ମଦଦୋକାନ ଖୋଲିବା ଓ ଅନ୍‌ଲାଇନ ବିକ୍ରି ପ୍ରସଂଗ: କେନ୍ଦ୍ର, ରାଜ୍ୟ ନିକଟରୁ ହାଇକୋର୍ଟଙ୍କ ଜବାବ ତଲବ

କଟକ: ମଦଦୋକାନ ଖାଲିବା ଓ ମଦ ଅନ୍‌ଲାଇନରେ ବିକ୍ରି ଅନୁମତି ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ମେ ୨୧ ତାରିଖ ପୂର୍ବରୁ ପକ୍ଷ ରଖିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ସାରାଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତୃତୀୟ ପର୍ଯ୍ୟାୟର ଲକ୍‌ଡାଉନ୍‌ ପାଇଁ ଜାରି କରାଯାଇଥିବା ନିୟମାବଳୀ ଅନୁସାରେ କେତେକ ନିର୍ଦ୍ଦିଷ୍ଟ ଜୋନ୍‌ରେ ମଦଦୋକାନ ଖୋଲିବ ବୋଲି ସ୍ପଷ୍ଟ କରାଯାଇଥିଲା। କଟକ ସହର ଗ୍ରିନ୍ ଜୋନ ହୋଇଥିବାବେଳେ ମଦଦୋକାନ ଖୋଲିବା ପାଇଁ କିଛି ଅସୁବିଧା ନଥିଲା। କିନ୍ତୁ ରାଜ୍ୟ ସରକାର ମଦଦୋକାନ ଖୋଲିବା ପାଇଁ ଅନୁମତି ଦେଇ ନଥିଲେ। ସୁପ୍ରିମକୋର୍ଟ ମଦଦୋକାନ ଖୋଲିବା ପ୍ରସଂଗରେ ଶୁଣାଣି କରି ସାମାଜିକ ଦୂରତ୍ବ ନିୟମ ପାଳନ କରି ଅନ୍‌ଲାଇନରେ ମଦ ବିକ୍ରି କରି ଘରେ ପହଞ୍ଚାଇବା ପ୍ରସଂଗରେ ବିଚାର କରିବାକୁ କହିଥିଲେ। ଏପରି ପରିସ୍ଥିତିରେ କଟକ ପୌରାଞ୍ଚଳରେ ଲାଇସେନ୍ସ୍‌ପ୍ରାପ୍ତ ମଦଦୋକାନ ଖୋଲିବାକୁ ଅନୁମତି ଦିଆଯାଉ। ସାମାଜିକ ଦୂରତ୍ବ ନିୟମ ପାଳନ କରି ଅଫ୍‌ଲାଇନ ଓ ଅନ୍‌ଲାଇନରେ ବିଦେଶୀ ମଦ ବିକ୍ରି ପାଇଁ ଅନୁମତି ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀ ପ୍ରଦୋଷ କୁମାର ରାଉତରାୟ ଓ ଅନ୍ୟମାନଙ୍କ ପକ୍ଷରୁ ଆଇନଜୀବୀ ବିପ୍ଳବ ପି.ବି ବାହାଲି ଓ କଳିଙ୍ଗକେଶରୀ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର