କେନ୍ଦୁଝର ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ ଟ୍ରଷ୍ଟ ଦଶମ ବୈଠକ: ଅସହମତି ସତ୍ତ୍ବେ ଅନୁମୋଦନ!

ଡିଏମ୍ଏଫ ଟ୍ରଷ୍ଟ ସଦସ୍ୟ ମୋହନ ମାଝୀ ଜିଲ୍ଲାପାଳଙ୍କୁ ଦେଲେ ଅସହମତି ପତ୍ର

ପ୍ରକଳ୍ପ ଅନୁ ମୋଦନରେ ସ୍ବଚ୍ଛତା ରହୁ ନଥିବା ଅଭିଯୋଗ ଆଣିଲେ
୨୪୨ଟି ପ୍ରକଳ୍ପ ପାଇଁ ପାଖାପାଖି ୧୬୩୩ କୋଟି ଟଙ୍କାର ଅନୁମୋଦନ

କେନ୍ଦୁଝର : ଅସହମତି ସତ୍ତ୍ବେ ଅନୁମୋଦନ କରିନେଲେ ୨୪୨ଟି ପ୍ରକଳ୍ପ। କେନ୍ଦୁଝର ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ ଟ୍ରଷ୍ଟର ଦଶମ ବୈଠକରେ ଏଭଳି ଅନୁମୋଦନ ଯୋଗୁଁ ଟ୍ରଷ୍ଟର ଅର୍ଥ ଖର୍ଚ୍ଚରେ ହେଉଥିବା ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି।

ଆଜିଥିଲା ଡିଏମଏଫ୍‌ ଟ୍ରଷ୍ଟର ଦଶମ ଭର୍ଚୁଆଲ ବୈଠକ। ଏହି ବୈଠକରେ ଟ୍ରଷ୍ଟର ବିଭିନ୍ନ ସଦସ୍ୟଙ୍କ ସମେତ ବିରୋଧୀ ଦଳ ମୁଖ ସଚେତକ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ। ତେବେ ଶ୍ରୀ ମାଝୀ ଟ୍ରଷ୍ଟର ବୈଠକ ପରିଚାଳନା, ଅର୍ଥ ଅନୁମୋଦନ ପ୍ରକ୍ରିୟାକୁ ବିରୋଧ କରିବା ସତ୍ତ୍ବେ ୨୪୨ଟି ପ୍ରଳକ୍ପ ଅନୁମୋଦନ ହୋଇଛି। ଯାହାକି ଟ୍ରଷ୍ଟର ଅର୍ଥ ଖର୍ଚ୍ଚ ବ୍ୟବସ୍ଥା ନେଇ ବିବାଦ ସୃଷ୍ଟି କରିଛି।

ଏ ସମ୍ପର୍କରେ ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି ଯେ କେନ୍ଦୁଝର ଡିଏମଏଫ୍‌ ଟ୍ରଷ୍ଟର ବୈଠକ ନିର୍ଦ୍ଧାରିତ ସମୟରେ ବସୁନାହିଁ। ଅଧିକ ବ୍ୟବଧାନରେ ବୈଠକ କରାଯାଇ ସଦସ୍ୟଙ୍କୁ ଅନ୍ଧାରରେ ରଖି ପ୍ରକଳ୍ପକୁ ଅନୁମୋଦନ କରାଯାଉଛି। ଡିଏମ୍‌ଏଫ ବୈଠକର ମାତ୍ର ଗୋଟିଏଦିନ ପୂର୍ବରୁ ପ୍ରକଳ୍ପ ସମ୍ପର୍କରେ ଅବଗତ କରାଯାଉଛି। ଆଜିର ବୈଠକରେ ୨୪୨ଟି ପ୍ରକଳ୍ପ ସଂପର୍କରେ ଅନୁମୋଦନ କରାଯିବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ଏତେଗୁଡିଏ ପ୍ରକଳ୍ପ ସଂପର୍କରେ ମାତ୍ର ଗୋଟିଏ ଦିନରେ ଅନୁଧ୍ୟାନ କରାଯିବା କଷ୍ଟକର। ଯାହାଦ୍ବାରା କେଉଁ ପ୍ରକଳ୍ପକୁ କେତେ ଟଙ୍କା ଅନୁମୋଦନ କରାଯିବ, କେନ୍ଦୁଝର ଜିଲ୍ଲା ପାଇଁ ପ୍ରକଳ୍ପର ଆବଶ୍ୟକତା କେତେ ଅଛି, ତାହାକୁ ମାତ୍ର ସୀମିତ ସମୟ ମଧ୍ୟରେ ଅନୁଧ୍ୟାନ କରିବା କଷ୍ଟକର। ପ୍ରକଳ୍ପ ସଂପର୍କରେ ସଦସ୍ୟମାନଙ୍କୁ ପୂର୍ବରୁ ନ ଜଣାଇ ଉଦ୍ଦେଶ୍ୟମୂଳକ ଭାବେ ଅନ୍ଧାରରେ ରଖାଯାଉଛି ବୋଲି ଶ୍ରୀ ମାଝୀ ଅଭିଯୋଗ ବାଢ଼ିଛନ୍ତି। ସେହିଭଳି, ଆଜିର ବୈଠକରେ ୭ଟି ପ୍ରକଳ୍ପକୁ ପୋଷ୍ଟ-ଫ୍ୟାକ୍ଟୋ ବା ପ୍ରକଳ୍ପ କାର୍ଯ୍ୟ ପରେ ଅନୁମୋଦନକୁ ଶ୍ରୀ ମାଝୀ ବିରୋଧ କରିଛନ୍ତି।

ଏ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି କେନ୍ଦୁଝର ନାଗରିକ ମଞ୍ଚ ସଭାପତି କିରଣ ଶଙ୍କର ସାହୁ କହିଛନ୍ତି, କେନ୍ଦୁଝର ଜିଲ୍ଲାର ପାଣ୍ଠି କେନ୍ଦୁଝର ସମୃଦ୍ଧି ଦିଗରେ ଖର୍ଚ୍ଚ ହେବା କଥା। ମାତ୍ର ମନଇଚ୍ଛା ଯେଭଳି ଅର୍ଥ ଖର୍ଚ୍ଚ ହେଉଛି, ତାହା ଗ୍ରହଣୀୟ ନୁହେଁ। କେନ୍ଦୁଝର ବିକାଶ ଦିଗରେ ଟ୍ରଷ୍ଟ ପକ୍ଷରୁ ଆଲୋଚନା ମଧ୍ୟ ହେଉନାହିଁ। ତେଣୁ ଜିଲ୍ଲାର ବାସ୍ତବିକ ଆବଶ୍ୟକତା କ’ଣ ତାହା ଟ୍ରଷ୍ଟ ବୋର୍ଡ ଜାଣି ପାରୁନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି ।

ସମ୍ବନ୍ଧିତ ଖବର