ଭାରତ ବନ୍ଦ ପାଳନ: ନୂଆପଡ଼ା, ବରଗଡ଼ରେ ଉତ୍ତେଜନା

ଭୁବନେଶ୍ୱର: ଶିକ୍ଷା ଓ ଚାକିରି କ୍ଷେତ୍ରରେ ଜାତିଭିତ୍ତିକ ସଂରକ୍ଷଣକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଦିଆଯାଇଥିବା ‘ଭାରତ ବନ୍ଦ’ ଡାକରାର ଆଂଶିକ ପ୍ରଭାବ ଓଡ଼ିଶାରେ ପଡ଼ିଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବହୁ ଅଞ୍ଚଳରେ ଜୀବନଯାତ୍ରା ସ୍ୱାଭାବିକ ଥିଲେ ବି କିଛି ଅଞ୍ଚଳରେ ବନ୍ଦର ପ୍ରଭାବ ପଡ଼ିଥିଲା। ଅଧିକାଂଶ ସ୍ଥାନକୁ ବସ୍‌ ସେବା ବନ୍ଦ ଥିଲା ବେଳେ କିଛି ସ୍ଥାନରେ ସ୍କୁଲ୍‌, କଲେଜ, ସରକାରୀ କାର୍ଯ୍ୟାଳୟରେ ଅଘୋଷିତ ଛୁଟି ଦେଖିବାକୁ ମିଳିଥିଲା। ବନ୍ଦ ପାଳନ ବେଳେ ନୂଆପଡ଼ା ଓ ବରଗଡ଼ରେ ଉତ୍ତେଜନା ଦେଇଥିଲା। ବିପିୟୁଟିରେ ଆଜି ଥିବା ପରୀକ୍ଷାକୁ ବନ୍ଦ ପାଇଁ ବାତିଲ୍‌ କରିଦିଆଯାଇଥିଲା। ନୂଆପଡ଼ା ଜିଲ୍ଲା ସାଧାରଣ ବର୍ଗ ଓ ଓବିସି ବର୍ଗର ଲୋକେ ବନ୍ଦ ପାଳନ କରିଥିଲା ବେଳେ ଏହାକୁ ବିରୋଧ କରି ଦଳିତ ଅଧିକାର ମଞ୍ଚ ପକ୍ଷରୁ ଖଡ଼ିଆଳ ଥାନା ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରତିରୋଧ କରିଥିଲେ। ଫଳରେ ସପକ୍ଷବାଦୀ ଓ ବିପକ୍ଷବାଦୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଟେକାପଥର ମାଡ଼ ବି ହୋଇଥିଲା। ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ନୂଆପଡ଼ା ଏସ୍‌ପି, ଉପଜିଲ୍ଲପାଳଙ୍କ ସମେତ ବହୁ ପୁଲିସ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ। ପରିସ୍ଥିତିକୁ ଆୟତ୍ତ କରିବାକୁ ପୁଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା। ଉଭୟ ଗୋଷ୍ଠୀର କିଛି ଲୋକ ଆହତ ହୋଇଥିବା ବେଳେ କିଛି ପୁଲିସ୍‌ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ବରଗଡ଼ରେ ସକାଳୁ ଜୀବନଯାତ୍ରା ସ୍ୱାଭାବିକ ଥିଲେ ବି ଦିନ ୧୦ଟା ପରେ ବନ୍ଦ ପାଳନକାରୀମାନେ ପିକେଟିଂ ଆରମ୍ଭ କରିଥିଲେ। ଫଳରେ ଦୋକାନ ବଜାର ଆପଣାଛାଏଁ ବନ୍ଦ ହୋଇଥିଲା। ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରେ କିଛି ଦିନ ହେଲା ଶିକ୍ଷା ସହାୟକ ମାନଙ୍କ ନିଯୁକ୍ତି ପାଇଁ କାଉନସେଲିଂ ଚାଲିଥିଲା। ବନ୍ଦ ପାଳନକାରୀମାନେ ସେଠାରେ ପହଞ୍ଚି କାର୍ଯ୍ୟାଳୟ ଭିତରେ ଧସେଇ ପଶିଥିଲେ। ଭିତରେ ଥିବା ଗୋଟିଏ କମ୍ପ୍ୟୁଟରକୁ କଚାଡ଼ି ଦେଇଥିଲେ। ଏହାପରେ ଉପସ୍ଥିତ ଶିକ୍ଷା ସହାୟକମାନଙ୍କୁ ସ୍ଥାନ ଛାଡ଼ି ପଳାଇବାକୁ ତାଗିଦ କରିଥିଲେ। ସ୍ଥାନୀୟ ବାନ୍ଧୁଟିକ୍ରା ଛକଠାରେ ଟାୟାର ଜାଳି ରାସ୍ତା ଅବରୋଧ ହୋଇଥିଲା। ରାଜପଥରେ ଭାରୀ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

ଏହି ଦୁଇଟି ସ୍ଥାନ ବାଦ୍‌ ଅନ୍ୟ କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ। କିଛି କିଛି ସ୍ଥାନରେ ବନ୍ଦ ପାଳନକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। କାଁ ଭାଁ କିଛି ଷ୍ଟେସନ୍‌ରେ ରେଳରୋକ ହୋଇଥିଲା। ବନ୍ଦ ଯୋଗୁଁ ଅଧିକାଂଶ ସ୍ଥାନରେ ଆଗୁଆ ଦୋକାନ, ବଜାର ବନ୍ଦ କରିଦିଆଯାଇଥିଲା। ଅପରାହ୍ନ ପ୍ରାୟ ୧ଟା ପରେ ସବୁଆଡ଼େ ଜୀବନଯାତ୍ରା ସ୍ୱାଭାବିକ ହୋଇଯାଇଥିଲା।

ସମ୍ବନ୍ଧିତ ଖବର