ବସ୍‌ ଯାତ୍ରାରେ ଟିକସ ଦୁଇଗୁଣା

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ସଂଘ

ସଂଶୋଧନ ନହେଲେ ଆନ୍ଦୋଳନ ପାଇଁ ସଜବାଜ

କଟକ : ଟ୍ରକ୍‌ ମାଲିକ ସଂଘ ପରେ ଏବେ ରାଜ୍ୟରେ ଟିକସ ବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ। ନୂଆ ଟିକସ ବ୍ୟବସ୍ଥାରେ ଗାଡ଼ି ମାଲିକ ଏବଂ ଯାତ୍ରୀଙ୍କ ମୁଣ୍ଡରେ ଚଡ଼କ ପଡିଛି ବୋଲି ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର କୁମାର ସାହୁ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯିବା ସହ ଏଭଳି ବର୍ଦ୍ଧିତ ତଥା ନୂତନ ଟିକସ ହାରକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି। ଏହାର ବିଚାର କରା ନଗଲେ, ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ବାଟ ବାଛିବା ଛଡା ଅନ୍ୟ ବିକଳ୍ପ ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି।

ସୂଚନା ଅନୁଯାୟୀ ପରିବର୍ତ୍ତିତ ସ୍ଥିତିରେ ବସ୍‌, ଟ୍ରକ୍‌, କାର ଏମିତିକି ଦୁଇ ଚକିଆ ଯାନରେ ବି ଟିକସ ବଢାଇ ଦିଆଯାଇଛି। ଏମ୍‌.ଭି.ଟ୍ୟାକ୍ସ, ଷ୍ଟେଜ୍‌ କ୍ୟାରେଜ୍‌ ଆଣ୍ଡ କଣ୍ଟ୍ରାକ୍ଟ କ୍ୟାରେଜ୍‌ ଅତିରିକ୍ତ ଟ୍ୟାକ୍ସ ବଢାଇ ଦିଆଯାଇଛି। ବିଭିନ୍ନ ଟିକସ ହାରକୁ ପୁନନିର୍ଦ୍ଧାରଣ କରାଯାଇଛି। ଡିଲକ୍ସ, ଏସି ଡିଲକ୍ସ, ଏସି ଡିଲକ୍ସ ସ୍ଲିପର୍‌ ଗାଡିରେ ବିଭିନ୍ନ କ୍ଷେତ୍ରରେ ୩୦ ପ୍ରତିଶତରୁ ଶହେ ପ୍ରତିଶତ ପର୍ଯ୍ୟନ୍ତ ଟିକସ ବଢାଇ ଦିଆଯାଇଛି। ବସ୍‌ରେ ଛିଡ଼ା ହୋଇ ଯାଉଥିବା ଯାତ୍ରୀଙ୍କ ପିଛା ଟିକସ ହାରରେ ପରିବର୍ତ୍ତନ କରାଯାଇଥିବା ବେଳେ ଏହା ଶହେ ପ୍ରତିଶତ ବଢି ଯାଉଛି। ପରିସ୍ଥିତି ଏମିତି ହୋଇଛି ଯେ ବସ୍‌ରେ ୫୦ କିଲୋମିଟରରୁ ଅଧିକ କୌଣସି ଯାତ୍ରୀ ଛିଡା ହୋଇ ଯାଉ ନଥିଲେ ବି ବସ୍‌ ମାଲିକ କିନ୍ତୁ ୫୬୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ ଛିଡା ହୋଇ ଯାଉଥିବା ଯାତ୍ରୀଙ୍କ ପିଛା ହିସାବରେ ଟିକସ ଗଣିବେ। ଏ ପ୍ରକାର ଅବାସ୍ତବ ନିଷ୍ପତ୍ତିକୁ ସଂଘ ବିରୋଧ କରିବା ସହ ଏ ଦିଗରେ ତୁରନ୍ତ ପଦକ୍ଷେପ ନନେଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର