ଭୁବନେଶ୍ୱର : ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୨୧ ଓ ୨୧ ତାରିଖ ଦୁଇଦିନ ବ୍ୟାପୀ ଜାତୀୟ ଆଲୋଚନାଚକ୍ର ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟ ସଂସ୍କୃତି ବିଭାଗ ଏବଂ ଦିଲ୍ଲୀର ‘ଇଣ୍ଟେଲେକ୍ଟ’ ସଂଗଠନ ସହଯୋଗରେ ନୂଆଦିଲ୍ଲୀର ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ଏହି ଆଲୋଚନାଚକ୍ରର ଆୟୋଜନ କରାଯାଉଛି। ଏଥିରେ ଦେଶବିଦେଶର ଖ୍ୟାତିସଂପନ୍ନ ଗବେଷକ ଏବଂ ଶିକ୍ଷାବିତ୍ମାନେ ଯୋଗ ଦେଉଛନ୍ତିି।
Sambad is now on WhatsApp
Join and get latest news updates delivered to you via WhatsApp
୨୧ ତାରିଖ ପୂର୍ବାହ୍ନ ୧୧ଟାରେ ହେବାକୁ ଥିବା ଏହି ଆଲୋଚନାଚକ୍ରକୁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିବେ। ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀ, ବରିଷ୍ଠ ପଦାଧିକାରୀ ତଥା କବି ଅମରେଶ ଖଟୁଆ, ଶିକ୍ଷାବିତ୍ ଡ. ଭଗବାନ ପ୍ରକାଶ, ‘ଇଣ୍ଟେଲେକ୍ଟ’ ଅନୁଷ୍ଠାନର କର୍ମକର୍ତା ଭଗବାନ ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଜାତୀୟ ଆଲୋଚନଚକ୍ରରେ ୫ଟି ଅଧିବେଶନ ସହିତ ପାଇକ ବିଦ୍ରୋହ ସଂପର୍କିତ ପ୍ରଦର୍ଶିନୀ, ଏହାର ଡିଜିଟାଲ୍ ଉପସ୍ଥାପନା, କୁଇଜ୍ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ଆୟୋଜନ କରାଯାଇଛି। ଜାତୀୟ ଆଲୋଚନାଚକ୍ରରେ ପାଇକ ବିଦ୍ରୋହ ସଂପର୍କିତ ସନ୍ଦର୍ଭ ପାଠ ସହିତ ବିଶଦ ଆଲୋଚନା କରାଯିବ।
ଏଥିରେ ଟୋକିଓ ବିଶ୍ୱବିଦ୍ୟାଳୟର ପ୍ରଫେସର ଆକିଓ ତାନାବେ, କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ଅନ୍ନପୂର୍ଣ୍ଣା ପାଣ୍ଡେ, ପ୍ରଫେସର ତ୍ରୈଲୋକୀ ପାଣ୍ଡେ, ଭାରତୀୟ ଇତିହାସ ଗବେଷଣା ପରିଷଦର ପ୍ରଫେସର ନାରାୟଣ ରାଓ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଭୈରବୀ ପ୍ରସାଦ ସାହୁ, ପ୍ରଫେସର ଅମର ଫାରୁକି, ପ୍ରଫେସର କମଳାକାନ୍ତ ରାଉଳ, ଜେଏନ୍ୟୁର ପ୍ରଫେସର ପି.କେ. ଦତ୍ତ, ପ୍ରଫେସର ଚିନ୍ତାମଣି ମହାପାତ୍ର, କେନ୍ଦ୍ର ସାହିତ୍ୟ ଏକାଡେମିର ଡ. ଏ.ଜେ. ଥମାସ୍, ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଶ୍ୱଜିତ୍ ଦାସ, ପ୍ରଫେସର ଅଜୟ ପଟ୍ଟନାୟକ, ଜାତୀୟ ଅଭିଲେଖାଗାରର ଡ. ଲଲାଟେନ୍ଦୁ ଦାସମହାପାତ୍ର, ଡ. ସୁବ୍ରତ ରାଉତ, ଓଡ଼ିଶାରୁ ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦ, ପ୍ରଫେସର ଭଗବାନ ସାହୁ ପ୍ରମୁଖ ଯୋଗଦେବେ। ଓଡ଼ିଶା ଇତିହାସର ମର୍ଯ୍ୟାଦାଜନକ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ଦିଗରେ ଏଭଳି ଆଲୋଚନାଚକ୍ର ସହାୟକ ହେବ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।