ଚାଳକମାନଙ୍କୁ ମିଳିଲା ଆଶ୍ବସ୍ତି; ଗାଡ଼ିରେ ଏଚ୍‌ଏସ୍‌ଆରପି ଲଗାଇବା ଅବଧି ବଢ଼ିଲା ମାସେ

ଭୁବନେଶ୍ବର: ରାଜ୍ୟର ଗାଡ଼ି ଚାଳକଙ୍କୁ ପୁଣି ଥରେ ଆଶ୍ୱସ୍ତି ମିଳିଛି। ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ (ଏଚ୍ଏସ୍ଆରପି) ଲଗାଇବାକୁ ଏକ ମାସ ମହଲତ ମିଳିଛି। ଅର୍ଥାତ ଯେଉଁ ସବୁ ଗାଡ଼ିର ନମ୍ୱର ପ୍ଲେଟ୍‌ର ଶେଷ ଅଙ୍କ ୧, ୨, ୩, ୪, ୫ ଓ ୬ ରହିଛି, ତାହାର ଏଚ୍ଏସ୍ଆରପି ଲଗାଇବା ଅବଧିକୁ ରାଜ୍ୟ ସରକାର ପୁଣି ଏକ ମାସ ବଢ଼ାଇଛନ୍ତି। ଏହି ସବୁ ଗାଡ଼ିରେ ଏଚ୍‌ଏସ୍‌ଆରପି ଲଗାଇବା ପାଇଁ ରାଜ୍ୟ ସରକାର ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏଁ ସମୟସୀମା ବୃଦ୍ଧି ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ରାଜ୍ୟ ସରକାର ଏହି ସମୟସୀମା ମଧ୍ୟରେ ହାଇ ଏଚ୍‌ଏସ୍‌ଆରପି ପାଇଁ ବୁକିଂ ହୋଇଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି ବୋଲି ବି ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୩୦ରେ ଓଡ଼ିଶା ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ପରେ ରାଜ୍ୟ ସରକାର ହାଇସିକ୍ୟୁରିଟି ଲଗାଇବା ଅବଧିକୁ ବୃଦ୍ଧି କରିଥିଲେ। ପ୍ରଥମେ ୧, ୨, ୩, ୪ ନମ୍ବର ବିଶିଷ୍ଟ ଗାଡ଼ିର ସମୟ ସୀମାକୁ  ଅକ୍ଟୋବର ୩୦ ପର୍ଯ୍ୟନ୍ତ ପରେ ନଭେମ୍ବର ୩୦ ଓ ଏବେ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସେହିପରି ଶେଷ ଅଙ୍କ ୫ ଓ ୬ ଥିଲେ ମଧ୍ୟ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏଚ୍‌ଏସ୍‌ଆରପି ଲଗାଇପାରିବେ। ଶେଷ ଅଙ୍କ ୭ ଓ ୮ ଥିଲେ ୨୦୨୩ ଜାନୁଆରି ୩୧ ଏବଂ ‌୯ ଓ ‘ଶୂନ୍ୟ’ ଥିଲେ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି। ଏହାକୁ ନେଇ ଗାଡ଼ି ଚାଳକମାନଙ୍କୁ ଆଶ୍ୱସ୍ତ ମିଳିଛି।

ସମ୍ବନ୍ଧିତ ଖବର