ମଣିଷକୁ ମାନବତ୍ୱ ପ୍ରଦାନ ଶିକ୍ଷାର ଲକ୍ଷ୍ୟ: ରାଜ୍ୟପାଳ

କିଟ୍‌ରେ ଶିକ୍ଷା ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ, ଶହେ କୁଳପତି, ୨ଶହରୁ ଊର୍ଦ୍ଧ୍ୱ ଅଧ୍ୟକ୍ଷଙ୍କ ଯୋଗଦାନ

ଭୁବନେଶ୍ୱର : କିଟ୍‍ ବିଶ୍ୱବିଦ୍ୟାଳୟର ରୌପ୍ୟଜୟନ୍ତୀ ପୂର୍ତ୍ତି ଅବସରରେ ରବିବାର ଦିନ ସର୍ବଭାରତୀୟ କୁଳପତି ସମ୍ମିଳନୀ ତଥା ଶିକ୍ଷା ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଣିଷ ଜୀବନରେ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଲେ, ଗୁରୁ-ଶିଷ୍ୟ ପରମ୍ପରା ବିଶ୍ୱରେ ବହୁ ପୁରାତନ। ଶିକ୍ଷା ହିଁ ପ୍ରତ୍ୟେକ ମଣିଷକୁ ମାନବତ୍ୱ ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଶିକ୍ଷା ଆମକୁ ଏକ ବ୍ୟବସ୍ଥିତ ସୀମା ମଧ୍ୟରେ ରହିବାକୁ ପ୍ରସ୍ତୁତ କରିବା ସହ ଆତ୍ମବିକାଶରେ ସହାୟକ ହୋଇଥାଏ। ଶାନ୍ତି, ମୈତ୍ରୀ ଓ ମାନବିକତା ସୁନିଶ୍ଚିତ କରିବାରେ ଆଧୁନିକ ଶିକ୍ଷା ବିଫଳ ହୋଇଛି ବୋଲି ପାଶ୍ଚାତ୍ୟ ଦେଶଗୁଡ଼ିକ ସମେତ ପୂରା ବିଶ୍ୱ ଏବେ ଅନୁଭବ କଲାଣି। ଅହଂକାର, କ୍ରୋଧ, ଅସୂୟାଭାବ ପରିହାର କରି ସମସ୍ତଙ୍କ ପ୍ରତି ଦୟାଶୀଳ, ସମ୍ବେଦନଶୀଳ, ଭାତୃଭାବ ପ୍ରଦର୍ଶନ କରିବା ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ବୋଲି ରାଜ୍ୟପାଳ ପ୍ରଫେସର୍‌ ଶ୍ରୀ ଲାଲ୍‌ କହିଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସର୍ବଭାରତୀୟ କୁଳପତି ସମ୍ମିଳନୀରେ ରଖାଯାଇଥିବା ବିଷୟବସ୍ତୁ ‘ଏଜୁକେସନ୍‍ ଫର୍‌ ବିଲ୍‍ଡିଂ ହ୍ୟୁମାନିଟି ଉଇଥ ହାରମୋନି ଆଣ୍ଡ ପିସ୍‍’ ବାସ୍ତବରେ ସମୟୋପଯୋଗୀ ଓ ଯଥାର୍ଥ ପୋଲି ରାଜ୍ୟପାଳ କହିଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଲେ, ଶିକ୍ଷା କେବଳ ଯେ ଆମର ଜ୍ଞାନର ବିକାଶ କରିଥାଏ ତା’ ନୁହେଁ, ଏହା ଉପରେ ଗୋଟିଏ ରାଷ୍ଟ୍ରର ବିକାଶ ଓ ସମୃଦ୍ଧି ନିର୍ଭର କରେ। ରାଷ୍ଟ୍ର ଗଠନରେ ନୂତନ ଶିକ୍ଷାନୀତିର ଏକ ପ୍ରମୁଖ ଭୂମିକା ରହିଛି। ତେଣୁ ଆମ ରାଜ୍ୟରେ ଖୁବ୍‍ଶୀଘ୍ର ନୂତନ ଶିକ୍ଷାନୀତି ପ୍ରଚଳନ ହେବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ। ଇଆଇଏମ୍‍ ନାଗପୁରର ନିର୍ଦ୍ଦେଶକ ପ୍ରଫେସର୍‌ ଭୀମରାୟା ମେତ୍ରି କହିଲେ, ଶିକ୍ଷା କ୍ଷେତ୍ରରେ ଅନ୍ତର୍ଭୁକ୍ତୀକରଣ ବିଶେଷକରି ଜନଜାତିଙ୍କ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ରରେ କିଟ୍‍ ସମସ୍ତଙ୍କ ଉଦାହରଣ ପାଲଟିଛି। ଜାତୀୟ ଶିକ୍ଷାନୀତିରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ ସହ ମୂଲ୍ୟବୋଧ ଓ ପରମ୍ପରାର ସମନ୍ୱୟ ଘଟିଛି ବୋଲି ସେ କହିଥିଲେ। ଶିକ୍ଷାର ମାଧ୍ୟମ ରୂପେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯିବା ସହ ସଂସ୍କୃତକୁ ଦ୍ୱିତୀୟ ଭାଷା ଭାବେ ଗ୍ରହଣ କରିବାକୁ ଆଇଆଇଟି ଧରୱାଡ୍‌ର ନିର୍ଦ୍ଦେଶକ ପ୍ରଫେସର୍‌ ଭି.ଆର୍‌ ଦେଶାଇ ପରାମର୍ଶ ଦେଇଥିଲେ। ଯୋଧପୁର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପୁନମ ସାକ୍‍ସେନା ବର୍ତ୍ତମାନ ସମୟରେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ କିଟ୍‍ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ମାନବିକ ମୂଲ୍ୟବୋଧ ଓ ଦୟାଶୀଳ ଉପରେ ପର୍ଯ୍ୟବସିତ କିଟ୍‍ ହେଉଛି ଏକ ସମାଜ ଆଧାରିତ ଅନୁଷ୍ଠାନ। ଚଳିତ ବର୍ଷ କିଟ୍‍ ତା’ର ରୌପ୍ୟଜୟନ୍ତୀ ପାଳନ କରୁଥିବା ବେଳେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କିଟ୍‍ ସହ ଜଡ଼ିତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଶିକ୍ଷାରେ ଅନ୍ତର୍ଭୁକ୍ତୀକରଣ ସମେତ ଜାତୀୟ ଶିକ୍ଷାନୀତିର ସମସ୍ତ ଉଦ୍ଦେଶ୍ୟ କିଟ୍‍ ପୂରଣ କରୁଛି ବୋଲି ଶ୍ରୀ ସାମନ୍ତ କହିଥିଲେ।

କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ସର୍ବଭାରତୀୟ ସ୍ତରର ଶତାଧିକ ବିଶ୍ୱବିଦ୍ୟାଳୟର କୁଳପତି ଓ ବିଭିନ୍ନ ଆଇଆଇଟି, ଆଇଆଇଏମର ନିଦ୍ଦେର୍ଶକଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟରୁ ୩ଶହରୁ ଊର୍ଦ୍ଧ୍ୱ ଅଧ୍ୟକ୍ଷ ଓ ଶିକ୍ଷାବିତ୍‍ ଯୋଗ ଦେଇଥିଲେ। ଦିନତମାମ ୫ଟି ବିଭିନ୍ନ ସମାନ୍ତରାଳ ଅଧିବେଶନ, ତିନୋଟି ରାଉଣ୍ଡ ଟେବୁଲ୍‌ ଅଧିବେଶନ ଓ ଡିଜିଟାଲ୍‍ ଲାଇବ୍ରେରି ଉପରେ ଗୋଟିଏ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର