ବାଲେଶ୍ୱର : ବିଳମ୍ବିତ ରିପୋର୍ଟ ଯୋଗୁଁ ବଢ଼ୁଛି ସଂକ୍ରମଣ

ବାଲେଶ୍ୱର : ବାଲେଶ୍ବର ଜିଲ୍ଲାରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି। ଏମିତି କୋଉ ଦିନ ନାହିଁ, ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପୁନି। ଗତ କିଛିଦିନ ହେଲା ସଂକ୍ରମଣ ସହିତ ମୃତ୍ୟୁସଂଖ୍ୟା ବି ବଢ଼ି ଚାଲିଛି। ତେବେ କରୋନା ପରୀକ୍ଷଣ କମିବା, ରିପୋର୍ଟ ଆସିବାରେ ବିଳମ୍ବ ଏବଂ ରୋଗୀ ଚିକିତ୍ସାରେ ଅବହେଳା ବର୍ତ୍ତମାନ ସବୁଠୁ ବଡ଼ ଚିନ୍ତାର ବିଷୟ ହୋଇଥିବା ବେଳେ ଠିକଣା ସମୟରେ ଚିକିତ୍ସା ମିଳୁନଥିବାରୁ ପ୍ରାଣ ବି ଯାଉଛି।

ଜିଲ୍ଲାରେ ପୂର୍ବରୁ ଦିନକୁ ୩ ହଜାରରୁ ଅଧିକ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କରାଯାଉଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ବିଭିନ୍ନ ବ୍ଲକ୍‌ ମହକୁମାରେ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କରାଯିବା ଦ୍ବାରା ସଂକ୍ରମିତ ବ୍ୟକ୍ତି, ସେମାନଙ୍କ ପରିବାର ଓ ଅନ୍ୟମାନେ ସତର୍କ ତ ହେଉଥିଲେ, ଚିକିତ୍ସା ପାଇଁ ତତ୍ପରତା ବି ପ୍ରକାଶ କରୁଥିଲେ। ସଂକ୍ରମଣକୁ ରୋକିବା ଲାଗି ଆଣ୍ଟିଜେନ୍ ଟେଷ୍ଟର ଆବଶ୍ୟକତା ଥିବାବେଳେ ଏବେ ଏହାର ସଂଖ୍ୟାକୁ କମେଇ ଦିଆଯାଇଛି। ଯେଉଁଠି ଜିଲ୍ଲାରେ ଦିନକୁ ୩ ହଜାରରୁ ଊର୍ଦ୍ଧ୍ବ ଟେଷ୍ଟ ହେଉଥିଲା, ଏବେ ସେଠି ୭୫୦ରୁ ୮ ଶହ ଟେଷ୍ଟ କରାଯାଉଛି। ଜିଲ୍ଲାବାସୀଙ୍କ ବାରମ୍ବାର ଦାବି ପରେ ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜରେ କରୋନା ପରୀକ୍ଷଣ ସୁବିଧା ଉପଲବ୍ଧ ହୋଇଛି।

ପୂର୍ବଭଳି ଆଉ କଟକ କି ଭୁବନେଶ୍ବର ଉପରେ ନିର୍ଭର କରିବାକୁ ପଡ଼ୁନାହିଁ। ଆର୍‌ଟିପିସିଆର୍‌ ପଦ୍ଧତିରେ ଦୈନିକ ୨୦୦ ଶହରୁ ଅଧିକ ସ୍ବାବ୍‌ ନମୁନା ପରୀକ୍ଷଣ କରାଯାଉଛି। କିନ୍ତୁ ରିପୋର୍ଟ ଆସିବାକୁ ଦୁଇଦିନ (୪୮ ଘଣ୍ଟା) ଲାଗିଯାଉଛି। ଯଦି ମଝିରେ ଛୁଟି କିମ୍ବା ଅନ୍ୟ କାମ ରହୁଛି, ତେବେ‌ ଏହା ୩/୪ ଦିନ ହୋଇଯାଉଛି ବୋଲି କୋଭିଡ୍‌ ପରିଚାଳନା ଦାୟିତ୍ବରେ ଥିବା ଡା. ମୃତ୍ୟୁଞ୍ଜୟ ମିଶ୍ର କହିଛନ୍ତି।

ତେବେ ମେସିନ୍‌ ବସି‌ବା ପରେ ରିପୋର୍ଟ ୪ ଘଣ୍ଟା ଭିତରେ ଆସିବ ବୋଲି କୁହାଯାଇଥିଲା ବେଳେ ୪୮ ଘଣ୍ଟା କାହିଁକି ଲାଗୁଛି ବୋଲି ଅନେକ ପ୍ରଶ୍ନ କରିଛନ୍ତି। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ, ଜ୍ବର ହେବାର ୫ ଦିନ ମଧ୍ୟରେ ଆଣ୍ଟିଜେନ୍‌ ପରୀକ୍ଷଣ କରାଯାଉଛି। ଏଥିରେ ଯଦି ନେଗେଟିଭ୍‌ ରିପୋର୍ଟ ଆସିଲା, ତେବେ କୋଭିଡ୍‌ ଭୂତାଣୁ ଅଛି ନା ନାହିଁ ତାହା ସୁନିଶ୍ଚିତ କରିବାକୁ ଆର୍‌ଟିପିସିଆର୍‌ ପରୀକ୍ଷଣ ପାଇଁ ପଠାଯାଉଛି। କିନ୍ତୁ ଏହି ରିପୋର୍ଟ ଆସିବାକୁ ଦୁଇ/ତିନି ଦିନ ଲାଗିଯାଉଥିବାରୁ ଏହାରି ଭିତରେ ଆକ୍ରାନ୍ତ ବ୍ୟକ୍ତି ଅନ୍ୟମାନଙ୍କ ସଂପର୍କରେ ଆସିବାରୁ ସଂକ୍ରମଣ ବଢୁଛି ଏବଂ ଗୁରୁତର ରୋଗୀଙ୍କ ପ୍ରାଣ ବି ଚାଲିଯାଉଛି। ତେଣୁ ଚିକିତ୍ସା ବିଳମ୍ବିତ ହେବା ସ୍ବାଭାବିକ।

କିଛିଦିନ ତଳେ ବାଲେଶ୍ବର ସହର ମଲ୍ଲିକାଶପୁର ଅଞ୍ଚଳର ଜଣେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରାନଯିବା ଏବଂ ରାସ୍ତାରେ ରୋଗୀଙ୍କ ମୃତ୍ୟୁ ହେବା ନେଇ ପରିବାର ଲୋକ ଅଭିଯୋଗ ଆଣିବା ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ। ସେହିପରି ଦୁଇଦିନ ତଳେ ଅକ୍ସିଜେନ୍‌ ଦେବାରେ ବିଳମ୍ବ ହେବାରୁ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିଲା। ଏମିତି ପ୍ରତିଦିନ ବହୁ ରୋଗୀ ଉପଯୁକ୍ତ ଚିକିତ୍ସା ନପାଇ ହଇରାଣ ହରକତ ହେଉଛନ୍ତି। କୋଭିଡ୍‌ ରୋଗୀଙ୍କୁ ଚିକିତ୍ସାରେ ବି ଘୋର ଅବହେଳା କରାଯାଉଛି। କୋଭିଡ୍‌ ଡାକ୍ତରଖାନା ସହିତ କୋଭିଡ୍‌ କେୟାର ସେଣ୍ଟରଗୁଡ଼ିକରେ ରୋଗୀ ପଡ଼ି ଛଟପଟ ହେଉଥିବାବେଳେ କେହି ସେମାନଙ୍କ ପାଖ ମାଡ଼ୁନାହାନ୍ତି। ଏମିତିକି ଅକ୍ସିଜେନ୍‌ ଲଗାଇବାକୁ ଆଟେଣ୍ଟାଣ୍ଟ ଖୋଜିଲାବେଳକୁ କାହାର ଦେଖାମିଳୁନାହିଁ। ଲୋକଙ୍କୁ ସାଧାରଣ ଜ୍ବର ହୋଇଥିଲେ ତା’ର ଚିକିତ୍ସା ନ କରି ଆଗ କରୋନା ପରୀକ୍ଷା ପାଇଁ କୁହାଯାଉଛି। ଏଭଳି ପରିସ୍ଥିତିରେ ଅଣକୋଭିଡ୍‌ ରୋଗୀ ସ୍ଥଳବିଶେଷରେ ଚିକିତ୍ସା ନ ପାଇ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର