ଭାଷା ଯୋଡ଼େ, ଭାଷା ଗଢ଼େ: ରାଜ୍ୟପାଳ

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ମିଳନୀ

ଜଟଣୀ: ସ୍ଥାନୀୟ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଓ ଲିଙ୍ଗୁଇଷ୍ଟିକ୍‌ ସୋସାଇଟି ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ୪୪ତମ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି। ବାଂଲାଦେଶ, କାନାଡ଼ା, ଜର୍ମାନୀ, ଜାପାନ, ଜୋର୍ଡାନ, କୁଏତ, ନେପାଳ, ପୋଲାଣ୍ଡ, ସାଉଦି ଆରବ, ୟୁକ୍ରେନ୍‌, ଆମେରିକା, ଭାରତ ଆଦି ଦେଶରୁ ବହୁ ସଂଖ୍ୟାରେ ଇଂରାଜୀ ଭାଷା ଏବଂ ସାହିତ୍ୟର ବହୁ ପ୍ରତିଷ୍ଠିତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଶିଷ୍ଟ ପ୍ରଫେସର ଏବଂ ବିଦ୍ୱାନମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ। ୨୪ ନଭେମ୍ବର ୨୦୨୨ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହି ସମ୍ମିଳନୀକୁ ବିଶ୍ୱବିଦ୍ୟାଳୟର ଜଟଣୀ କ୍ୟାମ୍ପସରେ ଉଦ୍‌ଘାଟନ କରିଛନ୍ତି।

ଉଦ୍‌ଘାଟନୀ ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭାଷାର ପରିବ୍ୟାପ୍ତି ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଭାଷା ବ୍ୟବହାର ପାଇଁ ଲିପି ହୁଏତ ଏକ ମାଧ୍ୟମ ହୋଇପାରେ ହେଲେ ମନର ଭାଷା, ମସ୍ତିଷ୍କର ଭାଷା, ଇସାରାର ଭାଷା ଆଦି ବ୍ୟବହାରରେ ଲିପିର ଆବଶ୍ୟକତା ନ ଥାଏ। ଭାଷା କିଭଳି, କେମିତି, କାହିଁକି, କେଉଁଠାରେ କୁହାଯାଉଛି, ତାହା ହିଁ ବଡ଼କଥା। ସେ ସଂସ୍କୃତ, କୋରିଆ, ହିବ୍ରୁ ଭାଷାର ଉଦାହରଣ ଦେଇ ମାତୃଭାଷାର ମହତ୍ତ୍ବ କଥା କହିଥିଲେ। ‘ଭାଷା ଯୋଡ଼େ, ଭାଷା ଗଢ଼େ’ ବୋଲି ମତ ଦେଇ ପ୍ରଫେସର ଗଣେଶୀ ଲାଲ ଏହି ଅନ୍ତର୍ଜାତୀୟ ସମ୍ମିଳନୀର ସଫଳତା କାମନା କରିଥିଲେ। ଲିଙ୍ଗୁଇଷ୍ଟିକ୍‌ ସୋସାଇଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଏବଂ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ଆନ୍ଧ୍ରପ୍ରଦେଶର କୁଳପତି ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକ, ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ, ଓଡ଼ିଶାର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ, ଲିଙ୍ଗୁଇଷ୍ଟିକ୍ ସୋସାଇଟି ଅଫ୍ ଇଣ୍ଡିଆର ସଭାପତି ପ୍ରଫେସର ଜି. ଉମା ମାହେଶ୍ୱରୀ ରାଓ, ବିପିୟୁଟିର ପୂର୍ବତନ କୁଳପତି, ପ୍ରଫେସର ଓମକାର ନାଥ ମହାନ୍ତି ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର