କେବେ ହେବ କୋରାପୁଟ ବାଇପାସ ପ୍ରକଳ୍ପ: କରୋନା ଆଳରେ ଘୁଞ୍ଚି ଘୁଞ୍ଚି ଯାଉଛି ପଦ୍ମ

କୋରାପୁଟ: କୋରାପୁଟ ଦେଇ ଯାଇଥିବା ଜାତୀୟ ରାଜପଥରେ ବାଇପାସ ରାସ୍ତା ନିର୍ମାଣ ‌କାର୍ଯ୍ୟ ହୋଇପାରୁନି। ଫଳରେ କୋରାପୁଟବାସୀଙ୍କ ଦୀର୍ଘଦିନର ପ୍ରତିକ୍ଷାରେ ରହିଥିବା ଏହି ପ୍ରକଳ୍ପ ପାଇଁ ବ୍ୟବସ୍ଥା ହୋଇପାରୁନି। ସର୍ଭେ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ କରୋନା ଯୋଗୁଁ ଏହା ହୋଇପାରିନାହିଁ। ସ୍କେଚ ପ୍ରସ୍ତୁତ କରାଯାଇ ଅଟକଳ ମଧ୍ୟ ପ୍ରସ୍ତୁତ ହୋଇପାରିନାହିଁ । ଜାତୀୟ ରାଜପଥ ପ୍ରାଧୀକରଣଙ୍କ ଅନୁମତି ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇପାରିନାହିଁ।

କୋରାପୁଟ ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ବଢିବା ପରେ ଏଥିରେ ଏକ ବାଇପାସ ରାସ୍ତା ନିର୍ମାଣ କରିବାକୁ ତିନିବର୍ଷ ତଳେ ନିଷ୍ପତ୍ତି ହୋଇଥିଲା। ରେଳବାଇ ଓଭରବିଜ ପାଖରୁ ଏହି ବାଇପାସ ରାସ୍ତା ବାହାରି ଷ୍ଟାଡିୟମ ପଛ ରାସ୍ତା ଦେଇ କଫି ବୋର୍ଡ ନିକଟରେ ବାହାରିବ ବୋଲି ସ୍ଥିର କରାଯାଇଥିଲା। ହେଲେ ରେଳବାଇ ଜମିରେ ଏହି ରାସ୍ତା ଯିବାରୁ କେଁ ବାହାରିଥିଲା। ରେଳବାଇ ଜମି ଦେବାକୁ ମନା କରିବା ପରେ ପ୍ରକଳ୍ପ ଆଗେଇ ପାରି ନ ଥିଲା। ଏଥିପାଇଁ ଆଜି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ବିଧା‌ୟକ ରଘୁରାମ ପଡାଲ, ପଟାଙ୍ଗୀ ବିଧାୟକ ପୀତମ ପାଢୀ, ତତ୍କଳୀନ ଜିଲ୍ଲାପାଳ, ଜିଲ୍ଲା ଭୁଅର୍ଜନ ଅଧିକାରୀଙ୍କ ସମେତ ରେଳବାଇ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ମିଳିତ ଭାବେ କ୍ଷେତ୍ର ପରିଦର୍ଶନ କରିଥିଲେ।

ଆଶା କରାଯାଉଥିଲା, ଏହି କ୍ଷେତ୍ର ପରିଦର୍ଶନରୁ କୋରାପୁଟବାସୀଙ୍କ ପାଇଁ କିଛି ଖୁସି ଖବର ଆସିବ। କିନ୍ତୁ ପୁଣି ଥରେ ଅନିଶ୍ଚିତତା ଭିତରକୁ ଚାଲିଯାଇଛି ଯେ ଏହା ସେଥିରୁ ବାହାରି ପାରୁନି। ଅନ୍ୟପକ୍ଷରେ ରେଳବାଇ କଲୋନୀ ନିକଟ ଦେଇ ପ୍ରସ୍ତାବିତ ବାଇପାସ ରାସ୍ତାକୁ ରେଳବାଇ କର୍ତ୍ତୃପକ୍ଷ ବିରୋଧ କରିଥିଲେ। ‌ରେଳବାଇ ଜମିର ସୀମାକୁ ଲାଗି ରାସ୍ତା ନେବାକୁ ସେମାନେ ମତ ବାଢିଥିଲେ। ତେଣୁ ରେଳବାଇ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଇଂଜିନିୟରମାନେ ଆଉ ଥରେ ସର୍ଭେ କରିବବାକୁ ଯୋଜନା ରହିଥିଲା। ଏହା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଥାନ୍ତା କିନ୍ତୁ କରୋନା ହେତୁ ଏହା ନାଲି ଫିତା ତଳେ ରହିଯାଇଛି। ଜାତୀୟ ରାଜପଥ ବିଭାଗର ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଯେ, ଏହି ବାଇପାସ ରାସ୍ତା ପାଇଁ ୮ କୋଟି ଟଙ୍କା ଆସି ଟଙ୍କା ଫେରିଗଲା। କରୋନା ହେତୁ ଏବେ ଆଉ ଥରେ ସର୍ଭେ ହୋଇପାରିନାହିଁ। ସର୍ଭେ ଆରମ୍ଭ ହେବା ପରେ ଅଟକଳ ପ୍ରସ୍ତୁତ କରି ଟଙ୍କା ମଗାଯିବ। ଟଙ୍କା ଆସିଲେ ଯାଇ କାମ ଆରମ୍ଭ ହେବ ବୋଲି କତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର