୧୦% ତଳକୁ ଖସିଲା ସଂକ୍ରମଣ: ଟେଷ୍ଟିଂ କମାଇ ଆକ୍ରାନ୍ତ ସଂଖ୍ୟା ହ୍ରାସ ମସୁଧା

୫୯ ହଜାରକୁ ଖସିଲା ଦୈନିକ ଟେଷ୍ଟିଂ, କେନ୍ଦ୍ର ନିର୍ଦେଶକୁ ବି ବେଖାତିର, ୫୮୯୧ ପଜିଟିଭ୍, ୭ ମୃତ

ଭୁବନେଶ୍ବର: ରାଜ୍ୟରେ କରୋନାର ତୃତୀୟ ଲହର ଜାରି ରହିଥିବା ସମୟରେ ବି ଟେଷ୍ଟିଂରେ ସ୍ଥିରତା ନାହିଁ। କିଛିଦିନ ପୂର୍ବରୁ ରାଜ୍ୟରେ ୮୧ହଜାର ଟେଷ୍ଟିଂ ହୋଇଥିବା ବେଳେ ଏବେ ତାହା ୬୦ହଜାର ତଳକୁ ଖସି ଆସିଲାଣି। ଦେଶବ୍ୟାପୀ ଓମିକ୍ରନ୍ ଜନିତ ତୃତୀୟ ଲହର ଚାଲିଥିବା ବେଳେ ଟେଷ୍ଟିଂ ସଂଖ୍ୟା ବଢ଼ାଇବାକୁ ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ହେଲେ ଓଡ଼ିଶାରେ ଏହି ନିର୍ଦେଶନାମା ଉପରେ କୌଣସି ଫରକ ପଡ଼ୁନାହିଁ। ତୃତୀୟ ଲହର ଆରମ୍ଭ ପୂର୍ବରୁ ରାଜ୍ୟ ସରକାର ଦୈନିକ ୭୦ହଜାର ଟେଷ୍ଟ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ତାହା ମଧ୍ୟ ଠିକ୍‌ରେ କାର୍ଯ୍ୟକାରୀ ହୋଇପାରୁ ନାହିଁ। କମ୍ ଟେଷ୍ଟ କାରଣରୁ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି।
ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ହେଁ, ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ରାଜ୍ୟରେ ତୃତୀୟ ଲହର ଶୀର୍ଷ ଛୁଇଁ ସାରିଥିବା ନେଇ ସ୍ପଷ୍ଟ ମତ ରଖିପାରୁ ନାହାନ୍ତି। ଆଉ କିଛିଦିନ ଏଭଳି ନଜର ରଖିବାକୁ ବୋଲି ମତ ଦେଉଛନ୍ତି। ଓଡ଼ିଶାଠାରୁ କମ୍ ଜନସଂଖ୍ୟା ଥିବା କେରଳ ଗତ ୨୪ଘଣ୍ଟାରେ ୧ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରିଥିବା ବେଳେ ଓଡ଼ିଶାରେ ତୃତୀୟ ଲହରରେ ଟେଷ୍ଟିଂ କମି କମି ଚାଲିଛି। ସବୁ ଜିଲ୍ଲାରେ ଆରଟି-ପିସିଆର ମେସିନ୍ କାର୍ଯ୍ୟ କରୁଛି ତଥାପି ରାଜ୍ୟରେ ଦୈନିକ ନମୁନା ପରୀକ୍ଷାରେ ଆରଟି-ପିସିଆର ନମୁନାର ପ୍ରତିଶତ ମଧ୍ୟ ଆଶାତୀତ ନୁହେଁ। ତେଣୁ ଟେଷ୍ଟିଂକୁ କମାଇ କୃତ୍ରିମ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଦେଖାଇବାକୁ ଏଭଳି ମସୁଧା ହେଉଥିବା ଅଭିଯୋଗ ହେଉଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୫୯୮୦୭ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ୫୮୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂକ୍ରମଣ ହାର ୯.୮ ପ୍ରତିଶତ ରହିଛି। ଗତ ୧୫ଦିନ ପରେ ରାଜ୍ୟରେ ସଂକ୍ରମଣ ହାର ୧୦ ତଳକୁ ଖସିଆସିଛି। ଚଳିତମାସ ୧୦ତାରିଖରେ ରାଜ୍ୟରେ ସଂକ୍ରମଣ ହାର ୬.୫ ପ୍ରତିଶତ ରେକର୍ଡ କରାଯାଇଥିଲା। ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧୫ଶହ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ୫୦୧, କଟକ ୪୮୨, ବାଲେଶ୍ବର ୨୩୪, ମୟୂରଭଞ୍ଜ ୨୧୮, ଯାଜପୁର ୨୧୯, ନୟାଗଡ଼ ୨୦୫ ଓ ଷ୍ଟେଟ୍‌ ପୁଲରୁ ୨୯୯ଜଣ ଚିହ୍ନଟ ହୋଇଛନ୍ତି। ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୧୭ହଜାର ୪୮୨କୁ ବୃଦ୍ଧି ପାଇଛି।
ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ଲଗାତାର ଭାବେ ସଂକ୍ରମଣ କମୁଛି। ଚଳିତମାସ ୧୨ତାରିଖ ପରଠାରୁ ଦୈନିକ ସଂକ୍ରମଣ କମିବାରେ ଲାଗିଛି। ଯଦି ଏହି ଧାରା ଆଉ କିଛିଦିନ ଜାରି ରହେ ତେବେ ରାଜ୍ୟରେ ତୃତୀୟ ଲହର ସଂକ୍ରମଣ ଶୀର୍ଷ ଛୁଇଁ ସାରିଛି ବୋଲି କୁହାଯାଇ ପାରିବ। ସବୁ ଜିଲ୍ଲାରେ ସଂକ୍ରମଣ ରହିଛି। କେବଳ ସହର ନୁହେଁ ଗାଁରେ ମଧ୍ୟ ସଂକ୍ରମଣ ହୋଇଛି। ରାଜ୍ୟରେ କିଛିଦିନ ହେବ ମୃତ୍ୟୁ ସଂଖ୍ୟା ୬-୭ ଭିତରେ ରହୁଛି। ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନେ ବିଭିନ୍ନ ରୋଗରେ ପୀଡ଼ିତ ଥିବା ଡା.ମହାପାତ୍ର କହିଛନ୍ତି। ରାଜ୍ୟରେ ଆଉ ୭ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି ପାଇଛି। ଅପରପକ୍ଷରେ ରାଜ୍ୟରେ କ୍ରମାଗତ ଭାବେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ହଜାର ଉପରେ ରହିଛି। ଆଜି ଆଉ ୧୦,୨୪୪ ଆକ୍ରାନ୍ତ ସୁସ୍ଥ ହେବା ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬୭,୦୯୬କୁ ଖସି ଆସିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୧୧ଲକ୍ଷ ୪୨ହଜାର ୧୬୧ ଜଣ ସୁସ୍ଥ ହୋଇ ସାରିଲେଣି।

ସମ୍ବନ୍ଧିତ ଖବର