ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଭାରତୀୟ ରେଳବାଇକୁ ୧୭ଟି ଜାତୀୟ ପୁରସ୍କାର

ଭୁବନେଶ୍ବର : ଭାରତୀୟ ରେଳବାଇ ଏହାର କ୍ରମାଗତ ପ୍ରଚେଷ୍ଟା ଦ୍ୱାରା ପ୍ରଯୁକ୍ତି ବିଦ୍ୟା ଓ ଶକ୍ତି ସଂରକ୍ଷଣ ପ୍ରଣାଳୀ ପ୍ରୟୋଗ ଯୋଗୁଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ୧୭ଟି ଜାତୀୟ ପୁରସ୍କାର ଗ୍ରହଣ କରିଛି। ଶକ୍ତି ସଂରକ୍ଷଣ କ୍ଷେତ୍ରରେ ମୋଟ ପୁରସ୍କାରର ୩୦ ପ୍ରତିଶତ ରେଳବାଇ ପୋଛିନେଇଥିବାରୁ ରେଳ ଓ କୋଇଲା ମନ୍ତ୍ରୀ ପିୟୂଷ ଗୋୟଲ ଏଥିପାଇଁ ରେଳପଥର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସ୍ୱାଗତ କରିବା ସହ ଶକ୍ତି ସଂରକ୍ଷଣ ପ୍ରଣାଳୀକୁ କ୍ରମାଗତଭାବେ ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।

ଶକ୍ତି ସଂରକ୍ଷଣ କ୍ଷେତ୍ରରେ ପ୍ରମୁଖ ୫ଟି ବର୍ଗ ମଧ୍ୟରୁ ଭାରତୀୟ ରେଳବାଇ ୩ଟି ବର୍ଗ ଯଥା ରେଳ ଷ୍ଟେସନ, ଚିକିତ୍ସାଳୟ ଓ ଅନୁଷ୍ଠାନ ବର୍ଗରେ ଭାଗନେଇ ବିଭିନ୍ନ ଉପବିଭାଗରୁ ଏହିସବୁ ପୁରସ୍କାର ଜାତୀୟସ୍ତରରେ ଆଣିପାରିଛି। ପରିବହନ ବର୍ଗ କ୍ଷେତ୍ରରେ ଭାରତୀୟ ରେଳବାଇ ଉପବିଭାଗୀୟ ଷ୍ଟେସନ ପାଇଁ ୧୦ଟି ପୁରସ୍କାର ଗ୍ରହଣ କରିଛି। କୋଠାବାଡ଼ି ବର୍ଗରେ ଭାରତୀୟ ରେଳବାଇ ଚିକିତ୍ସାଳୟଗୁଡ଼ିକରେ ଶକ୍ତି ସଂରକ୍ଷଣ ପାଇଁ ୩ଟି ପୁରସ୍କାର, ଅନୁଷ୍ଠାନ ବର୍ଗରେ ଉପବିଭାଗୀୟ ପିଡବ୍ଲୁଡି, ସିପିଡବ୍ଲୁଡି ଓ ପିଏଚ୍‌ଇଡି କ୍ଷେତ୍ରରେ ୪ଟି ପୁରସ୍କାର ଗ୍ରହଣ କରିଛି।

ରେଳଷ୍ଟେସନ ଉପବର୍ଗ କ୍ଷେତ୍ରରେ ମଧ୍ୟ ପ୍ରଦେଶର ବିଦିଶା ରେଳଷ୍ଟେସନ୍‌କୁ ପ୍ରଥମ ପୁରସ୍କାର, ଗୁଜୁରାଟର ଜାମନଗର ରେଳଷ୍ଟେସନ୍‌କୁ ଦ୍ଵିତୀୟ ପୁରସ୍କାର ମିଳିଥିବା ବେଳେ ଯୋଗ୍ୟତାକ୍ଷମ ପାଇଁ ଦ୍ଵାରକା, ରାଜକୋଟ, ସୁରେନ୍ଦ୍ର ନଗର, ହାଇଦ୍ରାବାଦ, ନିଜାମାବାଦ, ଗୌହାଟୀ, ଜଇପୁର ଓ କାଜିପେଟ ରେଳଷ୍ଟେସନକୁ ୭ଟି ପୁରସ୍କାର ମିଳିଛି। ରେଳବାଇ ଚିକିତ୍ସାଳୟ ଉପବର୍ଗରେ ଇଜ୍ଜତ ନଗର ରେଳମଣ୍ଡଳକୁ ପ୍ରଥମ ପୁରସ୍କାର, ରାଜକୋଟ ରେଳମଣ୍ଡଳକୁ ଦ୍ଵିତୀୟ ଓ ରତଲାମ ରେଳମଣ୍ଡଳକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି। ବିଡବ୍ଲୁଡି ଉପବର୍ଗରେ ସିକନ୍ଦରାବାଦ ରେଳମଣ୍ଡଳ ଯାତ୍ରୀ ସଂରକ୍ଷଣ ସୌଧକୁ ପ୍ରଥମ, ଜୋନାଲ ମୁଖ୍ୟାଳୟ ରେଳ ସୌଧକୁ ଦ୍ଵିତୀୟ ଓ ଯୋଗ୍ୟତାକ୍ଷମ ପାଇଁ ସିକନ୍ଦରାବାଦସ୍ଥିତ ହାଇଦ୍ରାବାଦ ଭବନକୁ ପୁରସ୍କୃତ କରାଯାଇଛି। ଏହି ପୁରସ୍କାରଗୁଡିକୁ କେନ୍ଦ୍ର ସରକାରଙ୍କ ଉର୍ଜା ସଂରକ୍ଷଣ ମନ୍ତ୍ରାଳୟ ପକ୍ଷରୁ ଉର୍ଜା ଦକ୍ଷତା ବ୍ୟୁରୋ ଦ୍ୱାରା ବିଭିନ୍ନ ଅନୁଷ୍ଠାନକୁ ଶକ୍ତି ସଂରକ୍ଷଣ ସହିତ ଉର୍ଜା ସଞ୍ଚୟ ପାଇଁ ପ୍ରତିବର୍ଷ ପୁରସ୍କୃତ କରାଯାଇଥାଏ।

ସମ୍ବନ୍ଧିତ ଖବର