‘ଅନ୍ତର୍ଜାତୀୟ ଉଡ଼ାନ୍‌’: କେନ୍ଦ୍ର ସର୍ତ୍ତ ଅଡ଼ୁଆ

୧୦୦% ଭିଜିଏଫ୍ ଦେବେ ନା ନିଜେ ଟେଣ୍ଡର ଆହ୍ବାନ କରିବେ
ଆର୍‌ସିଏସ୍‌-ଉଡ଼ାନ୍‌ ଭଳି ସବ୍‌ସିଡି ଚାହୁଛି ରାଜ୍ୟ

ଭୁବନେଶ୍ବର : ଖୁବଶୀଘ୍ର ବିଦେଶକୁ ବିମାନ ଉଡ଼ାଣ ପାଇଁ ‘ଅନ୍ତର୍ଜାତୀୟ ଉଡ଼ାନ୍’ ଯୋଜନା ଆରମ୍ଭ କରିବାକୁ ଯାଉଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। ଏଥିରେ ଭୁବନେଶ୍ବରରୁ ୭ଟି ରୁଟ୍‌ ଯଥା ଦୁବାଇ, ଆବୁଧାବି, ବ୍ୟାଙ୍କକ୍, କ୍ବାଲାଲମ୍ପୁର, କଲୋମ୍ବୋ, ସିଙ୍ଗାପୁର, କାଠମାଣ୍ଡୁକୁ ବିମାନ ଉଡ଼ାଣ ପାଇଁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। କିନ୍ତୁ ସର୍ତ୍ତ ରଖିଛି ଯେ, ରାଜ୍ୟ ସରକାର ବିମାନ କମ୍ପାନିକୁ ୧୦୦% ଭାଏବଲ୍ ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍‌) ବା ସବ୍‌ସିଡି ଦେଲେ ହିଁ ଏହି ରୁଟ୍‌ରେ ବିମାନ ଉଡ଼ାଣ ପାଇଁ ବିଡିଂ ହେବ। ଏହି ସବ୍‌ସିଡି ପ୍ରଦାନ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଏହି ପ୍ରସ୍ତାବ ପରେ ଏବେ ଭୁବନେଶ୍ବରରୁ ବିଭିନ୍ନ ଦେଶକୁ ବିମାନ ଉଡ଼ାଣ ନେଇ ସମ୍ଭାବନା ସୃଷ୍ଟି ହୋଇଛି। ହେଲେ ରାଜ୍ୟ ସରକାର କେତେ ଅର୍ଥ ଦେଇପାରିବେ ତାହା ଉପରେ ସବୁ ନିର୍ଭର କରୁଛି। କାରଣ ପୂର୍ବରୁ ଏହି ଭିଜିଏଫ୍ ବା ସବ୍‌ସିଡି ଦେଇ ରାଜ୍ୟ ସରକାର ଭୁବନେଶ୍ବରରୁ କ୍ବାଲାଲମ୍ପୁରକୁ ବିମାନ ଉଡ଼ାଣ କରିବାରେ ସକ୍ଷମ ହୋଇଥିଲେ। ସବ୍‌ସିଡି ଦେଲେନି ବୋଲି ଭୁବନେଶ୍ବରରୁ ବ୍ୟାଙ୍କକ୍‌କୁ ଏୟାର ଇଣ୍ଡିଆ ଓ ଏୟାର ଏସିଆ ବିମାନ ଉଡ଼ାଣ କରିଥିଲେ ହେଁ ତାହା କିଛି ମାସରେ ବନ୍ଦ ହୋଇଯାଇଥିଲା। ତେଣୁ ରାଜ୍ୟ ସରକାର କେଉଁ ରୁଟ୍‌ ପାଇଁ ‌େକତେ ସବ୍‌ସିଡି ଦେବାକୁ ରାଜି ହେଉଛନ୍ତି ତାହାକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।

ବାଣିଜ୍ୟ ଓ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଭାରତରେ ଓଡ଼ିଶା ପ୍ରଥମ ରାଜ୍ୟ ଯେଉଁଠି ରାଜ୍ୟ ସରକାର ଭିଜିଏଫ୍ ଦେଇ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରିଥିଲେ। ଆମର ଏନେଇ ଅଭିଜ୍ଞତା ରହିଛି। ଯଦି ଆମେ ବିଦେଶକୁ ବିମାନ ଉଡ଼ାଣ ପାଇଁ ଶତ ପ୍ରତିଶତ ଭିଜିଏଫ୍ ଦେବୁ ତେବେ ଆମେ କାହିଁକି ମନ୍ତ୍ରଣାଳୟ ପକ୍ଷରୁ ହେବାକୁ ଥିବା ବିଡିଂରେ ଭାଗ ନେବୁ। ଆମେ ବିଡିଂ କଲେ ଏୟାରଲାଇନ୍ସ ସହ ଭିଜିଏଫ୍‌ ନେଇ ମୂଲଚାଲ କରିପାରିବୁ। ଏହାବାଦ୍ ଏୟାରଲାଇନ୍ସକୁ କେତେ କମ୍‌ ମାସ/ବର୍ଷ ଭିଜିଏଫ୍ ଦେବୁ ତାହା ସର୍ତ୍ତ ରଖିବୁ। ଭିଜିଏଫ୍‌ ବନ୍ଦ କଲେ ବି କେତେ ବର୍ଷ ବିମାନ ଉଡ଼ାଣ ବାଧାପ୍ରାପ୍ତ ହେବନି ତାହା ସର୍ତ୍ତ ରଖିପାରିବୁ। ‌ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କରିଥିବା ବିଡିଂରେ ଭାଗନେଲେ ଆମେ କେବଳ ଅର୍ଥ ଦେବୁ, ଆମର ବିମାନ ଉଡ଼ାଣ ସଂସ୍ଥା ଉପରେ କିଛି କର୍ତ୍ତୃତ୍ବ ରହିବନି।

ଏବେ ବେସାମରିକ ବିମାନ ଚଳା‌ଚଳ ମନ୍ତ୍ରଣାଳୟ ଆର୍‌ସିଏସ୍‌ ଉଡ଼ାନ୍ ଯୋଜନାରେ ଅନ୍ତଃରାଜ୍ୟ ବିମାନ ଉଡ଼ାଣ ପାଇଁ ଯେପରି ୮୦% ଏବଂ ରାଜ୍ୟ ସରକାର ୨୦% ଭିଜିଏଫ୍‌ ଦେଉଛନ୍ତି ସେହିଭଳି ନିୟମ ହେଲେ ଆମର ଫାଇଦା ହେବ। ନହେଲେ ଆମେ ଅର୍ଥ ଦେବୁ, କିନ୍ତୁ କିଛି ଲାଭ ହେବନି।

ପରିବହନ ବିଭାଗର ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଦୁଇ ଦିନ ତଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ହୋଇଥିବା ଆଲୋଚନା ବେଳେ କେନ୍ଦ୍ର ମନ୍ତ୍ରୀ ଏହି ପ୍ରସ୍ତାବ ଦେଇଛନ୍ତି। ହେଲେ ଯେଉଁ ୭ଟି ରୁଟ୍‌ରେ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଦେଇଛନ୍ତି ସେଥିରୁ ସବୁ ରୁଟ୍‌ରେ ସବ୍‌ସିଡି ଦେଇ ବିମାନ ଚଳାଇବା ସମ୍ଭବ ନୁହେଁ। ଆମେ କ୍ବାଲାଲମ୍ପୁରକୁ ଯଦି ବିମାନ ଉଡ଼ାଣ ପାଇଁ ସବ୍‌ସିଡି ଦେବୁ ତେବେ ଆମକୁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ସିଙ୍ଗାପୁର, ଥାଇଲାଣ୍ଡ ଭଳି ଦେଶକୁ ସଂଯୋଗୀକରଣ ବିମାନ ମିଳିବ। କଲୋ‌େମ୍ବା, କାଠମାଣ୍ଡୁକୁ ସବ୍‌ସିଡି ଦେଇ ବିମାନ ଉଡ଼ାଣ କଲେ ବିଶେଷ ଲାଭ ହେବନି। ତେଣୁ ଗୋଟିଏ ରୁଟ୍‌ ପାଇଁ ସବ୍‌ସିଡି ଦେବାକୁ ଯୋଜନା କରିଛୁ। କିନ୍ତୁ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୋଇନି।

ଅପରପକ୍ଷେ କ୍ବାଲାଲମ୍ପୁର, ବ୍ୟାଙ୍କକ୍‌କୁ ଏୟାର ଏସିଆ ବିମାନ ଉଡ଼ାଣ ପଛରେ ପ୍ରମୁଖ ଭୂମିକା ନିଭାଇଥିବା ହୋଟେଲ କ୍ରାଉନ୍‌ର ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟ ସରକାର ଅତି କମ୍‌ରେ ଦୁଇଟି ରୁଟ୍‌ରେ ସବ୍‌ସିଡି ଦେଇ ବିମାନ ଉଡ଼ାଣ କରନ୍ତୁ। ଏବେ କ୍ବାଲାଲମ୍ପୁରକୁ ଏୟାର ଏସିଆ ବିମାନ ଉଡ଼ାଣ କରୁଛି। ତେଣୁ ଏହି ରୁଟ୍‌ରେ ଆଉ ସବ୍‌ସିଡି ଦେଇ ବିମାନ ଚଳାଇବା ଠିକ୍ ହେବନି। ଏବେ ବ୍ୟାଙ୍କକ୍ ଏବଂ ଦୁବାଇକୁ ସବ୍‌ସିଡି ଦେଇ ବିମାନ ଉଡ଼ାଣ କଲେ ସାରା ବିଶ୍ବକୁ ଭୁବନେଶ୍ବରରୁ ବିମାନ ସଂଯୋଗ କରାଯାଇପାରିବ। ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ କଲେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ସିଙ୍ଗାପୁର, କ୍ବାଲାଲମ୍ପୁର, ଜାପାନ, ଦକ୍ଷିଣ କୋରିଆ ଭଳି ଦେଶକୁ ସଂଯୋଗୀକରଣ ବିମାନ ମିଳିବ। ଏମିତିରେ ବି ଯେତେବେଳେ ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ କରୁଥିଲା ସେତେବେଳେ କ୍ବାଲାଲମ୍ପୁର ତୁଳନାରେ ଅଧିକ ଯାତ୍ରୀ ଏହି ରୁଟ୍‌ରେ ହେଉଥିଲେ। ସେହିପରି ଦୁବାଇକୁ ବିମାନ ଉଡ଼ାଣ ହେଲେ ୟୁରୋପୀୟ ଦେଶ ଏବଂ ଆମେରିକା ଭଳି ଦେଶକୁ ସୁବିଧାରେ ସଂଯୋଗ କରାଯାଇପାରିବ। ଲୋକମାନେ କମ୍‌ ଭଡ଼ାରେ ବିମାନ ଯାତ୍ରା କରିପାରିବେ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଏୟାର ଏସିଆ ବରହାଦ୍‌କୁ ୨୬.୪.୨୦୧୭ରୁ ୨୫.୦୪.୨୦୧୮ ମଧ୍ୟରେ ପ୍ରତି ରାଉଣ୍ଡ ଟ୍ରିପ୍ ପାଇଁ ୧ଲକ୍ଷ ୭୦ହଜାର ଟଙ୍କା ଦେଉଥି‌ଲେ। ଏହାପରେ ୨୬.୦୪.୨୦୧୮ରୁ ୨୫.୦୪.୨୦୧୯ ମଧ୍ୟରେ ୯୭,୫୦୦ଟଙ୍କା ଲେଖାଏଁ ରାଉଣ୍ଡ ଟ୍ରିପ୍ ପିଛା ଦେଇଥିଲେ। ଏହିପରି ୨୦୧୭-୧୮ରେ ୪କୋଟି ୪୩ଲକ୍ଷ ୭୦ହଜାର ଟଙ୍କା ଏବଂ ୨୦୧୮-୧୯ରେ ୨କୋଟି ୫୩ଲକ୍ଷ ୬ହଜାର ଟଙ୍କା ସବ୍‌ସିଡି ଦେଇଛନ୍ତି। କିନ୍ତୁ ୨୦୧୯-୨୦ରେ କୌଣସି ସବ୍‌ସିଡି ଦିଆଯାଇନି। ‌ଏହାପରେ ମାର୍ଚ୍ଚ, ୨୦୨୦ରୁ କରୋନା ପାଇଁ ବିମାନ ଉଡ଼ାଣ ବନ୍ଦ ରହିଛି। ଯେତେବେଳେ କି ୨୦୧୭ରେ କ୍ବାଲାଲମ୍ପୁରରୁ ଭୁବନେଶ୍ବରକୁ ୨୩,୧୬୪ଜଣ, ୨୦୧୮ରେ ୩୧,୬୯୭ଜଣ, ୨୦୧୯ରେ ୨୫,୫୨୩ଜଣ ଏବଂ ୨୦୨୦ରେ ତିନି ମାସରେ ୪୩୪୨ଜଣ ଯାତ୍ରୀ ଆସିଛନ୍ତି।

ସମ୍ବନ୍ଧିତ ଖବର