ହାଜତରେ ନାବାଳକକୁ ମାଡ଼ ଘଟଣା : ୩ ପୁଲିସ ଅଧିକାରୀଙ୍କୁ ଦାୟୀ କଲେ ଏସ୍‌ପି

ଭୁବନେଶ୍ବର : ରାଉରକେଲାରେ ଥାନା ହାଜତରେ ଜଣେ ନାବାଳକକୁ ମାଡ଼ ମାରିବା ଘଟଣାରେ ୩ଜଣ ପୁଲିସ ଅଧିକାରୀଙ୍କୁ ବ୍ୟକ୍ତିଗତ ହାଜର ନିର୍ଦେଶ ଦେଇଛି ରାଜ୍ୟ ମାନବାଧିକାର କମିସନ (ଓଏଚ୍‌ଆରସି)। ରାଉରକେଲା ଏସ୍‌ପିଙ୍କ ରିପୋର୍ଟ ଆଧାରରେ ଓଏଚ୍‌ଆରସିର ଦୁଇ ଜଣିଆ ଖଣ୍ଡପୀଠ ଏହି ନିର୍ଦେଶ ଶୁଣାଇଛନ୍ତି।

ରାଉରକେଲା ଟିମ୍ବର କଲୋନି ଅଞ୍ଚଳର ଜଣେ ନାବାଳକକୁ ମୋବାଇଲ ଚୋରି ଘଟଣାରେ ପୁଲିସ ଉଠାଇ ନେଇ ଥାନାରେ ଅଟକ ରଖି ପଚରା ଉଚରା କରିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଓଏଚଆରସି ନିଜ ଆଡ଼ୁ ମାମଲା ରୁଜୁ କରିଥିଲେ। ରାଉରକେଲା ଏସ୍‌ପିଙ୍କୁ ଏଥିପାଇଁ ନୋଟିସ୍ ଜାରି କରିବା ସହିତ ଆଜି ରିପୋର୍ଟ ଦାଖଲ କରିବା ଲାଗି ସମୟ ଦେଇଥିଲେ। ରାଉରକେଲା ଏସ୍‌ପି ଦେଇଥିବା ରିପୋର୍ଟରେ ସ୍ଥାନୀୟ ଥାନାର ୩ଜଣ ପୁଲିସ ଅଧିକାରୀଙ୍କୁ ଦାୟୀ କରିଥିବା ଜଣାପଡ଼ିଛି। ଏସ୍‌ପିଙ୍କ ରିପୋର୍ଟ ଆଧାରରେ ଓଏଚ୍‌ଆରସିର ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ୍ ବିକେ ପଟେଲ ଓ ସଦସ୍ୟ ଅସୀମ ଅମିତାଭ ଦାସ ସଂପୃକ୍ତ ୩ ପୁଲିସ ଅଧିକାରୀଙ୍କୁ ବ୍ୟକ୍ତିଗତ ହାଜର ନିର୍ଦେଶ ଦେଇଛନ୍ତି। ଆସନ୍ତା ମାସରେ ଏହି ମାମଲାର ପରବର୍ତୀ ଶୁଣାଣି କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର