ମାନବ ଚାଲାଣ ଘଟଣା ପ୍ରସଂଗରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ଆଇନର କଡ଼ାକଡ଼ି କାର୍ଯ୍ୟକାରୀ ପାଇଁ ଚାଲେଞ୍ଜ୍‌ ସୃଷ୍ଟି କରିଛି

କଟକ : ସମ୍ବିଧାନ ପ୍ରଦାନ କରିଥିବା ସୁରକ୍ଷା ସହିତ କଠୋର ଆଇନ ବ୍ୟବସ୍ଥା ସତ୍ତ୍ବେ ବ୍ୟାବସାୟିକ ଯୌନ ଶୋଷଣ ଓ ଆନୁସଙ୍ଗିକ ମାନବାଧିକାର ଉଲ୍ଲଂଘନ ଘଟଣା ବହୁଗୁଣ ବଢିଚାଲିଛି। ଏଭଳି ଶୋଷଣ ଏବେ ପାରମ୍ପରିକ ବେଶ୍ୟାଳୟ ମଧ୍ୟରେ ସୀମିତ ହୋଇ ରହିନାହିଁ। ଏହା ଏବେ ଆବାସିକ ଅଞ୍ଚଳ, ହୋଟେଲ, କ୍ଲବ ସହିତ ସବୁଆଡ଼େ ବ୍ୟାପ୍ତ ହେବା‌ରେ ଲାଗିଛି। ନୂଆ ବୈଷୟିକ ଜ୍ଞାନକୌଶଳ ଉଦ୍ଭାବନ ହେବା ସହିତ ଏବେ ଦେହ ବ୍ୟବସାୟ ବିଭିନ୍ନ ଉପାୟରେ ବିକଶିତ ହୋଇଛି। ଏ ସଂପର୍କିତ ଆଇନର କଡ଼ାକଡ଼ି କାର୍ଯ୍ୟକାରୀ ପାଇଁ ଏହା ଚା‌ଲେଞ୍ଜ ସୃଷ୍ଟି କରିଛି ବୋଲି ଯୁବତୀ ଚାଲାଣ ଓ ଦେହ ବ୍ୟବସାୟରେ ଯୁବତୀଙ୍କୁ ନିୟୋଜିତ ମାମଲାରେ କରାଯାଇଥିବା ନିୟମିତ ଜାମିନ ଆବେଦନର ଶୁଣାଣି କରି ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ରାୟରେ ଉଲ୍ଲେଖ କରାଯାଇଛି।

ପ୍ରକାଶିତ ରାୟରେ ଦର୍ଶାଯାଇଛି ଯେ, ଇମୋରାଲ ଟ୍ରାଫିକ୍ (ପ୍ରିଭେନସନ୍) ଆମେଣ୍ଡମେଣ୍ଟ ବିଲ୍, ୨୦୦୬ (୨୩ ନଭେମ୍ବର ୨୦୦୬)ରେ ଉଲ୍ଲେଖ କରାଯାଇଥିଲା ଯେ ଦେହ ବ୍ୟବସାୟ ବୃତ୍ତିରେ ପ୍ରାୟ ୩୦ ଲକ୍ଷ ମହିଳା ରହିଛନ୍ତି। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ଅନୁସାରେ ୨୦୧୮ରେ ଦେଶରେ ୫,୨୬୪ଟି ମାନବ ଚାଲାଣ ମାମଲା ରିପୋର୍ଟ ହୋଇଥିଲା। ‌ସେଥିମଧ୍ୟରୁ ୨୫ ପ୍ରତିଶତ ମାମଲା ଯୌନଶୋଷଣ, ଦେହବ୍ୟବସାୟ ଓ ଚାଇଲ୍ଡ ପୋର୍ଣ୍ଣୋଗ୍ରାଫି ପାଇଁ ଥିଲା। ଦେହ ବ୍ୟବସାୟ ପାଇଁ ମାନବ ଚାଲାଣ ଓ ‌ଯୌନଶୋଷଣ ପ୍ରସଂଗ ଏବେ ଚିନ୍ତାଜନକ ହୋଇଥିବା ବେଳେ ଏପରି ରାକେଟ୍‌ ପଛରେ ଥିବା କିଙ୍ଗପିନ୍ ଅଞ୍ଚଳର ପ୍ରଭାବଶାଳୀ ବ୍ୟକ୍ତି। ସେ ପୀଡିତାଙ୍କୁ ଭୟଭୀତ କରିଥାନ୍ତି। ଏହା ସଂଗଠିତ କ୍ରାଇମ୍‌ ହୋଇଥିବା ବେଳେ ଏଭଳି ଘଟଣାର ସାକ୍ଷୀଙ୍କ ସୁରକ୍ଷା ଏକ ପ୍ରମୁଖ ପ୍ରସଂଗ। ଡ୍ରଗ୍ ଟ୍ରାଫିକିଂଠାରୁ ମଧ୍ୟ ଅଧିକ ଜଘନ୍ୟ ଏପରି ଅପରାଧ ହୋଇଥିବା ବେଳେ ଆଇନ ପ୍ରଣୟନକାରୀ କଠୋର ଦଣ୍ଡ ବ୍ୟବସ୍ଥା କରିବାର ସୁଯୋଗ ହାତଛଡ଼ା କରିଛନ୍ତି ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ପଞ୍ଚାନନ ପାଢୀଙ୍କ ପକ୍ଷରୁ ଦାୟର ନିୟମିତ ଜାମିନ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏପରି ରା‌ୟ ପ୍ରଦାନ କରିଛନ୍ତି। ମାମଲାରେ ଅନ୍ୟ ଅଭିଯୁକ୍ତଙ୍କୁ ପୂର୍ବରୁ ଜାମିନ ମିଳି ସାରିଥିବା ଘଟଣାକୁ ବିଚାରକୁ ନେଇ ଖଣ୍ଡପୀଠ ଆବେଦନକାରୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କୁ କଠୋର ସର୍ତ୍ତ ରଖି ଜାମିନରେ ଛାଡ଼ିବାକୁ ଭୁବନେଶ୍ବର ଏସଡିଜେଏମ୍ ଅଦାଲତଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୦, ଜାନୁଆରି ୨୧ରେ ଏସଟିଏଫ୍ ନିକଟରେ ଖବର ପହଞ୍ଚିଥିଲା ଯେ କେତେକ ବ୍ୟକ୍ତି କୋଲକାତାରୁ ଯୁବତୀଙ୍କୁ ଆଣି ଭୁବନେଶ୍ବରରେ ଦେହ ବ୍ୟବସାୟରେ ଲାଗାଉଛନ୍ତି। ଲିଙ୍ଗରାଜ ଥାନା ଅଞ୍ଚଳରେ ଏପରି ଘଟଣା ହେଉଥିବା ଓ ଯୁବତୀଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନ‌େର ରଖାଯାଇଥିବା ଖବର ମିଳିଥିଲା। ଏସଟିଏଫ୍ ଘଟଣାସ୍ଥଳରେ ଚଢାଉ କରି ଯୁବତୀଙ୍କୁ ଉଦ୍ଧାର କରିବା ସହିତ ମୋବାଇଲ ଓ କେତେକ ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲା। ଇମୋରାଲ ଟ୍ରାଫିକ୍ (ପ୍ରିଭେନସନ୍) ଆଇନର ଧାରା ୪, ୫, ଆଇପିସିର ଧାରା ୩୭୦(୩), ୪୬୭, ୪୭୧, ୧୨୦-ଖ, ୩୪ରେ ମାମଲା ରୁଜୁ କରି ଏହି ଘଟଣାରେ ସଂପୃକ୍ତ ଇବ୍ରାହିମ୍ ଖାନ୍ ଓ ଅନ୍ୟମାନଙ୍କୁ ଏସଟିଏଫ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଜିତେନ୍ଦ୍ର ସାମନ୍ତରାୟ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର