ଆସାମ ପରେ ଏବେ ଓଡ଼ିଶାରେ ଲାଗୁ ହେବ କି ଏନ୍ଆରସି ? 

ଓଡିଶାରୁ ତଡିପାର ହେବେ କି ବାଂଲାଦେଶୀ ଅନୁପ୍ରବେଶକାରୀ !

ଭୁବନେଶ୍ୱର ( ବୌଦ୍ଧାୟନ ଆଚାର୍ଯ୍ୟ): ପ୍ରକାଶ ପାଇଛି  ଆସାମର ନ୍ୟାସନାଲ୍ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏନଆରସି)ରେ ସ୍ଥାନୀତ ବ୍ୟକ୍ତିଙ୍କ ନାମ ତାଲିକା | ଏହି ତାଲିକାରେ ସ୍ଥାନ ପାଇବା ଲାଗି ୩ କୋଟି ୧୧ ଲକ୍ଷ ୨୧ ହଜାର ୦୦୪ ଜଣ ବ୍ୟକ୍ତି ଯୋଗ୍ୟତା ହାସଲ କରିଥିବା ବେଳେ ୧୯ ଲକ୍ଷ ୬ ହଜାର ୬୫୭ ଜଣ ନାଗରିକ ତାଲିକାରୁ ବାଦ ପଡିଛନ୍ତି | ଆସାମ ପରେ ଓଡ଼ିଶାର ପାଳି ପଡ଼ିବ କି, ଏହାକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି | କାରଣ ଓଡ଼ିଶାରେ ମଧ୍ୟ ଅନେକ ବାଂଲାଦେଶୀ ଅନୁପ୍ରବେଶକାରୀ ସ୍ଥାୟୀ ଭାବେ ବସବାସ କରୁଛନ୍ତି।

ଏହି  ପ୍ରସଙ୍ଗକୁ ମୋଦୀ ସରକାର ଗୁରୁତ୍ବର ସହ ବିଚାର କରୁଛନ୍ତି  | ଖୋଦ ଗୃହ ମନ୍ତ୍ରୀ ଅମିତ ଶାହା ଏ ବାବଦରେ ସଙ୍କେତ ମଧ୍ୟ ଦେଇସାରିଛନ୍ତି | ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ଏନଆରସିକୁ ଦେଶର ସବୁ ରାଜ୍ୟରେ ଲାଗୁ କରାଯିବ । ଦେଶର ପ୍ରତି ଇଞ୍ଚରେ ଥିବା ବେଆଇନ ପ୍ରବାସୀଙ୍କୁ ଅନ୍ତର୍ଜାତୀୟ ଆଇନ ଅନୁସାରେ ଭାରତରୁ ସେମାନଙ୍କ ଦେଶକୁ ପଠାଇଦିଆଯିବ । ପୂର୍ବରୁ ମଧ୍ୟ ଶାହା କହିଥିଲେ ଯେ ଯେଉଁମାନେ ନିଜର ନାଗରିକତ୍ବ ପ୍ରମାଣ କରିପାରିବେ ନାହିଁ ସେମାନଙ୍କ ପାଇଁ ଆମ ଦେଶରେ ରହିବାର ଅଧିକାର ନାହିଁ । ସେମାନେ ଭୋଟ ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଥିଲେ ।

Image Source: Zee News

ଏବେ ନଜର ପକାନ୍ତୁ ଏହି ପରିପ୍ରେକ୍ଷୀରେ ଓଡ଼ିଶାର ସ୍ଥିତି କ’ଣ ? ବାସ୍ତବରେ ହଜାର ହଜାର ସଂଖ୍ୟାରେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଆସି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଓ ମହାକାଳପଡ଼ା ଜିଲ୍ଲାରେ ନିଜର ଆସ୍ଥାନ ଜମାଇ ସାରିଛନ୍ତି। ଅଭିଯୋଗ ହେଉଛି କି ସ୍ଥାନୀୟ ରାଜନେତାଙ୍କୁ ହାତ କରି କିଏ ଭୋଟ୍‌ ପରିଚୟପତ୍ର ହାସଲ କରିନେଲାଣି ତ କିଏ ଆଧାର କାର୍ଡ ପ୍ରସ୍ତୁତ କରି ନେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଓ ମହାକାଳପଡ଼ା ବ୍ଲକ୍‌ର ଏମିତି କିଛି ଅଞ୍ଚଳ ଅଛି ଯାହାକୁ ଲୋକେ ‘ମିନି ବାଂଲାଦେଶ’ ବୋଲି କହୁଛନ୍ତି। ସେଠାରେ ଲୋକେ ବଙ୍ଗଳାରେ କଥା ହେଉଥିବା ବେଳେ ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା ଦିଆସିଲି ,ମହମବତୀ ଠାରୁ ଆରମ୍ଭ କରି ସାବୁନ ସବୁଥିରେ ମେଡ୍‌ ଇନ୍‌ ବାଂଲାଦେଶ ଲେଖାଯାଇଥିବା ଦେଖିବାକୁ ମିଳେ।

କେନ୍ଦ୍ରାପଡ଼ା ଜିଲ୍ଲାର ଏହିି ଦୁଇଟି ବ୍ଲକ୍‌ ସମୁଦ୍ର କୂଳରେ ରହିଛି। ତେଣୁ ବୋଟ୍‌, ଭୁଟିଭୁଟି ସହିତ ଜଳପଥକୁ ବ୍ୟବହାର କରି ବାଂଲାଦେଶୀମାନେ ଆସି ଏହି ଦୁଇ ବ୍ଲକ୍‌ରେ ପହଞ୍ଚି ଯାଉଛନ୍ତି। ସେମାନଙ୍କ ସହଯୋଗ କରୁଛନ୍ତି ଏକ ବଡ଼ ଧରଣର ର‍୍ୟାକେଟ୍‌। ପ୍ରଥମେ କିଛିଦିନ ଏହି ବାଂଲାଦେଶୀମାନେ ନିଜକୁ ପଶ୍ଚିମବଙ୍ଗର ଲୋକ ବୋଲି ପରିଚୟ ଦେବା ସହିତ ବନ୍ଧୁ ଘରକୁ ଆସିଥିବା କହି ସେମାନଙ୍କ ସମ୍ପର୍କୀୟମାନଙ୍କ ଘରେ ରହି ଯାଉଛନ୍ତି । ପରେ ନିଜ ପାଇଁ ସେଠାରେ ସ୍ଥାୟୀ ଠିକଣା ଯୋଗାଡ଼ କରି ନେଉଛନ୍ତି।

ପୂର୍ବରୁ ‘ସମ୍ବାଦ’ ପକ୍ଷରୁ ଏ ବାବଦରେ ହୋଇଥିବା ଅନୁସନ୍ଧାନରେ କିଛି ଏଭଳି ସଙ୍ଗୀନ ଘଟଣା ସାମ୍ନାକୁ ଆସିଥିଲା | ଯେଉଁଠି କେନ୍ଦ୍ରାପଡ଼ାର ଜଣେ ବ୍ୟକ୍ତିଙ୍କ ୩ ପୁଅଙ୍କ ଭିତରୁ ବଡ଼ପୁଅ ବାଂଲାଦେଶର ନାଗରିକ ହୋଇଥିବା ବେଳେ ସାନ ଦୁଇ ପୁଅ କିନ୍ତୁ ଭାରତୀୟ ନାଗରିକ ଭାବେ ପରିଚିତ ହେଉଥିଲେ | କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବଉଳକଣୀ ଗାଁର ଲୁଣାଘେରି ଗାଁ। ଏହି ଗାଁର ଅଜିତ ବୈଦ୍ୟଙ୍କ ସମେତ ତାଙ୍କ ପୁଅ ଗୌରାଙ୍ଗ ବୈଦ୍ୟ ଓ ନିତ୍ୟାନନ୍ଦ ବୈଦ୍ୟଙ୍କୁ ୨୦୦୪ ଡିସେମ୍ବର ୨୮ ତାରିଖରେ ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶାନ୍ତର ନୋଟିସ ଦିଆଯାଇଥିଲା। ୩୦ ଦିନ ମଧ୍ୟରେ ଭାରତ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଥିଲା। ଦେଶାନ୍ତର ନୋଟିସ ପାଇବାର ୧୫ବର୍ଷ ପରେ ବି ସେମାନେ ଭାରତୀୟ ଭାବେ ସମସ୍ତ ସୁବିଧା ସୁଯୋଗ ଭୋଗ କରୁଛନ୍ତି। ଏଥିସହ ଗୌରାଙ୍ଗ ୨୦୦୭ରୁ ସରକାରୀ ଚାକିରି କରିଆସୁଛନ୍ତି।

ବାଂଲା ନାଗରିକଙ୍କୁ ସରକାରୀ ଚାକିରି କିଭଳି ମିଳିଥିଲା ତାହାକୁ ନେଇ ଖବର ମଧ୍ୟ ପ୍ରକାଶ ପାଇଥିଲା | କେନ୍ଦ୍ରାପଡ଼ା ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀ ଥିବା ନେଇ ଜିଲ୍ଲା ପ୍ରଶାସନ ମଧ୍ୟ ଜାଣିଛି। ୨୦୦୩ରେ ଓଡିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଥିଲା। ଚିହ୍ନଟ ବେଳେ ଜିଲ୍ଲାର ମହାକାଳପଡା ବ୍ଲକରେ ୧୫୫୧ଜଣ, ପଟ୍ଟାମୁଣ୍ତାଇରେ ୯୬ଜଣ ଓ ରାଜନଗର ବ୍ଲକରେ ୩୦ଜଣ ଅନୁପ୍ରବେଶକାରୀଙ୍କୁ ସରକାରୀ ସ୍ତରରେ ଚିହ୍ନଟ କରାଯାଇଥିଲା। ରାଜନଗର ଓ ମହାକାଳପଡା ବ୍ଲକ୍‌ରେ ପ୍ରାୟ ୩୦ହଜାରରୁ ଅଧିକ ବାଂଲାଦେଶୀ ଥିବା ବେଳେ ସରକାରୀ ସ୍ତରରେ ଏହି ସଂଖ୍ୟା କିପରି ଏତିକିରେ ସୀମିତ ରହିଲା ସେ ନେଇ ସବୁ ମହଲରେ ପ୍ରଶ୍ନ ଉଠିଥିଲା। ତେଣୁ ଏ ଦିଗରେ ଦୃଢ଼ ରାଜନୈତିକ ଇଛାଶକ୍ତି ସହିତ ଅବୈଧ ବାଂଲାଦେଶୀଙ୍କୁ ଦେଶାନ୍ତର କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଦାବି ହେଉଛି।

ସମ୍ବନ୍ଧିତ ଖବର