ବଢ଼ିଛି ମକା ଉତ୍ପାଦନ; ଚାଷୀଙ୍କୁ ମିଳୁନି ବଜାର

ଏମ୍‌ଏସ୍‌ପି ମିଳୁ ନ ଥିବାରୁ ରାଜ୍ୟରେ ମକାର ଅଭାବୀ ବିକ୍ରି

ଶୀତଳ ଭଣ୍ଡାର ନାହିଁ କି ପ୍ରାଥମିକ ପ୍ରସେସିଂ ୟୁନିଟ ନାହିଁ
କଳିଙ୍ଗରାଜ ପରେ ଚାଷୀଙ୍କୁ ଆଉ ଏକ କିସମ ଦେବ ଓୟୁଏଟି

ଭୁବନେଶ୍ବର, (ଗାର୍ଗୀ ଶତପଥୀ): ଓଡ଼ିଶାରେ ମକା ଉତ୍ପାଦନ ବଢ଼ିଛି, କିନ୍ତୁ ବିକ୍ରି ପ‌ାଇଁ ମିଳୁନି ବଜାର। ରାଜ୍ୟରେ ହେକ୍ଟର ପିଛା ପ୍ରାୟ ୨୯ରୁ ୩୦ କ୍ବିଣ୍ଟାଲ ମକା ଉତ୍ପାଦନ ହେଉଛି ; ଯାହାକି ଜାତୀୟ ସ୍ତରର ହାରାହାରି ଉତ୍ପାଦନ ସହିତ ସମାନ। କିନ୍ତୁ ମକା ଚାଷ ହେଉଥିବା ଅଞ୍ଚଳରେ ଶୀତଳଭଣ୍ଡାର ନାହିଁ କି ପ୍ରାଥମିକ ପ୍ରସେସିଂ ୟୁନିଟ୍‌ ନାହିଁ। ମଣ୍ଡି ବ୍ୟବସ୍ଥା ମଧ୍ୟ ଦୁର୍ବଳ। ତେଣୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ମିଳୁନଥିବାରୁ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ। ଗତ କିଛିବର୍ଷ ହେଲା କଟକ-ଭୁବନେଶ୍ବର ଭଳି ରାଜ୍ୟର ସହରାଞ୍ଚଳରେ ମିଠା ମକାର ଚାହିଦା ବଢ଼ିଥିଲେ ମଧ୍ୟ ଚାଷୀକୁ ଉଚିତ ମୂଲ୍ୟ ମିଳୁନଥିବା ଅଭିଯୋଗ ହେଉଛି।

ରାଜ୍ୟର ପାହାଡ଼ିଆ ଏବଂ ଢିପ ଜମି ଥିବା ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଭବାନୀପାଟନା, ନୂଆପଡ଼ା, ଗଜପତି, ଫୁଲବାଣୀ, ବୌଦ୍ଧ ଆଦି ୧୬ଟି ଜିଲ୍ଲାରେ ସର୍ବାଧିକ ମକା ଉତ୍ପାଦନ ହୁଏ। ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଏହି ଚାଷ ହେବାକୁ ଲାଗିଲାଣି। ରିପୋର୍ଟ ଅନୁଯାୟୀ; ୩ ବର୍ଷ ମଧ୍ୟରେ ମକା ଉତ୍ପାଦନ ପ୍ରାୟତଃ ସ୍ଥିର ରହିଛି। ୨୦୧୭ ମସିହାରେ ୨.୪୭ ଲକ୍ଷ ହେକ୍ଟର ଜମିରେ ୭.୨୯ ଟନ୍‌ ମକା ଉତ୍ପାଦିତ ହୋଇଥିବାବେଳେ ୨୦୧୮ ମସିହାରେ ୨.୫୧ ଲକ୍ଷ ହେକ୍ଟର ଜମିରେ ୭.୫୨ ଲକ୍ଷ ଟନ୍‌, ୨୦୧୯ ମସିହାରେ ୨.୫୪ ଲକ୍ଷ ହେକ୍ଟର ଜମିରେ ୭.୬୩ ଲକ୍ଷ ମେଟ୍ରିକ ଟନ୍‌ ମକା ଉତ୍ପାଦନ ହୋଇଛି। ସମୁଦାୟ ଉତ୍ପାଦନର ୯୦ରୁ ୯୫ ପ୍ରତିଶତ ବର୍ଷା ଋତୁ ଏବଂ ୫ରୁ୬ ପ୍ରତିଶତ ରବି ଋତୁରେ ହେଉଛି।

ଗବେଷକ ଦିଗବିଜୟ ସ୍ବାଇଁ କହିଛନ୍ତି; ମକା ବିହନ ପାଇଁ ଚାଷୀ କମ୍ପାନି ବିହନ ଉପରେ ନିର୍ଭର କରନ୍ତି। ୨୦୧୯ ମସିହାରେ ଓୟୁଏଟି ପ୍ରଥମ କରି କଳିଙ୍ଗରାଜ ବିହନ ଚାଷୀକୁ ଦେଇଥିଲା। ଏହି ବିହନକୁ ରାଜ୍ୟ ସରକାର ବିହନ କମିଟି ଅନୁମୋଦିତ କରିବା ସହିତ ୨୦୨୦ ମସିହାରେ କେନ୍ଦ୍ର ସରକାର ଏହାକୁ ଗେଜେଟ୍‌ ନୋଟିଫିକେସନ କରିଛନ୍ତି। ଗବେଷଣା ବେଳେ କଳିଙ୍ଗରାଜ ହେକ୍ଟର ପିଛା ପ୍ରାୟ ୭୯ କ୍ବିଣ୍ଟାଲ ମକା ଦେଉଥିବା ଦେଖାଯାଇଛି। ପଟାଙ୍ଗି ଏବଂ ହରିୟାଣାରେ ଏହାର ପରୀକ୍ଷଣ ହୋଇଛି। ଏହି ବିହନ ମରୁଡ଼ି ସହଣୀ ହୋଇଥିବାରୁ ଚାଷୀମାନେ ଲାଭାନ୍ବିତ ହେଉଥିବା ଓୟୁଏଟି ପକ୍ଷରୁ କୁହାଯାଇଛି। ଖୁବ୍‌ଶୀଘ୍ର ଆଉ ୩ଟି କିସମର ବିହନ ପାଇଁ ପରୀକ୍ଷା କରାଯାଉଛି। ଏଥିରୁ ଗୋଟିଏ କିସମର ଅନୁମୋଦନ ପାଇଁ ସେପ୍ଟେମ୍ବର ମାସରେ ଆବେଦନ କରାଯିବ। ବର୍ଷା ଅଭାବରୁ କମ୍ପାନି ବିହନ କ୍ଷତିଗ୍ରସ୍ତ ହେବା ସହିତ ଚାଷୀ ଅଧିକ ମୂଲ୍ୟରେ କ୍ରୟ କରନ୍ତି। ସରକାରୀ ବିହନ ଏହି ସମସ୍ୟାର ସମାଧାନ କରିଥାଏ ବୋଲି ଗବେଷକ ଶ୍ରୀ ସ୍ବାଇଁ କହିଛନ୍ତି। ଏହାଛଡ଼ା ବିହନ ଉତ୍ପାଦନ ନିଯୁକ୍ତି ସୁଯୋଗ ସୃଷ୍ଟି କରେ।

କେନ୍ଦ୍ର ସରକାରଙ୍କ ଅନୁମୋଦନ ଅନୁସାରେ, ୨୦୨୧-୨୨ ମସିହାରେ କ୍ବିଣ୍ଟାଲ ପିଛା ମକା ଚାଷରେ ୧୨୪୬ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)୧୮୭୦ ଟଙ୍କା ଧାର୍ଯ୍ୟ ହୋଇଛି। ମାତ୍ର କରୋନା ଏବଂ ଲକ୍‌ଡାଉନ୍‌ ସମୟରେ ଏମ୍‌ଏସ୍‌ପିର ଅଧା ମୂଲ୍ୟରେ ମକା ବିକ୍ରି ପାଇଁ ବାଧ୍ୟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାଛଡ଼ା ୨ ବର୍ଷ ହେଲା ଫଲ୍‌ ଆର୍ମି ଓ୍ବାଲ୍‌ ନାମକ ଏକ ପୋକ ମକାକୁ ନଷ୍ଟ କରିବା ଯୋଗୁଁ ଚାଷୀ କ୍ଷତି ସହୁଛନ୍ତି। ତେବେ ବର୍ତ୍ତମାନ ଧୀରେଧୀରେ ଏହା ନିୟନ୍ତ୍ରିତ ହେଉଥିବା ଓୟୁଏଟି କହିଛି।

Sinogroup .Co

ନୂଆପଡ଼ାର ଜଣେ ମକା ଚାଷୀଙ୍କ କହିବା ଅନୁସାରେ, ଅକ୍ଟୋବର ମାସରେ ଯେତେ ମକା ହୋଇଥିଲା, ଗାଁରେ ଶୀତଳଭଣ୍ଡାର ଥିଲେ ସଂରକ୍ଷିତ କରି ରଖିଥାଆନ୍ତେ। ମାତ୍ର ଏଠାରେ ସେହିଭଳି ବ୍ୟବସ୍ଥା ନାହିଁ। ତେଣୁ ଉତ୍ପାଦନ ସରିବା ପରେ ଯେଉଁ ମୂଲ୍ୟ ମିଳିଲା ସେମାନେ ସେତିକିରେ ବିକ୍ରି କରିଦେଲେ। ଧାନ ଭଳି ଅନ୍ୟ ଚାଷରେ ବି ଉପଯୁକ୍ତ ମଣ୍ଡି ବ୍ୟବସ୍ଥାର ଅଭାବ ଅଭାବୀ ବିକ୍ରିର ଅନ୍ୟତମ କାରଣ। ସେହିପରି ସମ୍ବଲପୁର ସନାତନପାଲିର ମକା ଚାଷୀ ମନବୋଧ ବାରିକ କହିଛନ୍ତି, ପୂର୍ବରୁ ଏଠାରେ ମକା ହେଉନଥିଲା। ୨୦୧୯ ମସିହାରେ ଓୟୁଏଟିରୁ ବିହନ ଆଣି ମକା ଚାଷ କରୁଛି। କିନ୍ତୁ ପ୍ରାଥମିକ ପ୍ରୋସେସିଂ ୟୁନିଟ ନ ଥିବାରୁ ଅସୁବିଧା ହେଉଛି।

ବିଶେଷଜ୍ଞଙ୍କ କହିବା ଅନୁସାରେ, ମକାକୁ କଞ୍ଚାମାଲ ଭାବରେ ବ୍ୟବହାର କରି ଉତ୍ପାଦନ ପାଇଁ ଆବଶ୍ୟକ କାରଖାନା ରାଜ୍ୟରେ ନାହିଁ। ଏଥିଯୋଗୁଁ ଉତ୍ପାଦନ ହେଉହେଉ ମକାକୁ ଆନ୍ଧ୍ରପ୍ରଦେଶ, ଗୁଜରାଟକୁ ପଠାଇ ଦିଆଯାଏ। ସେଠାରେ ପ୍ରୋସେସ୍‌ ହେବା ସହିତ ବିଭିନ୍ନ ଶିଳ୍ପରେ ବ୍ୟବହାର ଆସିପାରେ। ତେଣୁ ଓଡ଼ିଶାର ମକା ଚା‌ଷୀଙ୍କୁ ବଜାର ସହିତ ଲିଙ୍କ୍ କରାଗଲେ ସେମାନଙ୍କୁ ଏମ୍‌ଏସ୍‌ପି ବା ଉପଯୁକ୍ତ ମୂଲ୍ୟ ମିଳିବ। ତେଣୁ ସରକାର ଏସବୁ ବିଷୟ ପ୍ରତି ଦୃଷ୍ଟି ଦେଲେ ଓଡ଼ିଶାରେ ମକ‌ାଚାଷୀମାନେ ଲାଭାନ୍ବିତ ହେବେ ଏବଂ ମକା ଚାଷ ପ୍ରତି ଅଧିକ ଆଗ୍ରହ ସୃଷ୍ଟି ହେବ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର