼ିଛି? ତାହାକୁ ପୂରଣ କରିବାକୁ କେତେ ଦିନ ଲାଗିବ? ଏ ସଂପର୍କରେ ସତ୍ୟପାଠ ଜରିଆରେ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିକଟରୁ ସ୍ପଷ୍ଟୀକରଣ ଲୋଡ଼ିବା ସହିତ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ମଧ୍ୟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜନସ୍ବାର୍ଥ ଆବେଦନର ଶୁଣାଣିକରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଗତ ଜୁଲାଇ ୨ରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଦାଖଲ ସତ୍ୟପାଠରେ କେତେକ ଡାକ୍ତର ପଦବି ପୂରଣ ପାଇଁ ଅନୁମୋଦନ ପ୍ରସଂଗରେ ଉଲ୍ଲେଖ କରାଯାଇଥିଲା। ତେବେ, ଏବେ କ’ଣ ସ୍ଥିତି ଅଛି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଆସନ୍ତା ୨୭ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୦, ଜାନୁଆରି ୩ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ ପ୍ରସଂଗରେ ତ୍ବରିତ୍‌ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ବାରୋପ କରିଥିଲେ। ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ସରକାରଙ୍କୁ କେତେ ସମୟ ଲୋଡ଼ା, ସେ ନେଇ ସ୍ପଷ୍ଟ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପ୍ରକ୍ରିୟା ୬ ମାସ ଭିତରେ ଶେଷହେବ ବୋଲି ହାଇକୋର୍ଟ ଆଶା ପ୍ରକାଶ କରିଥିଲେ। ୨୦୨୧, ମାର୍ଚ୍ଚ ୨୬ରେ ହାଇକୋର୍ଟ ମାମଲାର ଶୁଣାଣି କରି ଖାଲିପଡିଥିବା ଡାକ୍ତର ପଦବି ପୂରଣ ପ୍ରସଂଗରେ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜୁନ୍ ୨୪ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ଓ ଜୁଲାଇ ୨ରେ ଓପିଏସସି ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। ଗତ ମେ ୧୩‌ରେ ଓପିଏସସି ପକ୍ଷରୁ ଗ୍ରୁପ୍-ଏ (ଜୁନିୟର ବ୍ରାଞ୍ଚ୍) ମେଡିକାଲ ଅଫିସର ପଦବିରେ ନିଯୁକ୍ତି ପାଇଁ ୭୮୬ ପ୍ରାର୍ଥୀଙ୍କ ତାଲିକା ପ୍ରଦାନ କରାଯାଇଥିଲା।

ଏହାପରେ ସରକାରଙ୍କ ତରଫରୁ ୭୫୧ ଜଣ ଡାକ୍ତରଙ୍କୁ ନିଯୁକ୍ତିପତ୍ର ଗତ ଜୁନ୍‌ରେ ପ୍ରଦାନ କରାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। କିନ୍ତୁ ଗ୍ରୁପ୍-ଏ (ଜୁନିୟର ବ୍ରାଞ୍ଚ୍) ମେଡିକାଲ ଅଫିସର ପଦବି ଛଡ଼ା ଅନ୍ୟ ପଦବି‌ ଗୁଡିକରେ ନିଯୁକ୍ତି ପାଇଁ ଓପିଏସସିର ଅନୁମୋଦନ ପ୍ରସଂଗରେ ସ୍ବତନ୍ତ୍ର ସଚିବଙ୍କ ସତ୍ୟପାଠରୁ କିଛି ସ୍ପଷ୍ଟ ହୋଇ ନଥିଲା। ସେହିଭଳି ଭାବେ ସରକାରୀ ମେଡିକାଲ କଲେଜରେ ମଞ୍ଜୁରୀପ୍ରାପ୍ତ ଫାକ୍‌ଲଟିଙ୍କ ମଧ୍ୟରୁ ଏବେ ୧୬୬୧ ଜଣ ରହିଛନ୍ତି। ୩୩୭ ପଦ ଖାଲି ପଡିଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ପଦବି ପୂରଣ ପ୍ରସଂଗରେ କୌଣସି ସମୟସୀମା ସଂକ୍ରାନ୍ତରେ ସତ୍ୟପାଠରେ ଉଲ୍ଲେଖ କରାଯାଇ ନଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ତେଣୁ ଏହି ପ୍ରସଂଗରେ ଅନୁଧ୍ୟାନ କରି ସବିଶେଷ ତଥ୍ୟ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ହାଇକୋର୍ଟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସତ୍ୟପାଠର କପି ଆବେଦନକାରୀଙ୍କୁ ପ୍ରଦାନ କରାଯିବ ଓ ଏହା ଉପରେ ଆବେଦନକାରୀ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ରଖିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀ ହେଉଛନ୍ତି ସାମାଜିକ କର୍ମୀ ତଥା ଆଇନଜୀବୀ ଚିତ୍ତରଂଜନ ମହାନ୍ତି।

ସମ୍ବନ୍ଧିତ ଖବର