ହୁଣ୍ଡିରୁ ଚୋରି ଉଦ୍ୟମ ଅଭିଯୋଗ : ଅଡ଼ୁଆରେ ଦାମ ମହାସୁଆର

ପୁରୀ : ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ହୁଣ୍ଡିରୁ ଚୋରି ଉଦ୍ୟମ କରୁଥିବା ଅଭିଯୋଗ କରି ଦାମୋଦର ମହାସୁଆର ହରଡ଼ଘଣାରେ ପଡ଼ିଛନ୍ତି। ଏ ନେଇ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍‌ ଜାରି କରିଛି। କେଉଁ ଆଧାରରେ ସେ ଏଭଳି ବଡ଼ ଅଭିଯୋଗ କଲେ ତାର ପ୍ରମାଣ ଦେବା ପାଇଁ ନୋଟିସ୍‌ରେ କୁହାଯାଇଛି। ଅଭିଯୋଗ ପରେ ଏହାର ତଦନ୍ତ ହୋଇଥିଲେ ମଧ୍ୟ ଅଭିଯୋଗ ଭିତ୍ତିହୀନ ବୋଲି ଜଣାପଡ଼ିଛି। ହୁଣ୍ଡି ଗଣତି ସମୟରେ ଦାମୋଦର ମଧ୍ୟ ଉପସ୍ଥିତ ନଥିଲେ। ଏଣୁ କେଉଁ ସୂତ୍ରରୁ ଖବର ପାଇ ସେ ଗଣମାଧ୍ୟମରେ ପ୍ରକାଶ କଲେ ତାର ପ୍ରମାଣ ପ୍ରଶାସନ ପାଖରେ ଦାଖଲ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସକ ତାଙ୍କୁ ନୋଟିସ୍‌ କରିଛନ୍ତିି।

ତେବେ ନୋଟିସ୍‌ ପାଇବା ପରେ ଦାମୋଦର ଶ୍ରୀମନ୍ଦିର ପ୍ରଶାସନକୁ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ସେଦିନର ଅଭିଯୋଗ ବାବଦରେ ସେ ଗଣମାଧ୍ୟମରେ କହିନାହାନ୍ତି। ବରଂ ପୂର୍ବରୁ ଏଭଳି ପ୍ରମାଣ ରହିଥିବାରୁ ଏହି ଅଭିଯୋଗ ମଧ୍ୟ ସତ୍ୟ ହୋଇପାରେ ବୋଲି ଅନୁମାନ କରି ତଦନ୍ତ ପାଇଁ ବୟାନ ରଖିଥିଲେ। ଭବିଷ୍ୟତରେ ହୁଣ୍ଡି ଗଣତିକୁ ଶୃଙ୍ଖଳିତ କରିବା ପାଇଁ ଏହା ତାଙ୍କର ପ୍ରୟାସ ଥିଲା ବୋଲି ସେ କହିଛନ୍ତି। ଏହା ପରେ ହୁଣ୍ଡିି ଗଣତି ସ୍ଥଳରେ କ୍ୟାମେରା ସଂଖ୍ୟା ବଢ଼ିବା ସହ ବାହାରେ ସ୍କ୍ରିନ୍‌ ଲଗାଇ ଭକ୍ତମାନଙ୍କ ପାଇଁ ପ୍ରଦର୍ଶିତ ହୋଇଛି। ଶୃଙ୍ଖଳିତ କରିବା ପାଇଁ ଉଦ୍ୟମ ହୋଇଛି। ଯେହେତୁ ପୂର୍ବରୁ ଅଭିଯୋଗ ଥିଲା ସେଥିପାଇଁ ଚୋରିର ଆଶଙ୍କା କରି ସେ ବୟାନ ଦେଇଥିବା କହିଛନ୍ତି। ଏହା ସହିତ ସେ ଆଉ ଏକ ଅଭିଯୋଗ ଆଣିଛନ୍ତି। ତାହା ହେଉଛି ହୁଣ୍ଡିରେ ପଡ଼ୁଥିବା ନଗଦ ଟଙ୍କା ଗଣତି କରି ସାର୍ବଜନୀନ କରାଯାଉଥିବା ବେଳେ ଅନ୍ୟ ମୂଲ୍ୟବାନ ପଦାର୍ଥ ସୁନା, ରୁପା, ହୀରା, ନୀଳା ପ୍ରଭୃତି ସାର୍ବଜନୀନ କରାଯାଉ ନାହିଁ। ଏହି ଗହଣାକୁ ନେଇ ବିଗତ ୩୫ ବର୍ଷର ହିସାବ କରାଗଲେ ଏହା ପଛରେ ଥିବା ବିରାଟ ରହସ୍ୟ ଉନ୍ମୋଚନ ହେବ ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର