୩୫ ଡିଗ୍ରି ଉପରେ ରାଜ୍ୟର ୮ ସହର, ଝାରସୁଗୁଡ଼ାରେ ତାପମାତ୍ରା ୩୯.୧ ଡିଗ୍ରି ରେକର୍ଡ

ଭୁବନେଶ୍ବର: ରାଜ୍ୟବ୍ୟାପୀ ତାପମାତ୍ରା ବୃଦ୍ଧି ପାଇଛି। ଆଜି ଅପରାହ୍‌ଣ ୨ ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ୩୯.୧ ଡ଼ିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଛି। ଏହି ସମୟ ପର୍ଯ୍ୟନ୍ତ ଆଜି ୮ଟି ସହରରେ ତାପମାତ୍ରା ୩୫ଡିଗ୍ରି ଉପରେ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଚାନ୍ଦବାଲିରେ ୩୮.୪, ରାଉରକେଲାରେ ୩୭.୬, ସମ୍ବଲପୁରରେ ୩୭.୫, ଭୁବନେଶ୍ୱରରେ ୩୭.୪, କେନ୍ଦୁଝରରେ ୩୭.୪, ହୀରାକୁଦରେ ୩୭.୪, ବାଲେଶ୍ୱର: ୩୫ ଡିଗ୍ରି ତାପମାତ୍ରା ‌ଛୁଇଁଛି। ସେହିପରି ପୁରୀରେ ୩୩, ପାରାଦୀପରେ ୩୨.୩ ଓ ଗୋପାଳପୁରରେ ତାପମାତ୍ରା ୩୧.୫ ଡିଗ୍ରି ରେକର୍ଡ ହୋଇଛି।

ରାଜ୍ୟରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରି ଉପରେ ପାରଦ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର। ଆହୁରି ମଧ୍ୟ କୁହାଯାଇଛି ଯେ ଉପକୂଳ ଓଡ଼ିଶାରେ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ। ଲୋକେ ସନ୍ତୁଳି ହେବେ। ଦିନ ୧୦ ଟାରୁ ଅପରାହ୍ନ ୩ ଟାକୁ ପିକ୍ ଆଓ୍ବାର ଘୋଷଣା କରାଯାଇଛି। ଏହି ସମୟରେ ବୟସ୍କ ଏବଂ ଶିଶୁଙ୍କୁ ସିଧାସଳଖ ଖରା ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ ଦିଆଯାଇଛି। ଏଣେ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ଡିଗ୍ରି ଅତିକ୍ରମ କରିବ ତାପମାତ୍ରା ବୋଲି ଚେତାବନୀ ଦେଇଛି ପାଣିପାଗ ବିଭାଗ। ଉପକୂଳ ଓଡ଼ିଶାରେ ୩୯ ଡିଗ୍ରୀ ସହ ୬୦ ପ୍ରତିଶତ ରହିବ ଆର୍ଦ୍ରତା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର