ଘର ପାଣି ପକାଇବାକୁ ନେଇ ମାରଣାସ୍ତ୍ରରେ ଆକ୍ରମଣ: ଜଣେ ଗୁରୁତର, ଆକ୍ରମଣକାରୀ ଥାନାରେ ଅଟକ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସହରରେ ଘର ପାଣି ପକାଇବାକୁ ନେଇ ବଡ଼ ଧରଣର ଗଣ୍ଡଗୋଳ ହୋଇଥିବାର ଖବର ମିଳିଛି।
ଏହି ଘଟଣାରେ ଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯିବାର ଅଭିଯୋଗ ହୋଇଛି। ଏଥିରେ ଜଣେ ଗୁରୁତର ହୋଇ, ବୁର୍ଲା ମେଡିକାଲରେ ଚିକିତ୍ସିତ ହଉେଥିବା ବେଳେ ଆକ୍ରମଣକାରୀଙ୍କୁ ଥାନାରେ ଅଟକ ରଖାଯାଇଥିବାର ସୂଚନା ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମୀ ନଗର ୱାର୍ଡ ନମ୍ବର ୭ରେ ଜଣେ ଘରର ବ୍ୟବହାର କରୁଥିବା ନଳାପାଣି ଅନ୍ୟ ଘର ବାହାରେ ପଡ଼ୁଥିବା ଅଭିଯୋଗ ନେଇ ସୋନୁ ନାଏକ ନାମକ ଜଣେ ଯୁବକ ଦିଲୀପ ରଣାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ରକ୍ତାକ୍ତ କରିଥିଲେ। ଏହାପରେ ଦିଲୀପଙ୍କୁ କଣ୍ଟାବାଞ୍ଜି ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିରକୁ ସ୍ଥାନାନ୍ତର କରାଯାଇଥିଲା, ମାତ୍ର ତାଙ୍କ ଅବସ୍ଥା ସଂକଟାପନ୍ନ ହେବା ପରେ ଦିଲୀପ ରଣାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ଘଟଣା ସଂପର୍କରେ ଖବର ପାଇ କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କାଣ୍ଡେଲକର ସଦଳବଳେ ସୋନୁଙ୍କ ଘରେ ଚଢ଼ାଉ କରି କିଛି ଅସ୍ତ୍ର ସହ ତାଙ୍କୁ ଥାନା ରେ ଅଟକ ରଖିଥିବା ଜଣାଯାଇଛି। ସୋନୁ ଏବଂ ଦିଲୀପଙ୍କର ପୂର୍ବରୁ ମଧ୍ୟ ଏମିତି ଛୋଟ ବଡ଼ ଝଗଡା ଲାଗି ରହିଥିଲା। ତେବେ ଆଜିର ଏହି ଝଗଡା ହତ୍ୟା ଉଦ୍ୟମ ଯାଏ କଥା ବାହାରିଲା ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର