ଶିକାରୀ ଗୁଳିମାଡ଼ରେ ଗୁରୁତର ବନ କର୍ମଚାରୀ ବାରିପଦା ଡାକ୍ତରଖାନାରେ ଭର୍ତ୍ତି

ବାରିପଦା/ଉଦଳା: ଶିମିଳିପାଳ ଜଙ୍ଗଲରେ ଶିକାରୀ ଗୁଳିମାଡ଼ରେ ଗୁରୁତର ଆହତ ବନ କର୍ମଚାରୀଙ୍କୁ ଆଜି ସକାଳେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ୯ଟାରେ ଶିମିଳିପାଳ ଅଭୟାରଣ୍ୟର ଡୁକୁରା ରେଞ୍ଜ ଜଙ୍ଗଲରେ ଶିକାରୀ ଓ ବନ କର୍ମଚାରୀ ମୁହାଁମୁହିଁ ହୋଇଥିବା ବେଳେ ଶିକାରୀଙ୍କ ଗୁଳିମାଡ଼ରେ ଜଣେ କର୍ମଚାରୀ ଗୁରୁତର ହୋଇଥିଲେ।

ଜଣେ ବନ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ, ଖୁଣ୍ଟା ଓ ଉଦଳା ଥାନା ଅଞ୍ଚଳର କିଛି ଶିକାରୀ ବନ୍ଧୁକ ଓ ଧନୁତୀର ଧରି ପଶୁ ଶିକାର ପାଇଁ ଡୁକୁରା ରେଞ୍ଜରେ ପଶିଥିଲେ। ଏ ସମ୍ପର୍କରେ ଖବର ପାଇ ବନ କର୍ମଚାରୀ ଓ ସବୁଜ ବାହିନୀ କର୍ମଚାରୀଙ୍କୁ ନେଇ ଗଠିତ ୬ଜଣିଆ ଟିମ୍‌ ଜଙ୍ଗଲ ଭିତରକୁ ଅପରେସନ୍‌ରେ ବାହାରିଥିଲା। ଅନ୍ଧାର ରାତିରେ ଜଙ୍ଗଲ ଭିତରେ ବେଶ୍‌ କିଛି ସମୟ ଛାନ୍‌ଭିନ୍‌ ପରେ ଶିକାରୀ ଦଳଙ୍କ ସହ ମୁହାଁମୁହିଁ ହୋଇଥିଲା ବନ ବିଭାଗ ଟିମ୍‌। ତେବେ ବନ କର୍ମଚାରୀଙ୍କୁ ଦେଖି ଜଣେ ଶିକାରୀ ଆଖିବୁଜା ଗୁଳିମାଡ଼ କରିଥିଲେ। ଗୋଟିଏ ଗୁଳି ସୁନାରାମ ସିଂହ ନାମକ ଜଣେ ବନ କର୍ମଚାରୀଙ୍କ ଗୋଡ଼ରେ ବାଜିଥିଲା। ସେପଟେ ଅନ୍ଧାରର ସୁଯୋଗ ନେଇ ଶିକାରୀମାନେ ଖସି ଚାଲି ଯାଇଥିଲେ। ସୁନାରାମଙ୍କୁ ସାଥୀ କର୍ମଚାରୀମାନେ ଉଦ୍ଧାର କରି ଜଙ୍ଗଲ ତଳକୁ ଆଣୁଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ବନ ବିଭାଗର ଆଉ ଏକ ଟିମ୍‌ ସନ୍ଧାନରେ ଯାଇଥିଲା। ବରିଷ୍ଠ ଅଧିକାରୀମାନେ ଘଟଣା ଉପରେ ନଜର ରଖିଛନ୍ତି।

 

ସମ୍ବନ୍ଧିତ ଖବର