କଳାହାଣ୍ଡି ମହାରାଜା ଉଦିତ ପ୍ରତାପ ଦେଓଙ୍କ ପରଲୋକ

ଭବାନୀପାଟଣା : କଳାହାଣ୍ଡି ମହାରାଜା ଉଦିତ ପ୍ରତା‌ପ ଦେଓଙ୍କ ସୋମବାର ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ ଆମରି ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ସେ ବହୁଦିନ ଧରି ଫୁସଫୁସ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ମଙ୍ଗଳବାର ସକାଳେ ତାଙ୍କ ମର ଶରୀର ଭବାନୀପାଟଣା ରାଜବାଟିରେ ପହଞ୍ଚିବ ବୋଲି ଜଣାପଡ଼ିଛି।

ଉଦିତ ପ୍ରତାପ ଦେଓ ୧୯୪୮ମସିହା ଅଗଷ୍ଟ ୨୧ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ। ରାୟପୁର ରାଜକୁମାର କଲେଜରେ ଶିକ୍ଷା ଗ୍ରହଣ ପରେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଅନର୍ସରେ ସ୍ନାତକ ପାସ କରିଥିଲେ। ସେ ସୈନ୍ୟ ବାହିନୀରେ ମେଜର ଭାବେ କାର୍ଯ୍ୟ କରିଥିଲେ। ‌ଅବସର‌ ପରେ ଜୁନାଗଡ଼ ନିର୍ବାଚନମଣ୍ଡଳୀରେ ୧୯୭୪ ମସିହାରୁ ୧୯୭୭ ମସିହା ପର୍ଯ୍ୟନ୍ତ ସ୍ବତନ୍ତ୍ର ପାର୍ଟି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ମୟୂରଭଞ୍ଜ ରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କ ଝିଅ ପଦ୍ମା ମଞ୍ଜରୀ ଦେଓଙ୍କୁ ବିବାହ କରିଥିଲେ। ତାଙ୍କ ଗୋଟିଏ ପୁଅ ଯୁବରାଜ ଅନନ୍ତ ପ୍ରତାପ ଦେଓ ଏବଂ ଝିଅ ଶ୍ରୀମଞ୍ଜରୀ ଦେବୀ ଅଛନ୍ତି। ଝିଅ ଶ୍ରୀମଞ୍ଜରୀ ଦେବୀ ଭୋପାଳରେ ବିବାହ କରିଛନ୍ତି। ସ୍ବର୍ଗତ ଉଦିତ ପ୍ରତାପ ଦେଓଙ୍କ ଫ‌ଟୋଗ୍ରାଫି, ବନ୍ଧୁକ ଚାଳନା, ରାଇଡିଂ, ସ୍କ୍ବାସ, ଟେନିସ, ଫୁଟବଲ, ଟ୍ରେକିଂ ଓ ପର୍ବତାରୋହଣରେ ରୁଚି ରହିଥିଲା। ସେ ରାୟପୁର ରାଜକୁମାର କଲେଜର କାର୍ଯ୍ୟକାରୀ ସଦସ୍ୟ ଥିଲେ। ତାଙ୍କ ବିୟୋଗରେ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ସୋମବାର ସନ୍ଧ୍ୟାରେ ଉଦିତ ପ୍ରତାପ ଦେଓଙ୍କ ମୃତ୍ୟୁ ଖବର ଶୁଣିବା‌ ପରେ ମାଣିକେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା ଓ ସାନ୍ଧ୍ୟ ଦର୍ଶନକୁ ବାତିଲ କରି ଦିଆଯାଇଛି। ଗତ ନିର୍ବାଚନ ପୂର୍ବରୁ ସ୍ବର୍ଗତ ଉଦିତ ପ୍ରତାପ ଦେଓ ବିଜେପିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର