ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତିଙ୍କ ଜାମିନ ଶୁଣାଣି ଘୁଞ୍ଚିଲା

କଟକ : ନବଦିଗନ୍ତ କ୍ୟାପିଟାଲ ସର୍ଭିିସେସ୍‌ ଚିଟ୍‌ ଫଣ୍ଡ୍‌ ଠକେଇ ମାମଲାରେ ଛନ୍ଦି ହୋଇ ୨୦୧୪ରୁ ଜେଲରେ ଥିବା ପୂର୍ବତନ ବିଜେପି ବିଧାୟକ ହିତେଶ ବଗର୍ତ୍ତିଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୪ରେ ହେବ। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ସିବିଆଇ ପକ୍ଷରୁ ଅଧିକ ସମୟ ଲୋଡା ଯାଇଥିଲା। ପରବର୍ତ୍ତୀ ଶୁଣାଣି ସମୟରେ ସିବିଆଇ ତଦନ୍ତର ସାନି ସ୍ଥିତି ନେଇ ଅବଗତ କରିବ।

ମାମଲାର ବିବରଣୀରୁ ପ୍ରକାଶ ଯେ ନବଦିଗନ୍ତ ଗ୍ରୁପ୍‌ ଅଫ୍‌ କମ୍ପାନିଜ ସହିତ ଜଡିତ ଥିବା ଶ୍ରୀ ବଗର୍ତ୍ତିଙ୍କୁ ସିବିଆଇ ୨୦୧୪, ନଭେମ୍ବର ୪ରେ ଗିରଫ କରିଥିଲା। ତାଙ୍କ ସହିତ ନବଦିଗନ୍ତର ପ୍ରମୁଖ ଅଧିକାରୀ ଏବଂ ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ଓ ପୂର୍ବତନ ବିଜେଡି ବିଧାୟକ ସୁବର୍ଣ୍ଣ ନାୟକଙ୍କୁ ମଧ୍ୟ ସିବିଆଇ ଗିରଫ କରିଥିଲା। ୨୦୧୫, ଫେବ୍ରୁଆରି ୧୯ରେ ଉପରୋକ୍ତ ୩ ଜଣଙ୍କ ସହିତ ନବଦିଗନ୍ତ ସିଏମ୍‌ଡି ଅଞ୍ଜନ କୁମାର ବଳିୟାରସିଂ, ନିର୍ଦ୍ଦେଶକ ପ୍ରଦୀପ ପଟ୍ଟନାୟକ, କାର୍ତ୍ତିକେୟ ପରିଡାଙ୍କ ବିରୋଧରେ ସିବିଆଇ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରିଥିଲା। ପୂର୍ବରୁ ୨୦୧୫ରେ ଶ୍ରୀ ବଗର୍ତ୍ତି ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଚାର୍ଜସିଟ୍‌ ପରେ ପୁଣି ସେ ନିମ୍ନ ଅଦାଲତରେ ଜାମିନ ଆବେଦନ କରିବା ପାଇଁ ଅନୁମତି ଲୋଡିଥିଲେ। ୨୦୧୬, ଜାନୁଆରି ୧୨ରେ ହାଇକୋର୍ଟ ଏଥି ପାଇଁ ତାଙ୍କୁ ଅନୁମତି ପ୍ରଦାନ କରିଥିଲେ। ଏହାପରେ ପୁଣି ନିମ୍ନ ଅଦାଲତରୁ ନିରାଶ ହେବା ପରେ ଶ୍ରୀ ବଗର୍ତ୍ତି ୨୦୧୭ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ନବ ଦିଗନ୍ତ ମାମଲାରେ ସୁବର୍ଣ୍ଣ ନାୟକଙ୍କୁ ହାଇକୋର୍ଟରୁ ଜାମିନ ମିଳି ସାରିଛି।

ସମ୍ବନ୍ଧିତ ଖବର