କାନପୁର ଡ୍ୟାମ୍‌: ୬ ଦଶନ୍ଧିର ପ୍ରକଳ୍ପ, ଏବେ ବି ପାଣିକୁ ଅପେକ୍ଷା

୯୭ ପ୍ରତିଶତ କାମ ଶେଷ ହୋଇଛି: ନିର୍ବାହୀ ଯନ୍ତ୍ରୀ

ଯୋଡ଼ା: ଷାଠିଏ ଦଶକରେ କେନ୍ଦୁଝର ଜିଲ୍ଲାର ଚାଷଜମିକୁ ଜଳଯୋଗାଣ ପାଇଁ ବୈତରଣୀ ନଦୀରେ ବନ୍ଧ ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ୬ ଦଶନ୍ଧି ମଧ୍ୟରେ ଏହି ପ୍ରକଳ୍ପ ପାଇଁ ଚାରିଥର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବ୍ୟୟ ଅଟକଳ ୪୨୮ ‌କୋଟି ଟଙ୍କାରୁ ବଢ଼ି ୨୪୩୮ କୋଟି ଟଙ୍କାରେ ପହଞ୍ଚିଛି। ହେଲେ ଏଯାଏ ପ୍ରକଳ୍ପ ନିର୍ମାଣ ଶେଷ ହୋଇପାରୁନି। ବହୁ ପ୍ରତୀକ୍ଷିତ କାନପୁର ଡ୍ୟାମ୍‌ କେବେ କାର୍ଯ୍ୟକ୍ଷମ ହେବ ଓ କେନାଲରେ କେବେ ପାଣି ଆସିବ, ସେହିସମୟକୁ ଅପେକ୍ଷା କରିଛନ୍ତି ଚାଷୀକୁଳ।

୧୯୬୪ରେ ସରକାର ଯୋଡ଼ା ବ୍ଲକ୍‌ କାହ୍ନୁପୁର ଗ୍ରାମ ନିକଟ ବୈତରଣୀ ନଦୀରେ ଏକ ବନ୍ଧ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ। ତତ୍କାଳୀନ ରାଜ୍ୟପାଳ ଅଯୋଧ୍ୟାନାଥ ଖୋସଲା ୧୯୬୪ ଏପ୍ରିଲ ୨୫ରେ ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କିନ୍ତୁ ପ୍ରକଳ୍ପ କାମ ଆଗକୁ ବଢ଼ି ନଥିଲା। କିଛିବର୍ଷ ପରେ ପୁଣି ସରକାର କାହ୍ନୁପୁର ପରିବର୍ତ୍ତେ ବାସୁଦେବପୁରଠାରେ ବୈତରଣୀ ନଦୀ ଉପରେ ବନ୍ଧ ନିର୍ମାଣ ପାଇଁ ଯୋଜନା କରିଥିଲେ। ଯାହାର ନାମ କାନପୁର ବୃହତ୍‌ ଜଳସେଚନ ପ୍ରକଳ୍ପ ବୋଲି ରଖାଯାଇଥିଲା। ପୁଣି ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇନଥିଲା। ପରେ ପୁଣି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨୦୦୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାନପୁର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ୪୨୮ କୋଟି ୩୨ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ହୀରାକୁଦ ପରେ କାନପୁର ଡ୍ୟାମ୍‌ ଓଡ଼ିଶାର ଦ୍ୱିତୀୟ ବୃହତମ ନଦୀବନ୍ଧ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଇତିମଧ୍ୟରେ ୨୨ ବର୍ଷ ବିତିଥିବା ବେଳେ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଯୋଗୁଁ ବ୍ୟୟ ଅଟ୍ଟକଳ ବୃଦ୍ଧି ପାଇ ୨୪୩୮ କୋଟି ୨୯ ଲକ୍ଷ ଟଙ୍କାରେ ପହଞ୍ଚିଛି।‌ ସରକାର ୨୦୨୦ରୁ ଏହି ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବ ବୋଲି ଘୋଷଣା କରିଆସୁଥିଲେ ହେଁ କାମ ସରୁନି। ୬ ଦଶନ୍ଧି ତଳର ପରିକଳ୍ପନା କେବେ ବାସ୍ତବ ରୂପ ନେବ ସେହିଦିନକୁ ସମସ୍ତେ ଅପେକ୍ଷା କରିଛନ୍ତି।

ପ୍ରକଳ୍ପ କାମର ଅଗ୍ରଗତି ସମ୍ପର୍କରେ ନିର୍ବାହୀ ଯନ୍ତ୍ରୀ କୈଳାସ ଚନ୍ଦ୍ର ବିନ୍ଧାଣୀ କହିଛନ୍ତି, ବୈତରଣୀ ଉପରେ ନଦୀବନ୍ଧ ନିର୍ମାଣ ଶେଷ ହୋଇଛି। ସ୍ପିଲ୍‌ୱେ ନିର୍ମାଣ ଚାଲିଛି। ମୋଟ ୩୮୨ କିମି କେନାଲରୁ ୨୧୫ କିମି ସମ୍ପୂର୍ଣ୍ଣ ହୋଇଛି। ୯୭ ପ୍ରତିଶତ କାମ ଶେଷ ହୋଇଛି। ଆସନ୍ତା ବର୍ଷାଋତୁରେ ପ୍ରଥମେ ଡ୍ୟାମ୍‌ରେ ୪୦୦ରୁ ୪୨୫ ମିଟର ପାଣି ଭର୍ତ୍ତିହେବା ପରେ କେନାଲରେ ପାଣି ଛଡ଼ାଯିବ ବୋଲି ଶ୍ରୀ ବିନ୍ଧାଣୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କାନପୁର ଡ୍ୟାମ୍‌ କାର୍ଯ୍ୟକ୍ଷମ ହେଲେ ଯୋଡ଼ା, ଚମ୍ପୁଆ, ଝୁମ୍ପୁରା, ପାଟଣା, କେନ୍ଦୁଝର ସଦର ବ୍ଲକ୍‌ର ୨୨୨ଟି ଗାଁର ଚାଷଜମି ଜଳସେଚିତ ହେବ। ଏହାଦ୍ବାରା ୨ ଲକ୍ଷ ୩୬ ହଜାର ୧୬୪ଜଣ ଲୋକେ ଉପକୃତ ହେବେ।

ସମ୍ବନ୍ଧିତ ଖବର