ସରକାର ଅନ୍‌ଲାଇନ୍‌ କ୍ଲାସ ବନ୍ଦ କରିବା ଦୁର୍ଭାଗ୍ୟଜନକ: ଛାତ୍ର କଂଗ୍ରେସ ସଭାପତି

ଭୁବନେଶ୍ବର: କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କର ଅନ୍‌ଲାଇନ୍‌ କ୍ଲାସ୍‌ ବନ୍ଦ କରିବା ଠିକ୍‌ ହୋଇନାହିଁ। ଏହାକୁ ନିନ୍ଦା କରିଛନ୍ତି ପ୍ରଦେଶ ଛାତ୍ର କଂଗ୍ରେସ କମିଟି ସଭାପତି ୟାସିର ନୱାଜ୍‌। ଏକ ପ୍ରେସ୍‌ ବିବୃତି ଜାରି କରି ସେ ଅଭିଯୋଗ କରିଛନ୍ତି କି ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀ ଗ୍ରହଣ କରିପାରୁନାହାନ୍ତି। ଅନ୍‌ଲାଇନ୍‌ ପାଠପଢ଼ା ଯାହାକି କରୋନା ସମୟରେ ଉପଯୋଗୀ ହୋଇପାରିବ, ତାକୁ ସରକାର ଗୁରୁତ୍ବ ଦେବା କଥା। ବର୍ଷସାରା ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି। ଏପଟେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବ ମେ’ ମାସ ୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ଅବକାଶ ବୋଲି ଗତ ୪ ତାରିଖରେ ବିଜ୍ଞପ୍ତି ଜାରି କରିଦେଲେ। ଏଥିରେ ସ୍ପଷ୍ଟ ଲେଖା ଅଛି, ଏହି ଛୁଟି ସମୟରେ କୌଣସି ପ୍ରକାର ଅନ୍‌ଲାଇନ୍‌ କ୍ଲାସ୍‌ ହୋଇପାରିବ ନାହିଁ। ଏବେ ପାଠ୍ୟକ୍ରମ ସରିନାହିଁ। ଅନ୍‌ଲାଇନ୍‌ କ୍ଲାସ୍‌ ବନ୍ଦ କରିଦେଲେ ଛାତ୍ରଛାତ୍ରୀମାନଙ୍କୁ ବାକି ପାଠ୍ୟକ୍ରମର ଶିକ୍ଷା ମିଳିବ କିପରି?

ଛାତ୍ର କଂଗ୍ରେସ ସଭାପତି ଦର୍ଶାଇଛନ୍ତି, ଗତ ୩ ତାରିଖରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି ଲେଖି ଜଣାଇଛନ୍ତି, ଅଫଲାଇନ୍‌ ପରୀକ୍ଷା ବନ୍ଦ ରହିଲେ ବି ଅନ୍‌ଲାଇନ୍‌ ବ୍ୟବସ୍ଥାରେ ପରୀକ୍ଷା ଏବଂ ଅନ୍ୟାନ୍ୟ କାର୍ଯ୍ୟ ଚାଲୁ ରହିବ। ଏବେ ଛାତ୍ରଛାତ୍ରୀମାନଙ୍କର ପାଠ୍ୟକ୍ରମ ସରି ନାହିଁ, ଅଥଚ ଉଚ୍ଚଶିକ୍ଷା ଯେପରି ନିଷ୍ପତ୍ତି ନେଇଛି, ତାହା ଆଦୌ ଗ୍ରହଣୀୟ ନୁହେଁ। ତୁରନ୍ତ ଅନ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ କରିବାକୁ ଛାତ୍ର କଂଗ୍ରେସ ସଭାପତି ନୱାଜ୍‌ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର