ପୁଲିସ ଉଦ୍ଧାର କରିଥିବା ଶ୍ରମିକଙ୍କୁ ଅପହରଣ

ବଲାଙ୍ଗୀର: ବେଆଇନ ଦାଦନ ଚାଲାଣ ରୋକିବାକୁ ପୁଲିସ ପ୍ରଶାସନ ଅଣ୍ଟାଭିଡ଼ିଛି। ଏଯାଏ ୫୦୦ରୁ ଅଧିକ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରି ଗାଁଗୁଡ଼ିକୁ ପଠାଇ ସାରିଲାଣି। କିନ୍ତୁ ଉଦ୍ଧାର ଶ୍ରମିକମାନଙ୍କୁ ପୁଣି ଥରେ ସର୍ଦ୍ଦାରମାନେ ଦାଦନ ଖଟିବାକୁ ଯିବାକୁ ବାଧ୍ୟ କରୁଛନ୍ତି। ଯିଏ ପ୍ରଶାସନର କଥା ମାନି ଗାଁରେ ରହି କାମ କରିବାକୁ ଇଚ୍ଛୁକ ରହୁଛି ସେମାନଙ୍କୁ ବି ଯୋରଜବରଦସ୍ତ ଦାଦନ ସର୍ଦ୍ଦାର ଉଠାଇ ନେଉଛନ୍ତି। ଏବେ ପୁଲିସ ଉଦ୍ଧାର କରିଥିବା ଜଣେ ଶ୍ରମିକଙ୍କୁ ଦାଦନ ସର୍ଦ୍ଦାର ଅପହରଣ କରିନେଇଥିବା ଜଣାପଡ଼ିଛି। ଶ୍ରମିକଙ୍କ ସ୍ତ୍ରୀ ପୁଣି ପୁଲିସର ଦ୍ୱାରସ୍ଥ ହେବା ପରେ କଥା ସାମ୍ନାକୁ ଆସିଛି।

ପ୍ରକାଶ ଯେ, କିଛି ଦିନ ତଳେ ବେଲପଡ଼ା ବ୍ଲକ୍‌ ଅଂଚଳର ଶ୍ରମିକମାନଙ୍କୁ ଜଣେ ସର୍ଦ୍ଦାର ବସ୍‌ ଯୋଗେ ବାହାର ରାଜ୍ୟକୁ ପଠାଉଥିବା ଖବର ପାଇଥିଲା ବଲାଙ୍ଗୀର ଟାଉନ ପୁଲିସ। ବସ୍‌ରେ ଚଢ଼ଉ କରି ଶ୍ରମିକଙ୍କୁ ଉଦ୍ଧାର କରିଥିଲା। ସବୁ ଶ୍ରମିକଙ୍କୁ ତାଙ୍କ ଗାଁକୁ ପଠାଯାଇଥିଲା। ଉଦ୍ଧାର ଶ୍ରମିକଙ୍କ ଭିତରେ ଥିଲେ ତରା ଗାଁର ନୀଳକଣ୍ଠ ମଲ୍ଲିକ ଓ ଯମୁନା ମଲ୍ଲିକ। ଗତ ଶନିବାର ସର୍ଦ୍ଦାର ନୀଳକଣ୍ଠଙ୍କ ଗାଁକୁ ଆସି କଥାବାର୍ତ୍ତା ସମୟରେ ଘରୁ ଡାକି ନେଇ ଚାଲିଯାଇଥିଲା। ସେହି ଦିନରୁ ନୀଳକଣ୍ଠଙ୍କ ଖୋଜଖବର ତାଙ୍କ ପରିବାର ପାଉ ନାହାନ୍ତି। ଯେହେତୁ ଟାଉନ ଥାନା ପୁଲିସ ଉଦ୍ଧାର କରିଥିଲା, ଏଣୁ ସୋମବାର ନଳକଣ୍ଠଙ୍କ ସ୍ତ୍ରୀ ବଲାଙ୍ଗୀର ଆସି ପୁଲିସକୁ ଏ ସଂପର୍କରେ ଜଣାଇଛନ୍ତି। ଏସ୍‌ପି ଏ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର