ପଦ୍ମ ଛାଡ଼ି ପୁଣି ଶଙ୍ଖ ଧରିଲେ ଜିତୁ ମିତ୍ର, ବିଜେପି ମହିଳା ଉପସଭାନେତ୍ରୀ ସୁଷମା ବି ବିଜେଡିରେ

ଭୁବନେଶ୍ବର : ଖୋର୍ଧାର ପୂର୍ବତନ ବିଧାୟକ ତଥା ବିଜେପି ନେତା ଜ୍ୟୋତିରିନ୍ଦ୍ର ନାଥ ମିତ୍ର ୧୩ ବର୍ଷ ପରେ ପୁଣି ଥରେ ବିଜୁ ଜନତା ଦଳକୁ ଫେରିଛନ୍ତି। ସେହିପରି ନୀଳଗିରି ବିଧାନସଭା ଆସନରୁ ଲଢ଼ିଥିବା ବିଜେପି ପ୍ରାର୍ଥୀ ସୁଷମାରାଣୀ ବିଶ୍ବାଳ ଆଜି ବିଜେଡିରେ ଯୋଗ ଦେଇଛନ୍ତି।

ସୋମବାର ବିଜେପି ନେତା ଶ୍ରୀ ମିତ୍ର ସକାଳ ୧୦ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ନିଜର ଇସ୍ତଫା ପତ୍ର ଦେଇଥିଲେ। ପରେ ସିଧାସଳଖ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ଚର୍ଚ୍ଚା ହେଉଛି, ଆସନ୍ତା ନିର୍ବାଚନରେ ଖୋର୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କୁ ବିଜେଡି ପ୍ରାର୍ଥୀ କରିପାରେ। ସେଥିପାଇଁ ଶ୍ରୀମିତ୍ରଙ୍କୁ ସବୁ ପ୍ରକାର ସମର୍ଥନ ଓ ସହାୟତା ଯୋଗାଇ ଦେବାକୁ ଖୋର୍ଧାର ବର୍ତ୍ତମାନ ବିଧାୟକ ଥିବା ରାଜେନ୍ଦ୍ର ପ୍ରସାଦ ସାହୁଙ୍କୁ ବିଜେଡି ମୁଖିଆ ନିର୍ଦ୍ଦେଶ ଦେଇଛନ୍ତି।

ବିଜେଡି ସଭାପତି ଶ୍ରୀ ମିତ୍ରଙ୍କୁ ସ୍ବାଗତ କରି କହିଥିଲେ, ଖୋର୍ଧାର ପୂର୍ବତନ ବିଜେଡି ବିଧାୟକ ପୁଣି ଥରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ସେ ବହୁତ ଖୁସି। ତାଙ୍କ ଯୋଗଦାନ ଜିଲ୍ଲା ସହ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ।

ଏହି ଅବସରରେ ଶ୍ରୀ ମିତ୍ର କହିଥିଲେ ୧୯୯୭ ମସିହାରେ ବିଜୁ ଜନତା ଦଳ ଗଠନ ବେଳେ ସେ ଦଳର ସଂଗଠନ ଦାୟିତ୍ବରେ ଥିଲେ। ୯ ବର୍ଷ ଧରି ବିଜେଡିର ବିଧାୟକ ଥିଲେ। ବର୍ତ୍ତମାନର ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ ଓ ସେ ମିଶିକରି େସଠାରେ ବିଜେଡିର ସଂଗଠନକୁ ତିଆରି କରିଥିଲେ।

୨୦୧୪ ନିର୍ବାଚନରେ ନୀଳଗିରି ଆସନର ବିଜେପି ପ୍ରାର୍ଥୀ ତଥା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସୁଷମାରାଣୀ ବିଶ୍ବାଳ ବିଜେପି ଛାଡ଼ି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଶ୍ରୀମତୀ ବିଶ୍ବାଳଙ୍କ ଦଳରେ ଯୋଗଦାନ ବାଲେଶ୍ବର ଜିଲ୍ଲାରେ ଦଳର ଶକ୍ତିକୁ ଅଧିକ ମଜବୁତ କରିବା ସହ ନୀଳଗିରି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି ବିଜେଡି ସଭାପତି ଶ୍ରୀପଟ୍ଟନାୟକ କହିଛନ୍ତି। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ବହୁ ବରିଷ୍ଠ େନତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର