କାହା ସ୍ବାର୍ଥରେ ବିଦ୍ୟୁତ୍‌ ନିୟାମକ ଆୟୋଗ: ବିଜୁଳି ବିଲ୍‌ରେ ଇନ୍ଦ୍ରଜାଲ!

ଜଟିଳତା ଭର୍ତ୍ତି, ଉପଭୋକ୍ତା କେମିତି ବୁଝିବ?, ରାଜ୍ୟ ସରକାରଙ୍କ ଖାଉଟି କଲ୍ୟାଣ ବିଭାଗ ନିରବ

ଭୁବନେଶ୍ବର: କେଉଁଠି ମିଞ୍ଜି ମିଞ୍ଜି ହୋଇ ଜଳୁଛି ତ ଆଉ କେଉଁଠି ମନଇଚ୍ଛା ବିଦ୍ୟୁତ କାଟ୍ ଚାଲିଛି। ସେସବୁ ଉପଭୋକ୍ତାମାନେ କିନ୍ତୁ ସେତିକି ଦରରେ ବିଲ୍ ଦେଇ ଚାଲିଛନ୍ତି, ଯେଉଁ ହାରରେ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ପାଉଥିବା ଉପଭୋକ୍ତା ଦେଉଛନ୍ତି। ଓଡ଼ିଶାରେ ପ୍ରାୟ ୨୫ ପ୍ରତିଶତ ଲୋକ ଏବେ ବି ସାକ୍ଷରତା ଠାରୁ ଦୂରରେ। ସରକାର ସବୁ ଘରକୁ ବିଜୁଳି ଯୋଗାଇଥିବା ଦାବି କରୁଛନ୍ତି। ଏଭଳିସ୍ଥଳେ ବଣ୍ଟନ କଂପାନିମାନେ ଯେଉଁ ବିଜୁଳି ବିଲ୍ ଦେଉଛନ୍ତି ଏବଂ ଆପ୍ ଜରିଆରେ ଲୋକଙ୍କୁ ଦେୟ ପୈଠ ପାଇଁ ପ୍ରବର୍ତ୍ତାଉଛନ୍ତି, ତାହା ଇଂରାଜିରେ ପ୍ରସ୍ତୁତ ହୋଇଛି।

ଆପଣଙ୍କ ମିଟର ଠିକ୍ ନାହିଁ। ଏମିତି ଅଭିଯୋଗ ଆଣି ଉପଭୋକ୍ତାଙ୍କୁ ମିଟର ବଦଳାଇବା ପାଇଁ ବାଧ୍ୟ କରୁଛନ୍ତି ଅଧିକାରୀ। ହେଲେ ମିଟର ଠିକ୍ ଅଛି କି ନାହିଁ, ସେ ସଂପର୍କରେ ଅଭିଯୋଗ ପରୀକ୍ଷା ପାଇଁ ଉପଭୋକ୍ତାମାନଙ୍କ ପାଖରେ ବଣ୍ଟନ କଂପାନି ଛଡ଼ା ଅନ୍ୟ କୌଣସି ବିକଳ୍ପ ଅଛି କି? ଏ ତୃତୀୟ ପକ୍ଷଟି କିଏ, ଯାହା ପାଖରେ ଉପଭୋକ୍ତା ନିଜର ମିଟର ଯାଞ୍ଚ କରିପାରିବ? ଏମିତି ମାଳ ମାଳ ପ୍ରଶ୍ନ ଏବେ ରାଜ୍ୟର ଅଧିକାଂଶ ବିଦ୍ୟୁତ ଉପଭୋକ୍ତାଙ୍କୁ ଘାରିଲାଣି। ପ୍ରତିମାସରେ ଉପଭୋକ୍ତାଙ୍କୁ ଦିଆଯାଉଥିବା ବିଜୁଳି ବିଲ୍ ଏଭଳି ଢଙ୍ଗରେ ପ୍ରସ୍ତୁତ ହେଉଛି ଯେକୌଣସି ଲୋକ ତାହାକୁ ବୁଝିବା କାଠିକର ପାଠ। ବିଜୁଳି ବିଭାଗ ସହିତ ଜଡ଼ିତ ଅଧିକାଂଶ ବ୍ୟକ୍ତି ଏବଂ ବିଜୁଳି ବିଲ୍ ଆଦାୟ କରିବାକୁ ଆସୁଥିବା ଅଧିକାରୀ ମଧ୍ୟ ଉପଭୋକ୍ତାଙ୍କ ସନ୍ଦେହମୋଚନ କରିପାରୁନାହାନ୍ତି।

ଅପରପକ୍ଷରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ପ୍ରତିବର୍ଷ ଜନଶୁଣାଣି ଆଧାରରେ ବିଜୁଳି ଶୁଳ୍କ ଧାର୍ଯ୍ୟ କରୁଥିଲେ ହେଁ, ଉପଭୋକ୍ତାଙ୍କ ସ୍ବାର୍ଥକୁ କେତେ ଗୁରୁତ୍ବ ଦେଉଛନ୍ତି, ତାହା ଭାତ ହାଣ୍ଡିରୁ ଗୋଟିଏ ଚିପାଯିବା ଭଳି ଏହି ପ୍ରସଙ୍ଗକୁ ନେଲେ ଅତି ସହଜରେ ବୁଝାପଡୁଛି। ରାଜ୍ୟର ପ୍ରାୟ ଏକ କୋଟି ବିଦ୍ୟୁତ ଉପଭୋକ୍ତାଙ୍କ ସହିତ ଯୋଡି ହୋଇଥିବା ଅତି ସମ୍ବେଦନଶୀଳ ଏହି ପ୍ରସଙ୍ଗ ଉପରେ ସମସ୍ତେ ବେଫିକର। ଆସନ୍ତା ସପ୍ତାହରେ ସମ୍ଭବତଃ ଆୟୋଗ ୨୦୨୨-୨୩ ବର୍ଷ ଲାଗି ବିଜୁଳି ଦର ନିର୍ଧାରଣ କରିବେ। ବିଜୁଳି ଦର କମାଇବା ଲାଗି ସାଧାରଣ ଉପଭୋକ୍ତାଙ୍କ ଭିତରେ ଯେଭଳି ଜାଗରଣ ସୃଷ୍ଟି ହେଲାଣି, ଠିକ୍ ସେମିତି ବିଜୁଳି ବିଲ୍‌ ଓ ସେ ସଂପର୍କିତ ସବୁ ପ୍ରସଙ୍ଗ ଉପରେ ଯଦି ଆୟୋଗ ପଦକ୍ଷେପ ନ ନିଅନ୍ତି, ତେବେ ଆସନ୍ତା ଦିନରେ ବିଜୁଳି କେଳେଙ୍କାରୀ ଏକ ଭୀଷଣ ଆନ୍ଦୋଳନର ରୂପ ନେବ, ଏ ସମ୍ଭାବନା ଏଡ଼ାଇ ଦେଇ ହେଉନାହିଁ।

ବିଜୁଳି ବିଲ୍‌କୁ ନିରେଖି ଦେଖିବା ପରେ ଶକ୍ତି ସମୀକ୍ଷକମାନେ ଯେଉଁ ଗୁରୁତ୍ବପୂର୍ଣ୍ଣ ଦିଗକୁ ଇଙ୍ଗିତ କରୁଛନ୍ତି, ତାହା ବିଚଳିତ କଲାଭଳି। ନିୟମ ଅନୁସାରେ, ଗୋଟିଏ ମାସ ପୂରଣ ହେବା ମାତ୍ରେ, ବିଜୁଳି ବିଲ୍ ଉପଭୋକ୍ତାକୁ ଧରାଇବା ଦାୟିତ୍ବ ସଂପୃକ୍ତ ବଣ୍ଟନ କଂପାନିମାନଙ୍କର। ହେଲେ ଆଜି ଦିନରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରତିମାସରେ ବିଲିଂ ହୋଇପାରୁନାହିଁ। ଓଲଟା ଆନୁପାତିକ ହାରରେ ବିଲ୍ ଦିଆଯାଉଛି। ଉପଭୋକ୍ତାମାନେ ଧାର୍ଯ୍ୟ ବିଜୁଳି ବିଲ୍‌ର ଗାଣିତିକ ଜଟିଳତା ଭିତରେ ପଶିପାରୁନାହାନ୍ତି ଓ ବିଲକୁ ନେଇ ସେମାନଙ୍କ ଭିତରେ ସନ୍ଦେହ ବଢ଼ିବା ସ୍ବାଭାବିକ। ଦ୍ବିତୀୟତଃ, ବିଦ୍ୟୁତ ବିଲ୍‌କୁ ସ୍ପଷ୍ଟ ଏବଂ ଅତି ସରଳ ଓଡ଼ିଆ ଭାଷାରେ ଦେବା ଲାଗି ଆୟୋଗ ନିର୍ଦେଶ େଦଇଛନ୍ତି। ହେଲେ ଏହାର ଖୋଲା ଉଲ୍ଲଂଘନ ଚାଲିଛି ଓ ଆୟୋଗ ନିରବଦ୍ରଷ୍ଟା ସାଜିଛନ୍ତି। ଅନ୍ୟ ଦିଗଟି ହେଲା, ଉପଭୋକ୍ତାଙ୍କୁ ଦିଆଯାଉଥିବା ବିଜୁଳି ବିଲ୍‌ରେ ପୂରା ଶବ୍ଦ ପରିବର୍ତେ ସାଙ୍କେତିକ ବା ସଂକ୍ଷିପ୍ତ ଶବ୍ଦ ବ୍ୟବହାର କରାଯାଉଛି। ଉପଭୋକ୍ତା କିଭଳି ବୁଝିବେ? ବିଦ୍ୟୁତ ବିଲ୍‌ ସ୍ପଷ୍ଟ ଭାବେ ଲେଖାଯିବା ବିଧେୟ। କିନ୍ତୁ ବାସ୍ତବତା ହେଲା ଏହି ଛୋଟିଆ କାଗଜଟି କେବଳ ମାଳ ମାଳ ଅକ୍ଷରପୁଞ୍ଜରେ ଓ ସଂଖ୍ୟାରେ ଭର୍ତ୍ତି। ଧର୍ଯ୍ୟର ସହିତ ଏହାକୁ ପଢ଼ିବା ମୁସ୍କିଲ୍, ବୟସ୍କ ଏବଂ ବରିଷ୍ଠଙ୍କ କଥା ନ କହିବା ଭଲ। ସବୁଠାରୁ ବଡ଼ କଥା ହେଲା, ଓଇଆରସିଙ୍କ ଅନୁମୋଦିତ ଏବଂ ବିଜ୍ଞପିତ ଆଦେଶ ଅନୁସାରେ ବିଭିନ୍ନ ବର୍ଗର ଉପଭୋକ୍ତାଙ୍କ ପାଇଁ ହାରାହାରି ବିଦ୍ୟୁତ ଦର ନିର୍ଧାରଣ ହୋଇଥାଏ। ହେଲେ ବିଜ୍ଞପିତ ବିଦ୍ୟୁତ ଦେୟ ଠାରୁ ଢେର୍ ଅଧିକ ଦରରେ ବିଲିଂ ହେଉଥିବା ଅଭିଯୋଗ ହେଲାଣି। ଏହି ଆଳରେ ଉପଭୋକ୍ତାଙ୍କୁ ଶୋଷଣ କରାଯାଉଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ହସ୍ତହତ ହୋଇଛି। ଆୟୋଗ ଚୁପ୍ କେମିତି ବସିବେ?

ସେହିଭଳି ଭୁଲ୍ ବିଲ୍ ସଂପର୍କରେ ଉପଭୋକ୍ତାମାନେ କେଉଁଠି ଓ କିପରି ଅଭିଯୋଗ ଦାୟର କରିବେ, ତାର କୌଣସି ସୂଚନା ବିଲ୍‌ରେ ନାହିଁ। ବିଦ୍ୟୁତ ଆଇନର ବ୍ୟବସ୍ଥା ଅନୁଯାୟୀ ବଣ୍ଟନ କଂପାନିମାନେ ଓଇଆରସିଙ୍କ ଅନୁମତି କ୍ରମେ ଉପଭୋକ୍ତା ଅଭିଯୋଗ ସମାଧାନ ମଞ୍ଚ ବା ଜିଆର୍‌ଏଫ୍ ଏବଂ ଅମ୍ବୁଡସ୍୍ମ୍ୟାନ୍ ବା ଲୋକପାଳ ଗଠନ କରିବା କଥା। ହେଲେ ବିଲ୍‌ରେ ଏ ତଥ୍ୟ କାହିଁକି ଦିଆଯାଉନାହିଁ? ସର୍ବୋପରି କେତେ ଦିନ ଭିତରେ ବିଦ୍ୟୁତ ବିଲ୍‌ ସମସ୍ୟା ସମାଧାନ ହେବ, ତାହାକୁ କିଏ ନିର୍ଧାରଣ କରିବେ?
ସେହିଭଳି ରାଜ୍ୟ ସରକାରଙ୍କର ଖାଉଟି କଲ୍ୟାଣ ବିଭାଗ ରହିଛି। ସରକାର ଏକ ଓଜନ ଏବଂ ମାପକ ନିର୍ଦେଶାଳୟ ଗଠନ କରିଛନ୍ତି। ଏହି ନିର୍ଦେଶାଳୟ କାହା ପାଇଁ କାମ କରୁଛି? ବିଦ୍ୟୁତ ଉପଭୋକ୍ତାମାନେ ଯେବେ ଦିନ ଦି’ପହରେ ଶୋଷିତ ହେଉଛନ୍ତି, ସେବେ ଏ କ୍ଷେତ୍ରରେ ଏହି ସଂସ୍ଥା କି ଦାୟିତ୍ବ ତୁଲାଉଛନ୍ତି?

ଏଠାରେ ଉଲ୍ଲେଖଥାଉକି, ବିଜୁଳି ଦର ନିର୍ଧାରଣ କ୍ଷେତ୍ରରେ ଆୟୋଗ ଯେତିକି ତତ୍ପରତା ଦେଖାଉଛନ୍ତି, ଉପଭୋକ୍ତାଙ୍କ ସ୍ବାର୍ଥର ସୁରକ୍ଷା ଦିଗରେ ସେଭଳି ଆଗ୍ରହ ପ୍ରକଟ କରିପାରିନାହାନ୍ତି। ଉପଭୋକ୍ତା ଶୋଷିତ ହେବା କାରଣରୁ କୌଣସି ବଣ୍ଟନ କଂପାନିଙ୍କୁ ଆଖିଦୃଶିଆ ଦଣ୍ଡିତ କରାଯିବାର ନଜିର ନାହିଁ। ସଂପ୍ରତି ରାଜ୍ୟରେ ବିଦ୍ୟୁତ କେଳେଙ୍କାରୀ ପ୍ରସଙ୍ଗ ଏବେ ଜୋର ଧରିଥିବା ପରିପ୍ରେକ୍ଷୀରେ ଆସନ୍ତାଦିନରେ ଏହା ରାଜ୍ୟ ସରକାରଙ୍କ ପାଇଁ ମଧ୍ୟ ବିଷମ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି।

ସମ୍ବନ୍ଧିତ ଖବର