ସ୍କୁଲ ଛାତ ଉପରକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କଲେ ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ବାମୀ, ଅଭିଯୁକ୍ତଙ୍କ ଗିରଫ ଦାବିରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ  ବୈଶିଙ୍ଗା ଥାନା ଅଧୀନସ୍ଥ ଖୁଣ୍ଟାପୁରର ଚିନ୍ତାମଣି ତିଳୋତ୍ତମା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ବାମୀ ଜଣେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ ଚିନ୍ତାମଣି ତିଳୋତ୍ତମା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତାରାଣୀ ପତିଙ୍କ ସ୍ବାମୀ ଚିନ୍ମୟ ମିଶ୍ର ଉକ୍ତ ବିଦ୍ୟାଳୟରେ ପଢ଼ୁଥିବା ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଛାତ ଉପରକୁ ଡାକି ନେଇଥିଲେ। ତା’ପରେ ସୁଜାତାରାଣୀ ପତିଙ୍କ ସ୍ବାମୀ ଚିନ୍ମୟ ମିଶ୍ର ପୀଡ଼ିତାଙ୍କୁ ସିନ୍ଦୂର, ବେଲପତ୍ର, ଅରୁଆ ଚାଉଳ ଦେଇ କହିଥିଲେ ଯେ ଏହି ସିନ୍ଦୂର ଦେହରେ ବୋଳିଲେ ଭଲ ପାଠ ହେବ। ଏହାପରେ ଚିନ୍ମୟ ମିଶ୍ର ଉକ୍ତ ନାବାଳିକା ଛାତ୍ରୀଙ୍କ ଦେହରେ ସିନ୍ଦୂର ବୋଳିଥିଲେ। ଏହି ସମୟରେ ନାବାଳିକା ଛାତ୍ରୀଜଣକ ଚିତ୍କାର କରିଥିଲେ। ହେଲେ ଚିନ୍ମୟ ପୀଡ଼ିତାଙ୍କ ପାଟିକୁ ଚାପି ଧରି ଏକଥା ବାହାରେ ପ୍ରଘଟ ନ କରିବାକୁ ଧମକ ଦେଇଥିଲେ। ଯଦି କାହାରିକୁ କହିବ, ତେବେ ଜୀବନରୁ ମାରି ଦେବେ ବୋଲି କହିଥିଲେ।

ପୀଡ଼ିତା ବୈଶିଙ୍ଗା ଚିନ୍ତାମଣି ଥାନାରେ ଏତଲା ଦେବା ପରେ ଗତକାଲି ରାତିରେ ଥାନା ଏସ୍ଆଇ ଅନୀତା ସ୍ବାଇଁ ପ୍ରଧାନ ଶିକ୍ଷୟତ୍ରୀ ସୁଜାତାରାଣୀ ପତିଙ୍କ ସ୍ବାମୀ ଚିନ୍ମୟ ମିଶ୍ରଙ୍କୁ ଧରିବାକୁ ଯାଇଥିଲେ, ମାତ୍ର ପ୍ରଧାନ ଶିକ୍ଷୟତ୍ରୀ ସ୍ବାମୀ ଚିନ୍ମୟ ମିଶ୍ରଙ୍କୁ ଲୁଚାଇ ଦେଇଥିଲେ। ଏ ସଂପର୍କରେ କେବଳ ‘ସମ୍ବାଦ’ରେ ଆଜି ଖବର ପ୍ରକାଶ ପାଇଛି।

ଏହାପରେ ଅଭିଯୁକ୍ତ ଚିନ୍ମୟ ମିଶ୍ରଙ୍କ ବିରୋଧରେ ପୋକ୍ସୋ ଆଇନର ଧାରା ୮ ଓ ୧୨ ବ୍ୟତୀତ ଅନ୍ୟ କେତେକ ଧାରାରେ ମାମଲା ରୁଜ୍ଜୁ କରିଛି ପୁଲିସ। ଏଣେ ପ୍ରଧାନ ଶିକ୍ଷୟତ୍ରୀ ସୁଜାତାରାଣୀ ପତିଙ୍କ ସ୍ବାମୀ ଚିନ୍ମୟ ମିଶ୍ରଙ୍କୁ ଗିରଫ କରିବାଲାଗି ଅଞ୍ଚଳବାସୀ ଚିନ୍ତାମଣି ତିଳୋତ୍ତମା ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତ ଚିନ୍ମୟ ମିଶ୍ରଙ୍କୁ ପୁଲିସ ଖୋଜି ପାଉ ନ ଥିବା ହେତୁ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଥାନାକୁ ଡାକି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର