ସ୍କୁଲକୁ ବହି ଯୋଗାଣ ପ୍ରସଂଗ: ଟେଣ୍ଡର ପାଇଁ ବାଟ ଫିଟିଲା

କଟକ : ଓଡ଼ିଆ ମାଧ୍ୟମ  ସ୍କୁଲ ପାଠାଗାରକୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବହି ଯୋଗାଣ ଲାଗି ଆରମ୍ଭ ହୋଇଥିବା ଟେଣ୍ଡର ଚୂଡ଼ାନ୍ତ ନ କରିବାକୁ ମାର୍ଚ୍ଚ ୧୯ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ହାଇକୋର୍ଟ ଉଠାଇ ଦେଇଛନ୍ତି।

ଏହି ଟେଣ୍ଡର ପ୍ରକ୍ରିୟାରେ ବହି ଚୟନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ସାତ ଜଣିଆ କମିଟି ଗଠନ କରାଯାଇଥିଲା। ଏହି କମିଟିର ସଦସ୍ୟଙ୍କ ଦ୍ବାରା ଲେଖା ଯାଇଥିବା କୌଣସି ବହିକୁ ଟେଣ୍ଡର ପ୍ରକ୍ରିୟାରେ ଯୋଗାଣ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ୨୦୨୧, ଫେବ୍ରୁଆରି ୧୮ରେ ନିଷ୍ପତ୍ତି ନିଆଯାଇଥିଲା। ସମଗ୍ର ଟେଣ୍ଡର ପ୍ରକ୍ରିୟାରେ ସ୍ବଚ୍ଛତା ରକ୍ଷା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦର୍ଶାଯାଇଥିବା ଯୁକ୍ତିକୁ ହାଇକୋର୍ଟ ଗ୍ରହଣ କରି ମାର୍ଚ୍ଚ ୧୯ର ଅନ୍ତରୀଣ ଅାଉ ବଳବତ୍ତର ରହିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି। ମାମଲାର ଚୂଡାନ୍ତ ଶୁଣାଣି ସେପ୍ଟେମ୍ବର ୨୮କୁ ଧାର୍ଯ୍ୟ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ.ଦାଶଙ୍କ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସିନିୟର ଷ୍ଟାଣ୍ଡିଂ କାଉନସିଲ ଏସ.କେ.ପରିଡା ଓ ଅନ୍ୟ ପ୍ରତିପକ୍ଷଙ୍କ ତରଫରୁ ଅାଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର