ମୁଖ୍ୟ ସଚିବ ପାହ୍ୟାର ତିନି ଅଧିକାରୀଙ୍କ ଭିଆରଏସ୍‌ ନେଇ ଚର୍ଚ୍ଚା : ସ୍ବେଚ୍ଛାକୃତ ଅବସର କାହିଁକି?

ଭୁବନେଶ୍ବର : ପୁଲିସ ଡିଜି ପଦରୁ ସ୍ବେଚ୍ଛାକୃତ ଅବସର ନେଲେ ଡା. ଆର୍‌.ପି ଶର୍ମା। ମେ, ୨୦୨୦ରେ କାର୍ଯ୍ୟକାଳ ଶେଷ ହେଉଥିଲେ ହେଁ ସେ ଆଗୁଆ ସ୍ବେଚ୍ଛାକୃତ ଅବସର ନେଇଗଲେ। କୁହାଗଲା ରାଜ୍ୟ ସରକାର ଲୋକୟୁକ୍ତ ନିଯୁକ୍ତି ଦେଲେ ବୋଲି ସେ ସ୍ବେଚ୍ଛାକୃତ ଅବସର ନେଲେ। କିନ୍ତୁ ଶ୍ରୀ ଶର୍ମା ତାଙ୍କ ସ୍ବେଚ୍ଛାକୃତ ଅବସରର କାରଣ କହିଛନ୍ତି ଯେ, ତାଙ୍କ ପତ୍ନୀଙ୍କ ବିୟୋଗ ପରେ ମାନସିକ ଚାପରେ ଥିବାରୁ ସେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ।

୧୯୮୬ ବ୍ୟାଚ୍ ଆଇଏଏସ୍ ତଥା ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏଲ୍‌.ଏନ୍ ଗୁପ୍ତା ଚଳିତ ମାସରେ ଅବସର ନେବାର ଥିଲା। କିନ୍ତୁ ସେ ହଠାତ୍ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରି ଛୁଟିରେ ପଳାଇଛନ୍ତି।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ୩ବର୍ଷ ୯ମାସ କାଳ ରାଜ୍ୟର ପ୍ରଶାସନିକ ମୁଖ୍ୟ ପଦବିରେ ରହିବା ପରେ ଚଳିତ ମାସରେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କଲେ। ଅଗଷ୍ଟ ୧୯ରୁ ତାଙ୍କୁ ସ୍ବେଚ୍ଛାକୃତ ଅବସର ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ। ତାଙ୍କର କାର୍ଯ୍ୟକାଳ ଫେବ୍ରୁଆରି, ୨୦୨୦ରେ ସରିଥାନ୍ତା। ଏହି ସ୍ବେଚ୍ଛାକୃତ ଅବସରର କାରଣ ନେଇ ଶ୍ରୀ ପାଢ଼ୀ କହିଛନ୍ତି ଯେ, ତାଙ୍କର ଆଉ ୬ମାସ ଚାକିରି ଥିବା ବେଳେ ରାଜ୍ୟ ସରକାର ତାଙ୍କୁ ମୁଖ୍ୟ ନିର୍ବାଚନ କମିସନ ଭାବେ ନିଯୁକ୍ତି ଦେଲେ। ୬ମାସ ଚାକିରି ଅପେକ୍ଷା ୫ବର୍ଷ ସାମ୍ବିଧାନିକ ପଦବିରେ ରହିବାର ସୁଯୋଗ ମିଳିଥିବାରୁ ସେ ସ୍ବେଚ୍ଛାକୃତ ଅବସର ନେ‌ବାକୁ ଆବେଦନ କଲେ।

୧୯୮୫ ବ୍ୟାଚ୍‌ର ଆଇଏଏସ୍ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଧିକାରୀ ଗଗନ ଧଳଙ୍କୁ କୃଷି ଉତ୍ପାଦନ କମିସନର ପଦରୁ ହଟାଯିବାର ୨୪ଘଣ୍ଟା ମଧ୍ୟରେ ସେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ଗଗନ ଧଳଙ୍କର ଜାନୁଆରି,୨୦୨୦ରେ କାର୍ଯ୍ୟକାଳ ସରୁଥିବା ବେଳେ ସେ ବି ହଠାତ୍ ସ୍ବେଚ୍ଛାକୃତ ଅବସର ପାଇଁ କାହିଁକି ଆବେଦନ କଲେ ସେ ନେଇ ଚାଲିଛି ଚର୍ଚ୍ଚା।

ଗଗନ ଧଳଙ୍କ ସ୍ବେଚ୍ଛାକୃତ ଅବସର ଆବେଦନ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିଛି। ତାଙ୍କ ଠାରୁ କନିଷ୍ଠ ୧୯୮୬ ବ୍ୟାଚ୍‌ର ଅସିତ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ଏବଂ ସୁରେଶ ମହାପାତ୍ରଙ୍କୁ ଉନ୍ନୟନ କମିସନର ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ତାଙ୍କୁ କୃଷି ଉତ୍ପାଦନ କମିସନର ପଦରୁ ହଟାଇ କୌଣସି ନିଯୁକ୍ତି ‌ଦିଆଯାଇନ ଥିବାରୁ ସେ ଅପମାନ ବୋଧ କରି ସ୍ବେଚ୍ଛାକୃତ ଅବସର ନେବାକୁ ଆବେଦନ କରିଛନ୍ତି ବୋଲି ମଧ୍ୟ କେତେକ ମହଲରେ ଚର୍ଚ୍ଚା ହେଉଛି। ଏହା ମଧ୍ୟ ଶୁଣାଯାଉଛି ଯେ, ଶ୍ରୀ ଧଳ ଅସନ୍ତୁଷ୍ଟ ଥିବାରୁ ତାଙ୍କୁ ମନାଇବା ପାଇଁ ରାଜ୍ୟ ସରକାର ତାଙ୍କୁ ସୂଚନା କମିସନର ଭାବେ ନିଯୁକ୍ତି ଦେଇପାରନ୍ତି। କିନ୍ତୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଶ୍ରୀ ଧଳ ନିଜର ବ୍ୟକ୍ତିଗତ ଓ ପାରିବାରିକ କାରଣ ଦୃଷ୍ଟିରୁ ସରକାରୀ ଚାକିରିରୁ ଇସ୍ତଫା ଦେବା ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କୁ ଅନୁମତି ମାଗିଛନ୍ତି। ଅଗଷ୍ଟ ୬ରେ ଶ୍ରୀ ଧଳ ଏ ବିଷୟରେ ଦରଖାସ୍ତ ମୁଖ୍ୟ ଶାସନ ସଚିବଙ୍କୁ ପଠାଇଛନ୍ତି। ଏହା ବର୍ତ୍ତମାନ ସରକାରଙ୍କ ବିଚାରାଧୀନ ଅଛି।

ଅଗଷ୍ଟ ମାସରେ ରାଜ୍ୟ ସରକାରଙ୍କର ୪ଜଣ ବଡ଼ ବାବୁ ଏଭଳି ହଠାତ୍ ସ୍ବେଚ୍ଛାକୃତ ଅବସର ନେବା ନେଇ ବିଭିନ୍ନ ମହଲରେ ଜୋର୍ ଚର୍ଚ୍ଚା ଚାଲିଛି। ଏମିତି କ’ଣ ପରିସ୍ଥିତି ଉପୁଜିଲା ଯେ, ହଠାତ୍ ପ୍ରଶାସନିକ ମୁଖିଆମାନେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କଲେ? ଏବେ ଯେଉଁ ପଦରେ ନିଯୁକ୍ତି ଦିଆଯାଉଛି ତାହା କ’ଣ ଅବସର ପରେ ଦିଆଯା‌ଇପାରିନଥାନ୍ତା, ନା ବାବୁମାନେ ଅବସର ପରେ ବି ପଦବି ମିଳିବ କି ନମିଳିବ ସେ ସନ୍ଦେହରେ ଏବେଠୁ ସରକାର ଦେଉଥିବା ନିଯୁକ୍ତି ପାଇଁ ଆଗୁଆ ସ୍ବେଚ୍ଛାକୃତ ଅବସର ନେଇଗଲେ।

ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ନୂଆ ନିଯୁକ୍ତି ପାଇବା ନୂଆ କଥା ନୁହେଁ। କାରଣ ଏହା ପୂର୍ବରୁ ୟୁ.ଏନ୍ ବେହେରା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବାବେଳେ ସେ ସ୍ବେଚ୍ଛାକୃତ ଅବସର ନେଇ ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରି କମିସନ (ଓଇଆରସି) ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଥିଲେ। ଏପରିକି ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରି ଅବସର ନେବା ପରେ ଅଜିତ୍ ତ୍ରିପାଠୀ, ଉନ୍ନୟନ କମିସନର ଭାବେ କାର୍ଯ୍ୟ କରି ଅବସର ନେବା ପରେ ରବି ନାରାୟଣ ସେନାପତି ମୁଖ୍ୟ ନିର୍ବାଚନ ଅଧିକାରୀ ହୋଇଥିଲେ। ତରୁଣକାନ୍ତିି ମିଶ୍ର ବି ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବା ପରେ ସୂଚନା କମିସନର ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ଏବେ ବଡ଼ ବାବୁମାନେ ଚାକିରିରୁ ହଠାତ୍ ସ୍ବେଚ୍ଛାକୃତ ଅବସର ନେଇ ନୂଆ ନିଯୁକ୍ତି ପାଇବା ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର