କୋଭିଡ ହସ୍ପିଟାଲରେ ରୋଗୀଙ୍କୁ ଅବହେଳା ପ୍ରସଂଗ: ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ

କଟକ : ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କୁ ଅବହେଳା ପ୍ରସଂଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିବେଦନ କରି ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ପିଟିସନ୍ ଦାଖଲ ହୋଇଛି। ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ତରଫରୁ ଦାୟର ଆବେଦନରେ ଦର୍ଶାଯାଇଛି‌ ଯେ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଅନେକ ସମୟରେ ଚିକିତ୍ସାରେ ଅବହେଳା ଓ ରୋଗୀଙ୍କୁ ହଇରାଣ କରାଯାଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ମୟୂରଭଞ୍ଜ ଜିଲ୍ଲା ବାରିପଦା କୋଭିଡ ହସ୍ପିଟାଲରେ ମେ ୨୩ରେ ନିଜ ସଂପର୍କୀୟଙ୍କୁ ଏଭଳି ପରିସ୍ଥିତି ଯୋଗୁଁ ହରାଇଥିବା ବିଭୁଦତ୍ତ ଦାଶ ଅଭିଯୋଗ କରିଥିଲେ। କମିସନ୍ ନିଜ ତଦନ୍ତ ଶାଖା ଦ୍ବାରା ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ଆବଶ୍ୟକ। ସ୍ବାସ୍ଥ୍ୟ ସଚିବ ଓ ମୟୂରଭଞ୍ଜ ସିଡିଏମଓଙ୍କ ନିକଟରୁ କୋଭିଡ ହସ୍ପିଟାଲରେ ରୋଗୀଙ୍କୁ ଅବହେଳା ପ୍ରସଂଗରେ ରିପୋର୍ଟ ତଲବ କରାଯିବା ସହିତ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ମୃତ ରୋଗୀଙ୍କ ନିକଟ ସଂପର୍କୀୟଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର