ସମ୍ବ‌ାଦ ପ୍ରଭାବ: ଦାଦନଙ୍କ ଚାଉଳ ହଡ଼ପ ନେଇ ତନାଘନା

ପିଡିଙ୍କୁ ସ୍ୱତନ୍ତ୍ର ତଦନ୍ତ ଦାୟିତ୍ୱ ଦେଲେ ଜିଲ୍ଲାପାଳ, ବିଡିଓମାନେ ବି ୭ ଦିନରେ ଦେ‌ବେ ରିପୋର୍ଟ

ବଲାଙ୍ଗୀର: ଦାଦନଙ୍କ ଚାଉଳ ଖାଇଲା କିଏ? ଦାଦନ ଫେରିଲେ ଖାଇବେ କଣ? ‘ସମ୍ବାଦ’ର ଲଗାତାର ଅନୁସନ୍ଧାନମୂଳକ ଖବରକୁ ନେଇ ଆରମ୍ଭ ହୋଇଛି ତନାଘନା। ପ୍ରଶାସନର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ଲକ୍ଷେରୁ ଅଧିକ ଦାଦନ ବାହାର ରାଜ୍ୟରେ ଥିବା ବେଳେ ଏଠାରେ ସବୁ ହିତାଧିକାରୀଙ୍କୁ ଦିଆ ସରିଲାଣି ପ୍ରଥମ ଦଫାର ଅଗ୍ରିମ ୩ ମାସର ପିଡିଏସ୍‌ ଚାଉଳ। ଜିଲ୍ଲାରେ ଏନ୍‌ଏଫ୍‌ଏସ୍‌ଏ, ଏସ୍‌ଏଫ୍‌ଏଫ୍‌ଏ ଅଧୀନରେ ସର୍ବମୋଟ ୪ ଲକ୍ଷ ୩୫ ହଜାର ହିତାଧିକାରୀଙ୍କ ପରିବାର ଅଛନ୍ତି। କାଁ ଭାଁ କେତେ ଜଣଙ୍କୁ ଛାଡ଼ି ଶତ ପ୍ରତିଶତ ସମସ୍ତଙ୍କୁ ଚାଉଳ ବଣ୍ଟନ ସରିଥିବା ବିଭାଗୀୟ ରିପୋର୍ଟ କହୁଛି।

ଏ ପଟେ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାର ଚାଉଳ, ଡାଲି ଦିଆଚାଲିଛି ଓ ତାହା ୪୦ ପ୍ରତିଶତ ବଣ୍ଟନ ସରିଲାଣି। ଏ ସବୁ ଭିତରେ ଦାଦନ ପରିବାର ଫେରି ନ ଥିବା ବେଳେ ସେମାନଙ୍କ ଚାଉଳ ନେଲା କିଏ ଏ ପ୍ରଶ୍ନ ଉଠିବା ସ୍ୱାଭାବିକ। ଏନ୍‌ଏଫ୍‌ଏସ୍‌ଏର ଏତେ ସବୁ ନିୟମ ସତ୍ୱେ ଏହା ସମ୍ଭବ ହେଲା କିପରି? ବାହାର ରାଜ୍ୟରେ ଥାଇ କେମିତି ଦାଦନ ଉଠାଇନେଲେ ଚାଉଳ? ସରକାରୀ ଅଧିକାରୀ, କର୍ମଚାରୀଙ୍କ ଦୁର୍ନୀତି ଏବେ ପ୍ରଶାସନକୁ ଅଡୁଆରେ ପକାଇଛି। ଉପରମହଲର ନିର୍ଦ୍ଦେଶ ପରେ ଚେଇଁଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳ ତାଙ୍କ ଚିଠି ନଂ-୩୫୪୪ ଓ ଚିଠି ନଂ-୩୫୪୬ ତାରିଖ ୧୨/୫/୨୦୨୦ରେ ବଲାଙ୍ଗୀର ଜିଲ୍ଲାର ସମସ୍ତ ବ୍ଲକ୍‌ ବିଡିଓ, ପୌରାଞ୍ଚଳ ନିର୍ବାହୀ ଅଧିକାରୀଙ୍କୁ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଦାଦନଙ୍କ ଚାଉଳ କିଏ ଖାଇଛି ତାହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ସତ୍ୟତା ଖୋଜି ବାହାର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ୭ ଦିନ ଭିତରେ ଅଧିକାରୀମାନଙ୍କୁ ରିପୋର୍ଟ ଦେବାକୁ ଜିଲ୍ଲାପାଳ ଚିଠିରେ ଉଲ୍ଲେଖ କରିଛନ୍ତି। ସେହିପରି ବଲାଙ୍ଗୀର ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଡ. ମହେଶ୍ୱର ସ୍ୱାଇଁଙ୍କୁ ଜିଲ୍ଲାରେ ଦାଦନ ଶ୍ରମିକଙ୍କ ଚାଉଳ କିଏ ଖାଇଛି ସେହି ପ୍ରସଙ୍ଗରେ ସବିଶେଷ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଅରିନ୍ଦମ ଡାକୁଆ କହିଛନ୍ତି, ଦାଦନଙ୍କ ଚାଉଳ ଦୁର୍ନୀତିକୁ ନେଇ ତଦନ୍ତ କରିବାକୁ ପିଡିଙ୍କୁ କୁହାଯାଇଛି। ରିପୋର୍ଟ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର