ରାଜନୀତିରେ ଫସିଲା ଆଇଜର : ଶିଳାନ୍ୟାସ ନୁହେଁ, କେବଳ ଘୋଷଣା

ମୋଦୀଙ୍କ ପାଇଁ ବଦଳିଲା କାର୍ଯ୍ୟକ୍ରମ, ଜାନୁଆରି ୧୬ରେ ଶିଳାନ୍ୟାସ ହୋଇପାରେ

ବ୍ରହ୍ମପୁର : ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ବ୍ଲକ କନିଷି ନିକଟସ୍ଥ ‌ଲଉଡ଼ିଗାଁ ଠାରେ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନ(ଆଇଜର)ର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ହେବ। ଆସନ୍ତା ୨୪ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋର୍ଦ୍ଧା ଗସ୍ତରେ ଆସି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଏହି କାର୍ଯ୍ୟକ୍ରମରେ ପରବର୍ତ୍ତନ କରା ଯାଇଥିବା ଚର୍ଚ୍ଚା ଧରିଛି। ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ନ କରି ସ୍ଥାୟୀ କ୍ୟାମ୍ପସ ସମ୍ପର୍କରେ କେବଳ ଘୋଷଣା କରିବେ ବୋଲି କୁହାଯାଉଛି। ଆଇଜର ପକ୍ଷରୁ ବଣ୍ଟା ଯାଇଥିବା ନିମନ୍ତ୍ରଣ ପତ୍ର ହିଁ ଏହା ସୂଚାଇଛି। ମିଳିଥିବା ସୂଚନା ଅନୁସାରେ, ଜାନୁୟାରୀ ୧୬ରେ ପ୍ରଧାନମନ୍ତ୍ରୀ ବ୍ରହ୍ମପୁର ଆସିବେ ଓ ସେହି ସମୟରେ ଆଇଜର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିବେ।

ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଖୋର୍ଧା ଆସୁଛନ୍ତି। ଏହି କ୍ରମରେ ଆଇଜର ସ୍ଥାୟୀ କ୍ୟାମ୍ପସ୍‌ର ଶିଳାନ୍ୟାସ ଅନ୍ୟତମ ଥିଲା। ଏପରିକି ଦୁଇ ଦିନ ତଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆଇଜର କ୍ୟାମ୍ପସ୍‌ର ଶିଳାନ୍ୟାସ କରିବେ ବୋଲି କୁହା ଯାଇଥିଲା। ସେ ଅନୁଯାୟୀ ମଧ୍ୟ ଆଇଜର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। କିନ୍ତୁ ଆଇଜର ପକ୍ଷରୁ ଶନିବାର ଯେଉଁ ନିମନ୍ତ୍ରଣ ପତ୍ର ବଣ୍ଟାଯାଉଛି, ସେଥିରେ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ ସମ୍ପର୍କରେ ସୂଚନା ‌ନାହିଁ। ସେଥିରେ ଆଇଜରର ସ୍ଥାୟୀ ପରିସର ଘୋଷଣା ଉତ୍ସବ ‌ବୋଲି ଉଲ୍ଲେଖ ରହିଛି। ତେବେ ଏ ସମ୍ପର୍କରେ ଆଇଜର କର୍ତ୍ତୃପକ୍ଷ ବି ମୁହଁ ଖୋଲୁ ନାହାନ୍ତି।

୨୦୧୬ରୁ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନ(ଆଇଜର) ବ୍ରହ୍ମପୁର ସରକାରୀ ଆଇଟିଆଇ ପରିସରରେ ଅସ୍ଥାୟୀ କ୍ୟାମ୍ପସ୍‌ରେ ଚାଲୁଛି। ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ବାରା ପରିଚାଳିତ ଏହି ଶିକ୍ଷାନୁଷ୍ଠାନରେ ୫ବର୍ଷିଆ ବିଏସ୍‌-ଏମ୍‌ସ୍‌ ଏବଂ ପିଏଚ୍‌ଡି ପାଠ୍ୟକ୍ରମ ରହିଛି। ବର୍ତ୍ତମାନ ୨୫୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହି ଶିକ୍ଷାନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ ବ୍ରହ୍ମପୁର ଠାରୁ ୧୫ କିମି ଦୂର କିନିଷି ନିକଟସ୍ଥ ଲଉଡିଗାଁ ଠାରେ ପ୍ରତିଷ୍ଠା ହେବ। ଏଥିଲାଗି ୨ଶହ ଏକର ୪୩୫ ଡେସିମିଲ ଜମି ଚିହ୍ନଟ ହୋଇଛି। ୧୮୫୫ଜଣ ଛାତ୍ରଛାତ୍ରୀ ରହି ପଢିବା ଭଳି ଏହି ଶିକ୍ଷାନୁଷ୍ଠାନର କ୍ୟାମ୍ପସ ହେବ। କ୍ୟାମ୍ପସ ନିର୍ମାଣ ଲାଗି କେନ୍ଦ୍ର ସରକାର ୧୫୮୨କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଡିସେମ୍ବର ୨୦୨୧ ସୁଦ୍ଧା ସ୍ଥାୟୀ କ୍ୟାମ୍ପସ ନିର୍ମାଣ ଶେଷ ଲାଗି ଲକ୍ଷ୍ୟ ରଖାଯାଇଛି।

ସ୍ଥାୟୀ କ୍ୟାମ୍ପସରେ ରେସିଡେନ୍ସିଆଲ ବ୍ଲକ, ଏକାଡେମିକ ବ୍ଲକ, ଫାକଲ୍‌ଟି କ୍ବାର୍ଟର, କମ୍ପ୍ୟୁଟର ଲ୍ୟାବ, ଅଡିଟୋରିୟମ, ଲାଇବ୍ରେରି, ସେଣ୍ଟ୍ରାଲ ଇନଷ୍ଟ୍ରୁମେଣ୍ଟ ଫେସିଲିଟ୍‌(ସିଆଇଏଫ), କମ୍ପ୍ୟୁନିଟି ସେଣ୍ଟର ଆଦି ରହିବ। ଲଉଡିଗାଁ ସ୍ଥିତ ପ୍ରସ୍ତାବିତ ସ୍ଥାୟୀ କ୍ୟାମ୍ପସ୍ ପରିସରରେ ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ସ୍ଥାୟୀ କ୍ୟାମ୍ପସ୍‌ ଘୋଷଣା କାର୍ଯ୍ୟକ୍ରମର ଭିଡ଼ିଓ କନଫରେନସିଂ ଉତ୍ସବ ଆୟୋଜନ କରାଯାଇଛି। ଏଥିରେ ବ୍ରହ୍ମପୁରର ବିଭିନ୍ନ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀ ଯୋଗ ଦେବେ। ପ୍ରାୟ ୧ହଜାର ଲୋକଙ୍କ ବସିବା ବ୍ୟବସ୍ଥା କରାଯାଇଛି। ବ୍ରହ୍ମପୁର ସହରର ଥିବା ୧୫ଟି ପ୍ରମୁଖ ବିଦ୍ୟାଳୟର ୯ମ ଏବଂ ୧୦ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଉକ୍ତ କାର୍ଯ୍ୟକ୍ରମକୁ ଡକାଯାଇଛି। ଏହି କାର୍ଯ୍ୟକ୍ରମରେ ‌କୌଣସି କେନ୍ଦ୍ରମନ୍ତ୍ରୀ ‌ଯୋଗ ଦେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ବରିଷ୍ଠ ଅର୍ଥନୈତିକ ପରାମର୍ଶଦାତା ସୁବା ରାଓ ‌ଯୋଗଦେଇପାରନ୍ତି।

ସମ୍ବନ୍ଧିତ ଖବର