ବିଳମ୍ବିତ ନିର୍ମାଣ ଯୋଗୁଁ ୧୫ ସେଚ ପ୍ରକଳ୍ପର ବ୍ୟୟ ଅଟକଳ ୫ଗୁଣ ବଢ଼ିଛି

ଭୁବନେଶ୍ୱର : ବିଳମ୍ବିତ ନିର୍ମାଣ ଯୋଗୁଁ ୧୯ଟି ବୃହତ ଓ ମଧ୍ୟମ ନଦୀବନ୍ଧ ତଥା ସେଚ ପ୍ରକଳ୍ପ ମଧ୍ୟରୁ ୧୫ଟି ପ୍ରକଳ୍ପର ବ୍ୟୟ ଅଟକଳ ମୂଳ ଆକଳନଠାରୁ ପ୍ରାୟ ୫ଗୁଣ ବୃଦ୍ଧି ପାଇଛି। ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୧୫ଟି ବୃହତ ଓ ମଧ୍ୟମ ପ୍ରକଳ୍ପର ମୂଳ ଅଟକଳ ୩୨୨୪ କୋଟି ୬୭ ଲକ୍ଷ ଟଙ୍କା ଥିବା ବେଳେ ତାହା ଏବେ ୧୬,୨୪୩ କୋଟି ୬୮ ଲକ୍ଷ ଟଙ୍କାକୁ, ଅର୍ଥାତ ୫ଗୁଣରୁ ଅଧିକ ବୃଦ୍ଧି ପାଇଛି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଆନ୍ତଃରାଜ୍ୟ ସୁବର୍ଣ୍ଣରେଖା ବହୁମୁଖୀ ପ୍ରକଳ୍ପରେ ଓଡ଼ିଶା ଭାଗରେ ଥିବା କେନାଲ ପ୍ରକଳ୍ପ ପାଇଁ ମୂଳ ଅଟକଳ ୨୮୫ କୋଟି ଥିଲା ବେଳେ ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ ଶେଷ ନହେବାରୁ ସଂଶୋଧିତ ବ୍ୟୟ ଅଟକଳ ଇତିମଧ୍ୟରେ ୪୭୬୪ କୋଟି ୨୮ ଲକ୍ଷ ଟଙ୍କାକୁ ଅର୍ଥାତ ୪୪୭୯.୨୮ କୋଟି ଟଙ୍କା ବୃଦ୍ଧି ପାଇଛି। ଏହାର କାର୍ଯ୍ୟ ୨୦୨୩–୨୪ରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ରେଙ୍ଗାଳି ଦକ୍ଷିଣ ଶାଖା କେନାଲ ନିର୍ମାଣ ପାଇଁ ମୂଳ ଆକଳନ ଥିଲା ୭୩୮ କୋଟି ୨୭ ଲକ୍ଷ ଟଙ୍କା। ପ୍ରକଳ୍ପ ୨୦୨୩–୨୪ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଲକ୍ଷ୍ୟ ଥିଲା ବେଳେ ଇତିମଧ୍ୟରେ ବ୍ୟୟ ଅଟକଳ ୧୯୬୨ କୋଟି ୩୩ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି; ଯାହା ମୂଳ ଅଟକଳଠାରୁ ୧୨୨୪ କୋଟି ୬ ଲକ୍ଷ ଟଙ୍କା ଅଧିକ। ମାତ୍ର ୨୧୧ କୋଟି ୭୦ ଲକ୍ଷ ଟଙ୍କା ଅଟକଳରେ ଆରମ୍ଭ ହୋଇଥିବା ଲୋୟର ଇନ୍ଦ୍ର ପ୍ରକଳ୍ପର ବ୍ୟୟ ଅଟକଳ ଏବେ ୧୭୫୩ କୋଟି ୬୪ ଲକ୍ଷ ଟଙ୍କାକୁ ବଢ଼ିଛି। ଲୋୟର ସୁକତେଲ ପ୍ରକଳ୍ପର ମୂଳ ଅଟକଳ ଥିଲା ୨୧୭ କୋଟି ୧୩ ଲକ୍ଷ ଟଙ୍କା। ଏବେ ତାହା ୧୦ଗୁଣରୁ ଅଧିକ ବୃଦ୍ଧି ପାଇ ୨୪୪୮ କୋଟି ୯ ଲକ୍ଷ ଟଙ୍କାରେ ପହଞ୍ଚିଲାଣି। ଆନନ୍ଦପୁର ବ୍ୟାରେଜ୍‌ ପ୍ରକଳ୍ପର ମୂଳ ଆକଳନ ଥିଲା ୫୮୧ କୋଟି ୪୦ ଲକ୍ଷ ଟଙ୍କା। ପ୍ରକଳ୍ପ କାମ ଶେଷ ହେବାକୁ ଆହୁରି ୪ ବର୍ଷ ଲାଗିବାକୁ ଥିବା ବେଳେ ବ୍ୟୟ ଅଟକଳ ୫ଗୁଣରୁ ଅଧିକ ବଢ଼ି ୨୯୯୦ କୋଟି ୫ ଲକ୍ଷ ଟଙ୍କାରେ ପହଞ୍ଚିବ ବୋଲି ଏବେ ହିସାବ କରାଯାଇଛି। ଗତ ୯୦ ଦଶକର ପ୍ରାରମ୍ଭରେ ବୈତରଣୀ ନଦୀରେ ଆରମ୍ଭ ହୋଇଥିବା କାନପୁର ଜଳସେଚନ ପ୍ରକଳ୍ପର ମୂଳ ଅଟକଳ ଥିଲା ୪୨୮ କୋଟି ୩୨ ଲକ୍ଷ ଟଙ୍କା। ୨୦୨୩–୨୪ ସୁଦ୍ଧା ପ୍ରକଳ୍ପ ଶେଷ ହେବାକୁ ଲକ୍ଷ୍ୟ ଥିବା ବେଳେ ବ୍ୟୟ ଅଟକଳ ୬ଗୁଣ ବଢ଼ି ୨୪୩୮ କୋଟି ୨୯ ଲକ୍ଷ ଟଙ୍କାରେ ପହଞ୍ଚିବ ବୋଲି ଏ ବର୍ଷ ଆକଳନ କରାଯାଇଛି। ରେଙ୍ଗାଳି (ବାମ କେନାଲ), ଗଙ୍ଗାଧର ମେହେର ଉଠା ସେଚ ପ୍ରକଳ୍ପ ଓ ଅପର ଇନ୍ଦ୍ରାବତୀ ସେଚ ପ୍ରକଳ୍ପର ମୂଳ ଅଟକଳ ଯଥାକ୍ରମେ ୨୨୫୫ କୋଟି ୩୦ ଲକ୍ଷ, ୧୨୪୬ କୋଟି ୫୬ ଲକ୍ଷ ଓ ୯୮୬ କୋଟି ୭୧ ଳକ୍ଷ ଟଙ୍କା ଅପରିବର୍ତ୍ତିତ ଥିବାବେଳେ ଆସନ୍ତା ୨୦୨୧ ମାର୍ଚ୍ଚ ସୁଦ୍ଧା ଏହି ୩ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଛି।

ତେବେ ମଧ୍ୟମ ସେଚ ପ୍ରକଳ୍ପ ମଧ୍ୟରେ ଛେଳିଗଡ଼ ପ୍ରକଳ୍ପର ବ୍ୟୟ ଅଟକଳ ୫୨.୯୬ କୋଟିରୁ ୭୦୮ କୋଟି ୬ ଲକ୍ଷ (୧୨ ଗୁଣ), ଦେଓ ପ୍ରକଳ୍ପ ୮୧ କୋଟି ୮୨ ଲକ୍ଷ ଟଙ୍କାରୁ ୯୪୧ କୋଟି ୪୦ ଲକ୍ଷ (୯ଗୁଣ), ହାଡ଼ୁଆ ପ୍ରକଳ୍ପ ୬୧.୪୮ କୋଟିରୁ ୩୨୩ କୋଟି ୩୮ ଲକ୍ଷ ଟଙ୍କା (୫ ଗୁଣରୁ ବେଶି), ଅଙ୍ଗ ସମ୍ପ୍ରସାରଣ ପ୍ରକଳ୍ପ ୨୬ କୋଟି ୮୮ ଲକ୍ଷରୁ ୨୨୧ କୋଟି ୩୪ କୋଟି (ଅଢ଼େଇ ଗୁଣ), ଘଟକେଶ୍ୱର ପ୍ରକଳ୍ପ ୨୯.୧୫ କୋଟିରୁ ୧୧୮ କୋଟି ୯୫ ଲକ୍ଷ (୪ ଗୁଣ), ମହେନ୍ଦ୍ର ତନୟା ୩୮ କୋଟିରୁ ୯୯.୩୪ କୋଟି (ଅଢ଼େଇ ଗୁଣ), ମନଯୋର ପ୍ରକଳ୍ପ ୨୨୬.୭୭ କୋଟିରୁ ୪୧୭ କୋଟି ୫୬ ଲକ୍ଷ ଏବଂ ରାଜୁଆ ପ୍ରକଳ୍ପ ବ୍ୟୟ ମୂଳ ଅଟକଳ ୧୪.୩୦ କୋଟିରୁ ୩୫ କୋଟି ୩୨ ଲକ୍ଷ ଟଙ୍କାକୁ (୨୩୦%) ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର