‘ମୋ ସରକାର’ କାର୍ଯ୍ୟକ୍ରମ ଅଧିନରେ ୪ଟି ହସ୍ପିଟାଲର ଭତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ସୋମବାର ୫ଟି କାର୍ଯ୍ୟକ୍ରମରେ ଡାକ୍ତର ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀମାନେ ଭଲ କାମ କଲେ ସେମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥିସହିତ ୪ଟି  ହସ୍‌ପିଟାଲର  ଭିତ୍ତିଭୂମି ବିକାଶ ପାଇଁ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଏଥିମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ରାଉରକେଲା ସରକାରୀ ହସ୍ପିଟାଲ ରହିଛି।

ସୁନ୍ଦରଗଡ଼ ଜିଲ୍ଲା ହସ୍ପିଟାଲ ଲାଗି  ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ  ଜିଲ୍ଲା ଏସ୍‌ପିଙ୍କୁ ୧୦ଲକ୍ଷ ଟଙ୍କା ପ୍ରଦାନ କରାଯିବା ସହିତ ଦୁଇଟି ଆମ୍ବୁଲାନ୍ସ ଓ ଦୁଇଟି ମହାପ୍ରାୟାଣ ଗାଡ଼ି ଯୋଗାଇ ଦିଆଯିବ। ଏଥିସହିତ ରୋଗୀଙ୍କ ସହିତ ଆସୁଥିବା ସହଯୋଗୀଙ୍କ ପାଇଁ ବିଶ୍ରାମ ଗୃହ ଓ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ଘର ବି ଦିଆଯିବ। ଭତ୍ତିଭୂମିର ଯେଉଁ ଅଭାବ ରହିଛି ତାହ ଜିଲ୍ଲା ଖଣିଜ ପାଣ୍ଠି ଜରିଆରେ ଦୂର କରାଯିବ।

ରାଉରକେଲା ସରକାରୀ ହସ୍‌ପିଟାଲରେ ରୋଗୀଙ୍କ ଲାଗି ଶଯ୍ୟା ସଂଖ୍ୟା ୪୦୦କୁ ବୃଦ୍ଧି କରାଯିବ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ପକ୍ଷରୁ ରୋଗୀକଲ୍ୟାଣ ସମିତିକୁ ରୋଗୀଙ୍କ ମଙ୍ଗଳ ଓ ହସ୍‌ପିଟାଲଗୁଡ଼ିକର ନବୀକରଣ ପାଇଁ ୧୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ରାଉକେଲା ଏସ୍‌ପିଙ୍କୁ ରକ୍ତଦାନ କରିବା ପାଇଁ ୧୦ଲକ୍ଷ ଟଙ୍କା ପ୍ରଦାନ କରାଯିବ।

କେନ୍ଦୁଝର ଜିଲ୍ଲା ମୁଖ୍ୟ ହସ୍‌ପିଟାଲରେ ଯେଉଁ ଭତ୍ତିଭୂମି ଅଭାବ ରହିଛି ତାହାକୁ ଜିଲ୍ଲା ଖଣିଜ ପାଣ୍ଠି ସାହାଯ୍ୟରେ ଦୂର କରାଯିବ। ସେହିପରି ମୟୁରଭଞ୍ଜ ଜିଲ୍ଲା ହସ୍‌ପିଟାଲରେ ବି ଯେଉଁ ଭତ୍ତିଭୂମିର ଅଭାବ ରହିଛି ତାକୁ ବି ଜିଲ୍ଲା ଖଣିଜ ପାଣ୍ଠି ସାହାଯ୍ୟରେ ପୂରଣ କରାଯିବ। କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ଲକ୍ଷ ଟଙ୍କା ରୋଗୀଙ୍କ ମଙ୍ଗଳ ଓ ଭତ୍ତିଭୂମି ପ୍ରସ୍ତୁତି ପାଇଁ ପ୍ରଦାନ କରାଯିବ। ଏଥିସହିତ ମୟୁରଭଞ୍ଜ ଏସ୍‌ପିଙ୍କୁ ୧୦ଲକ୍ଷ ଟଙ୍କା ରକ୍ତଦାନ ଶିବିର କରିବା ପାଇଁ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର