ଯୌନ ଶୋଷଣ ମାମଲାରେ ପୁଲିସ ଉଠାଇ ନେବା ପରେ ପ୍ରମୋଦଙ୍କ ପାଇଁ ଅଡ଼ୁଆ ବଢ଼ିଲା

ଭୁବନେଶ୍ବର : ଯୌନ ଶୋଷଣ ମାମଲାରେ ଛନ୍ଦି ହୋଇଥିବା କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲିଃ ସଭାପତି ପ୍ରମୋଦ କୁମାର ସାହୁଙ୍କ ଅଡ଼ୁଆ ବଢ଼ିଲା। ଗତକାଲିଠୁ ପୁଲିସ କବଜାରେ ଥିବା ଶ୍ରୀ ସାହୁଙ୍କ ବିରୋଧରେ ଆଜି ସମବାୟ ବିଭାଗ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ନେଇଛି । ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀ ସାହୁଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ସମବାୟ ନିବନ୍ଧକ ବିଭୁତି ଭୂଷଣ ପଟ୍ଟନାୟକ ଅଭିଯୋଗ ଉପରେ ୭ ଦିନ ଭିତରେ ଉତ୍ତର ରଖିବାକୁ ଶ୍ରୀ ସାହୁଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏହାସହିତ ସୋସାଇଟିର ସଭାପତି ପଦରୁ ପ୍ରମୋଦ ସାହୁଙ୍କୁ ଅନ୍ତର କରି ଭାରପ୍ରାପ୍ତ ସଭାପତି ଭାବେ ଉପସଭାପତି ଦାୟିତ୍ବ ତୁଲାଇବେ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେପଟେ ଶ୍ରୀ ସାହୁ ବହୁ ଦିନ ତଳୁ ବିଜେଡିରୁ ଇସ୍ତଫା ଦେଇସାରିଥିଲେ ବୋଲି ବିଜୁ ଜନତା ଦଳ ପ୍ରେସ୍ ଇସ୍ତାହାର ଜରିଆରେ ଜଣାଇଛି।

ସୋମବାର ସମବାୟ ନିବନ୍ଧକ ଶ୍ରୀ ପଟ୍ଟନାୟକ ଜାରି କରିଥିବା ନୋଟିସ୍ ଅନୁଯାୟୀ, ସୋସାଇଟିର ସଭାପତି ଥିବା ପ୍ରମୋଦ କୁମାର ସାହୁଙ୍କ ବିରୋଧରେ ନୈତିକ ସ୍ଖଳନ ନେଇ ଗତ ୩ ଦିନ ଧରି ବିଭିନ୍ନ ବୈଦ୍ୟୁତିକ ଏବଂ ମୁଦ୍ରିତ ଗଣମାଧ୍ୟମରେ ଖବର ପ୍ରକାଶ ପାଇଆସୁଛି। ଅଭିଯୋଗ ଅତ୍ୟନ୍ତ ସଙ୍ଗୀନ ଓ ଗୁରୁତର ହୋଇଥିବାରୁ ସୋସାଇଟି ଓ ସଦସ୍ୟମାନଙ୍କ ବିଶ୍ବସନୀୟତା ପ୍ରତି ସାଧାରଣରେ ଖରାପ ପ୍ରଭାବ ପକାଇବ। ଏହା କ୍ଷତିକାରକ। ତେଣୁ ସମବାୟ ଆଇନ ମୁତାବକ, ସେ କେନ୍ଦ୍ରାପଡ଼ା କ୍ରେଡ଼ିଟ୍ କୋଅପରେଟିଭ୍ ସୋସାଇଟିର ସଭାପତି ଦାୟିତ୍ବ ତୁଲାଇବା ଉଚିତ୍ ନୁହେଁ। ଏଣିକି ଶ୍ରୀ ସାହୁ ସୋସାଇଟିର କୌଣସି ପରିଚାଳନା କମିଟି ବୈଠକରେ ସଭାପତିତ୍ବ କରିପାରିବେ ନାହିଁ। ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନ ହେବା ଯାଏ ଏହି ନୋଟିସ ବଳରେ ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଗଲା। ଏହାସହିତ ଭାରପ୍ରାପ୍ତ ସଭାପତି ଭାବେ ସୋସାଇଟିର ଉପସଭାପତି ଦାୟିତ୍ବରେ ରହିବେ। ଅଭିଯୋଗ ଉପରେ ୭ଦିନ ଭିତରେ ସ୍ପଷ୍ଟୀକରଣ ଦେବା ପାଇଁ ଶ୍ରୀ ସାହୁଙ୍କୁ ସମବାୟ ନିବନ୍ଧକ ନୋଟିସ ଜାରି କରିଛନ୍ତି।

ଅଡ଼ିଟ୍ ରିପୋର୍ଟ ମୁତାବକ, ୨୦୧୬-୧୭ରେ କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟିର ସଦସ୍ୟ ସଂଖ୍ୟା ୧ ଲକ୍ଷ ୩ ହଜାର ୩୭୨। ଏହି ରିପୋର୍ଟ ଅନୁଯାୟୀ, ସୋସାଇଟି ୧୪୦ କୋଟି ୮୮ ଲକ୍ଷ ୩୨ ହଜାର ୬୨୬ ଟଙ୍କା ଜମା ସଂଗ୍ରହ କରିଥିବାବେଳେ ଚାଷୀଙ୍କୁ ଋଣ ବାବଦରେ ପ୍ରାୟ ୧୪୦ କୋଟି ୭୨ ଲକ୍ଷ ୩୬ ହଜାର ୨୯୫ ଟଙ୍କା ଋଣ ପ୍ରଦାନ କରିଛି। ଏହି ସୋସାଇଟି କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକ ଜିଲ୍ଲାରେ ଥିବା ସଦସ୍ୟମାନଙ୍କଠାରୁ ଜମା ସଂଗ୍ରହ କରିଥାଏ। ତେଣୁ ସୋସାଇଟିର ବିଶ୍ବସନୀୟତାକୁ ଦୃଷ୍ଟିରେ ରଖି ଆଇନ ମୁତାବକ ଏପରି ନିଷ୍ପତ୍ତି ନିଆଯାଇଥିବା ନେଇ ସମବାୟ ନିବନ୍ଧକ ନୋଟିସରେ ଉଲ୍ଲେଖ କରିଛନ୍ତି।

ସେପଟେ ଶ୍ରୀ ସାହୁ ବିଜୁ ଜନତା ଦଳର ସଦସ୍ୟ ବୋଲି ବିରୋଧୀଙ୍କ ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି। ଦଳ ମୁଖପାତ୍ର ଲେନିନ୍ ମହାନ୍ତି ପ୍ରେସ୍ ଇସ୍ତାହାର ଜରିଆରେ ଜଣାଇଛନ୍ତି, ଶ୍ରୀ ସାହୁ କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ସଭାପତି ପ୍ରମୋଦ କୁମାର ସାହୁ ବହୁ ଦିନ ପୂର୍ବରୁ ଦଳରୁ ଇସ୍ତଫା ଦେଇସାରିଛନ୍ତି। ତାଙ୍କର ବିଜୁ ଜନତା ଦଳ ସହ କୌଣସି ସମ୍ପର୍କ ନାହିଁ।

ସମ୍ବନ୍ଧିତ ଖବର