ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ: କେସ୍ ଡାଏରି ଦେଖିପାରିବେନି ଅଭିଯୁକ୍ତ

କଟକ : ଅଭିଯୁକ୍ତ ‌ପୁଲିସର କେସ୍ ଡାଏରି ଦେଖି ପାରିବେନି କି ତାହାର କପି ବି ନେଇପାରିବେନି। ଏକ ମାମଲାର ବିଚାର କରି ହାଇକୋର୍ଟ ଗୁରୁବାର ଦିନ ଏଭଳି କଡ଼ା ନିର୍ଦ୍ଦେଶ ଦେବା ସହିତ ଏ ଦିଗରେ ପଦକ୍ଷେପ ନେବାକୁ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅପରାଧିକ ମାମଲାରେ କେସ୍ ଡାଏରିର କପି ଅଭିଯୁକ୍ତଙ୍କ ହାତରେ ପଡ଼ିବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଫୌଜଦାରୀ କାର୍ଯ୍ୟବିଧି ସଂହିତା (ସିଆର୍‌ପିସି)ର ଧାରା ୧୭୨ ଅନୁସାରେ, କେସ୍ ଡାଏରି ଦେଖିବା ବା ଏହାର କପି ପାଇବା ଅଭିଯୁକ୍ତର ଅଧିକାର ପରିସରଭୁକ୍ତ ନୁହେଁ। ଏକ ମାମଲାରେ ଅଭିଯୁକ୍ତ ପକ୍ଷରୁ କେବଳ କେସ୍ ଡାଏରି ଦେଖା ଯାଇ ନଥିଲା, ଏହାର କପି ହାସଲ ପରେ ହାଇକୋର୍ଟରେ ଜାମିନ ଆବେଦନ ସହିତ ସଂଲଗ୍ନ କରି ଦାଖଲ କରାଯାଇଥିଲା। ସିଆର୍‌ପିସିରେ ଥିବା ବ୍ୟବସ୍ଥା ଅଭିଯୁକ୍ତକୁ ନିରପେକ୍ଷ ଟ୍ରାଏଲ୍‌ ପାଇଁ ଅଧିକାର ଦେଇଛି। କିନ୍ତୁ ଏହାର ମାନେ ନୁହେଁ ଯେ ଅଭିଯୁକ୍ତ ଆଇନ ବିରୋଧରେ ଯାଇ ଅସାଧୁ ସୁବିଧା ନେବ ବୋଲି ହାଇକୋର୍ଟ କହିଛନ୍ତି। ଏହି ପ୍ରସଂଗରେ ସଂପୃକ୍ତ ସମସ୍ତେ ମାମଲାକୁ ସବୁ ଦୃଷ୍ଟିରୁ ଗୁରୁତ୍ବର ସହିତ ନେବା ଉଚିତ। ସଂପୃକ୍ତ ସମସ୍ତ ଅଦାଲତ ସହିତ କୋର୍ଟ ସବ୍‌ଇନ୍ସପେକ୍ଟର (ସିଏସ୍‌ଆଇ) ଓ ତଦନ୍ତକାରୀ ଅଧିକାରୀ କେସ୍ ଡାଏରି ପ୍ରସଂଗକୁ ଗୁରୁତ୍ବର ସହିତ ଦେଖିବା ଉଚିତ। ତଦନ୍ତକାରୀ ସଂସ୍ଥା/ପ୍ରସିକ୍ୟୁସନର କେଉଁ ରେକର୍ଡ ପାଇବାକୁ ଅଭିଯୁକ୍ତ ଯୋଗ୍ୟ ଓ କେଉଁ ରେକର୍ଡ ପାଇବା ପାଇଁ ଅଯୋଗ୍ୟ ସେ ନେଇ ସବୁ ଅଦାଲତ, ଦାୟିତ୍ବରେ ଥିବା ପୁଲିସ ଅଧିକାରୀ ଅବଗତ ହେବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ଏଭଳି ସ୍ଥିତିରେ ଉପଯୁକ୍ତ ନିର୍ଦ୍ଦେଶନାମା ଜାରି ପାଇଁ ପ୍ରାଶାସନିକ ସ୍ତରରେ ଏହି ପ୍ରସଂଗ ହାଇକୋର୍ଟଙ୍କ ନି‌କଟରେ ରେଜିଷ୍ଟ୍ରାର୍‌ (ଜୁଡିସିଆଲ) ଉପସ୍ଥାପନ କରିବେ। ଏଥିସହିତ ସିଆର୍‌ପିସିର ଧାରା ୧୭୨ରେ ଥିବା ବ୍ୟବସ୍ଥା ସବୁ ପୁଲିସ ଅଧିକାରୀଙ୍କ ଦ୍ବାରା ପାଳନ ସୁନିଶ୍ଚିତ କରିବା ପାଇଁ ପୁଲିସ ଡିଜି ଉପଯୁକ୍ତ ନିର୍ଦ୍ଦେଶନାମା ଜାରି କରିବେ। ଏହି ପ୍ରସଂଗରେ ପୁଲିସ ଡିଜି ଗ୍ରହଣ କରିବାକୁ ଥିବା ନିର୍ଦ୍ଦେଶ ସଂକ୍ରାନ୍ତରେ ହାଇକୋର୍ଟଙ୍କୁ ଅବଗତ କରାଯିବ। ଜଷ୍ଟିସ୍‌ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶକ୍ତି ସିଂଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସଂକ୍ରାନ୍ତରେ ସବୁ ଜିଲ୍ଲା ଜଜ୍‌ଙ୍କୁ ରେଜିଷ୍ଟ୍ରି ତରଫରୁ ଅବଗତ କରାଯାଇଛି। କେସ୍ ଡାଏରି ଯେପରି ଅଭିଯୁକ୍ତ ଦେଖି ନ ପାରିବେ ଓ ଏହାର କପି ଯେପରି ହାସଲ କରି ନ ପାରିବେ ତାହା ସୁନିଶ୍ଚିତ କରିବା ପ୍ରସଂଗରେ ପଦକ୍ଷେପ ଗ୍ରହଣ ପାଇଁ ସବୁ ଜିଲ୍ଲା ଜଜଙ୍କୁ ହାଇକୋର୍ଟ ରେଜିଷ୍ଟ୍ରି ତରଫରୁ ଚିଠି କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ହାଇକୋର୍ଟରେ ଦାୟର ନିୟମିତ ଜାମିନ ଆବେଦନ ସହିତ ଅଭିଯୁକ୍ତ କେସ୍ ଡାଏରିର କପି ସଂଲଗ୍ନ କରିଥିଲେ। ଅଭିଯୁକ୍ତଙ୍କ ହାତରେ କେନ୍ଦୁଝର ଜିଲ୍ଲାର ରୁଗୁଡ଼ି ଥାନାର କେସ୍ ଡାଏରି ପଡ଼ିବା ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାର ଶୁଣାଣି କରି ହାଇକୋର୍ଟ ଏହିପରି ରାୟ ଦେଇଛନ୍ତି।

ସମ୍ବନ୍ଧିତ ଖବର