ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ବ୍ୟବସ୍ଥାରେ ରଖାଯିବ
ଗଲାବେଳେ ହାତ ହଲାଇଲା ଜଗା, ମା ଜଣାଇଲେ କୃତଜ୍ଞତା
କଟକ : ମୁଣ୍ଡରେ ଥିଲା ହେଲମେଟ୍, ମୁହଁରେ ମାସ୍କ। ଟା, ଟା, ବାଏ ବାଏ କରି ଦୀର୍ଘ ୪ ବର୍ଷ ପରେ ସୋମବାର ଦିନ କଟକରୁ ନିଜ ଜନ୍ମମାଟି ଫୁଲବାଣୀ ଫେରି ଯାଇଛି ଯୋଡ଼ା ମୁଣ୍ଡ ଶିଶୁ ଜଗା। ବହୁ ପୂର୍ବରୁ ବଳିଆ ଆରପାରିକୁ ଚାଲି ଯାଇଥିବା ବେଳେ ଜଗା ଆଜି ଏକୁଟିଆ ଫେରିଛି।
ରାଜ୍ୟସରକାର ଜଗାକୁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟକୁ ପଠାଯିବା ନେଇ ସବୁଜ ସଙ୍କେତ ଦେବା ପରେ ଆଜି ଫୁଲବାଣୀ ମୁଖ୍ୟଚିକିତ୍ସାଳୟର ଶିଶୁ ବିଭାଗ ଡାକ୍ତର ମନୋରଞ୍ଜନ ରାଉତ, ସର୍ଜରି ବିଭାଗ ଡାକ୍ତର ସି.ଏଚ୍.ନାରାୟଣ ସୁବଦ୍ଧି ଓ ଜଣେ ଫାର୍ମାସିଷ୍ଟ ଏସ୍ସିବିରେ ଦିନ ପ୍ରାୟ ସାଢେ ୧୧ଟାରେ ପହଞ୍ଚି ଥିଲେ। ସେଠାରେ ଜଗାକୁ ଭେଟିବା ସହ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍, ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ନ୍ୟୁରୋସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ର, ଡାକ୍ତର ଜ୍ଞାନ ବେହେରା, ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ସମେତ ଅନ୍ୟ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ। ଜଗା ଫେରିବା ସମୟରେ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତରଂଜନ ବିଶ୍ବାଳ ବି ଉପସ୍ଥିତ ଥିଲେ।
ଅପରାହ୍ନ ପ୍ରାୟ ୪ଟାରେ ଜଗା ଓ ତାର ମା ପୁଷ୍ପାଞ୍ଜଳି କହଁରଙ୍କୁ ୧୦୮ ଆମ୍ବୁଲାନ୍ସରେ ଫୁଲବାଣୀ ମୁଖ୍ୟଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ସୂଚନା ଅନୁସାରେ, ଜଗା ଘରକୁ ନଯାଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର କ୍ୟାବିନରେ ରହିବ।