ଅଢ଼େଇ ବର୍ଷ ପରେ ଅପହୃତା ନାବାଳିକା ଉଦ୍ଧାର

ପୁରୀ : ଦୀର୍ଘ ଅଢ଼େଇ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ଜନୈକା ୧୫ ବର୍ଷୀୟା ନାବାଳିକାକୁ ସଦର ଥାନା ପୁଲିସ ଉଦ୍ଧାର କରିଛି। ଏହା ସହ ତାଙ୍କ ସହ ଦେଢ଼ ବର୍ଷର ଶିଶୁ ପୁତ୍ରକୁ ମଧ୍ୟ ପୁଲିସ ଉଦ୍ଧାର କରିଛି। ଖବର ନେବାରେ ଜଣାପଡ଼ିଛି, ଖୋର୍ଦ୍ଧା ଜିଲ୍ଲାର ଜନୈକା ନାବାଳିକା ପୁରୀ ଚାରିନଳାସ୍ଥିତ ତାଙ୍କ ମାଉସୀଙ୍କ ଘରେ ରହି ପଢ଼ାପଢ଼ି କରୁଥିଲେ। ଗତ ୨୦୧୬ ଅକ୍ଟୋବର ୨୩ରେ ଚାରିନଳାର ଶିବ ସାହୁ ତାଙ୍କୁ ଅପହରଣ କରି ନେଇଥିଲା। ଏ ନେଇ ସଦର ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଦୀର୍ଘ ଅଢ଼େଇ ବର୍ଷ ହେବ ଏମାନଙ୍କୁ ପୁଲିସ ଠାବ କରି ପାରି ନଥିଲା। ନାବାଳିକା ଜଣକ ଶିବ ଘରେ ରହୁଥିବା ଖବର ପାଇ ସଦର ପୁଲିସ ସେଠାରେ ଚଢ଼ଉ କରି ତାଙ୍କ ସହ ଦେଢ଼ ବର୍ଷର ପୁତ୍ର ସନ୍ତାନକୁ ଉଦ୍ଧାର କରିଥିଲା। ନାବାଳିକାକୁ ଅପହରଣ ମାମଲାରେ ଶିବ ପୂର୍ବରୁ ଜାମିନ ପାଇ ସାରିଥିବା ପୁଲିସ କହିଛି। ଆଜି ପୁଲିସ ନାବାଳିକାଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟରେ ହାଜର କରିଥିଲା। ପରେ ସର୍ଟ ଷ୍ଟେ ହୋମ୍‌ରେ ତାଙ୍କୁ ରଖିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର