ଖପୁରିଆ ଆଇଟିଆଇ ପ୍ରସ୍ତୁତ କଲା ମୋବାଇଲ ସାମ୍ପଲ୍‌ କଲେକ୍ସନ୍‌ କିଓସ୍କ୍‌

କଟକ : ଖପୁରିଆ ଆଇଟିଆଇରେ କଟକର କୁଶଳୀ ପ୍ରଶିକ୍ଷକଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ମୋବାଇଲ ସାମ୍ପଲ ସଂଗ୍ରହ କିଓସ୍କ୍‌। ଏହା ଏକ କାଚରେ ଆବଦ୍ଧ କ୍ଷୁଦ୍ର କକ୍ଷ ଯାହା କରୋନା ଭାଇରସ୍ କୋଭିଡ-୧୯ର ସ୍ୱାବ ଓ ରକ୍ତ ଆଦି ପରୀକ୍ଷା ପାଇଁ ସହାୟକ ହେବ। ଏହାର ସମ୍ମୁଖ ଭାଗ ଉନ୍ନତମାନର କାଚରେ ସିଲ କରାଯାଇଥିବାରୁ ରୋଗୀମାନଙ୍କ ସହ ସାମ୍ପଲ୍ ନେଉଥିବା ପାଥୋଲୋଜିଷ୍ଟଙ୍କ ସିଧାସଳଖ ସମ୍ପର୍କରେ ଆସିବେ ନାହିଁ। ଏହା ସହିତ ସମ୍ମୁଖ ଭାଗରେ ଦୁଇଟି ହାତ ଗ୍ଲୋବ୍ସ୍‌ ଏପରି ଲଗାଯାଇଛି ଯାହା ମଧ୍ୟରେ ହାତରଖି ସାମ୍ପଲ୍ ନିଆ ଯାଇପାରିବ। ପରେ ଉକ୍ତ ଗ୍ଲୋବ୍ସ୍‌ଗୁଡିକୁ ବାହାରୁ ସାନିଟାଇଜ୍ କରାଯାଇ ପାରିବ। କିଓସ୍କ  ସଂଯୁକ୍ତ ହୋଇଥିବାରୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଏହାକୁ ସହଜରେ ନିଆଯାଇପାରିବ। ଏହା କମ୍ ସମୟରେ ଅଧିକ ସାମ୍ପଲ ପରୀକ୍ଷା କରିବାରେ ସହାୟକ ହେବା ସହ କରୋନା ସଂକ୍ରମଣ ବ୍ୟାପିବା ଚିନ୍ତା କମାଇଦେବ। ଅନୁଷ୍ଠାନର ୫ ଜଣ ଅଧ୍ୟାପକଙ୍କ ଦ୍ୱାରା ଏକ ସପ୍ତାହ ମଧ୍ୟରେ ଏହା ତିଆରି କରଯାଇଛି। ଏହାର ଉପଯୋଗିତା ବିଷୟରେ ଉଚ୍ଚ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି ଆଇଟିଆଇର ଅଧ୍ୟକ୍ଷ ଡକ୍ଟର ହୃଷୀକେଶ ମହାନ୍ତି କହିଛନ୍ତି। ଆଗକୁ ଡିସ୍‌ଇନଫେକ୍ସନ ଟନେଲ୍‌ ଓ କରୋନା ରୋଗୀଙ୍କୁ ସେବା ଯୋଗାଇବା ପାଇଁ ରୋବଟ୍‌ ତିଆରି ଚାଲିଥିବା ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ପରୀକ୍ଷାମୂଳକ ଭାବେ କରାଯାଇଥିବା ଏହି ମୋବାଇଲ କିଓସ୍କ ସଫଳ ହେଲେ ସମଗ୍ର ଓଡିଶାର ଗାଁ ଗହଳିକୁ ପଠାଯାଇ ସାମ୍ପଲ ସଂଗ୍ରହ ହୋଇପାରିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଖପୁରିଆ ଆଇଟିଆଇ ଏହି ସ୍ୱାବ୍‌ ଓ ରକ୍ତ ସାମ୍ପଲ୍‌ ସଂଗ୍ରହ କିଓସ୍କ ତିଆରି କରିଥିବାରୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର